ବଲାଙ୍ଗିର,୧୮/୧୧: ନିର୍ବାଚନ ଆସିନି, ନେତାଙ୍କୁ ଟିକେଟ ବି ମିଳିନି । ହେଲେ ଏବେଠୁ ଆଶାୟୀ ନେତାଙ୍କ ପଲିଟିକାଲ ଫିଲ୍ଡ ସଜାଡ଼ିବା କାମ ଆରମ୍ଭ ହୋଇଗଲାଣି । ପର୍ବପର୍ବାଣି, ଯାନିଯାତ୍ରା ଦେଖି ସେମାନେ ନାନା ରକମର ସାମଗ୍ରୀ ବାଣ୍ଟି ବସିଲେଣି । ଆଗାମୀ ନିର୍ବାଚନରେ ଦଳ ପାଇଁ କାମ କରିବେ ବୋଲି ସମର୍ଥନ ଲୋଡିଲେଣି । ହେଲେ ନେତାଏ ବାଣ୍ଟିଥିବା ସାମଗ୍ରୀର ଗୁଣବତ୍ତାକୁ ନେଇ ଏବେ ଭୋଟରମାନେ ପ୍ରଶ୍ନ ଉଠାଇଛନ୍ତି । ସିଧାସିଧା ଏଭଳି ନିମ୍ନମାନର ସାମଗ୍ରୀ ନେଇ ନିଜ ଭୋଟ ବିକ୍ରି କରିବେ ନାହିଁ ବୋଲି କହୁଛନ୍ତି । ଯାହାର ଦୁଇଟି ଭିଡ଼ିଓ ଏବଂ ଗୋଟିଏ ଅଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଉକ୍ତ ଘଟଣାଟି ଲୋଇସିଂହା ନିର୍ବାଚନ ମଣ୍ଡଳୀର ହୋଇଥିବା ବେଳେ ଅସନ୍ତୋଷ ପ୍ରକାଶ କରୁଥିବା ମହିଳାଜଣକ ଏସ୍ଏଚ୍ଜିର ସମ୍ପାଦିକା ବୋଲି ପରିଚୟ ଦେଉଛନ୍ତି ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଶାଢିର ମାନକୁ ଦେଖି ମହିଳାଜଣକ କହୁଛନ୍ତି ଯେ, ଏସ୍ଏଚ୍ଜି ମହିଳାଙ୍କୁ ଶାଢି ବଦଳରେ ଲୁଙ୍ଗି ଦିଆଯାଇଛି । ଏଭଳି ଲୁଙ୍ଗି ପିନ୍ଧି କିଏ କେବେ ଭୋଟ ଦେବାକୁ ଯାଏ କି ? ଏମିତି ନିକୃଷ୍ଟ ଶାଢି ପାଇବା ବଦଳରେ କିଏ ଭୋଟ ଦେବ କି? ଏହା ଏସଏଚଜି ମାମାନଙ୍କୁ ଭକୁଆ ବନେଇବା ଛଡ଼ା ଆଉକିଛି ନୁହେଁ ବୋଲି ସେ ପ୍ରଶ୍ନ କରୁଛନ୍ତି । ସେହିପରି ଆଉ ଏକ ଭିଡ଼ିଓରେ ଶାଢିକୁ ଦେଖାଇ ତାହା ଧୋତି ନାଁ ପରଦା ବୋଲି ପ୍ରଶ୍ନ କରାଯାଇଛି । ତେବେ ଭାଇରାଲ ହେଉଥିବା ଅନ୍ୟ ଏକ ଅଡିଓରେ ସିଧାସଳଖ ଜଣେ ନେତାଙ୍କ ନାଁ ନେଇ ସେ ଏହି ଶାଢି ପଠାଇଛନ୍ତି । ଆଗକୁ ନିର୍ବାଚନ ଥିବାବେଳେ ପୁଣି ଅନ୍ୟ ଏକ ପର୍ଯ୍ୟାୟରେ ଶାଢି ଦିଆଯିବ ବୋଲି କୁହାଯାଉଛି । କିନ୍ତୁ ଫୋନରେ ଥିବା ଜଣେ ମହିଳା ଶାଢ଼ିଗୁଡିକ ଅତି ନିମ୍ନମାନର ହୋଇଥିବାରୁ ଏହାକୁ ପିନ୍ଧିବୁ ନାହିଁ ବୋଲି ରୋକଠୋକ ମନା କରୁଛନ୍ତି । ସାତଦିନ ହେଲା ଉକ୍ତ ଦୁଇଟି ଭିଡ଼ିଓ ଏବଂ ଗୋଟିଏ ଅଡିଓ ପବନ ବେଗରେ ଭାଇରାଲ ହେବାରେ ଲାଗିଛି । ଉଭୟ ଅଡିଓ-ଭିଡିଓ କେଉଁ ସମୟର, କେତେ ପୁରୁଣା ଓ କେଉଁ ଅଞ୍ଚଳର ତାହା ସ୍ପଷ୍ଟ ଜଣାପଡୁନି । ହେଲେ ଏହା ଲୋଇସିଂହା ନିର୍ବାଚନମଣ୍ଡଳୀ ଅଞ୍ଚଳର ବୋଲି ଜଣାପଡୁଛି ।