ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ବିରିଡ଼ିକୁ ରାଜ୍ୟର ଶ୍ରେଷ୍ଠ ଥାନା ମାନ୍ୟତାକୁ ନେଇ ଦ୍ୱନ୍ଦ୍ୱ ! ରାଜ୍ୟ ପୁଲିସ ମୁଖ୍ୟାଳୟ, ଏସ୍‌ସିଆର୍‌ବି ପାଖରେ ନାହିଁ ତଥ୍ୟ

ଜଗତସିଂହପୁର,୧୭/୦୬: କେନ୍ଦ୍ର ଗୃହ  ମନ୍ତ୍ରାଳୟ ପକ୍ଷରୁ ୨୦୨୩ ମସିହା ନିମନ୍ତେ ବିରିଡ଼ିକୁ ରାଜ୍ୟର ଶ୍ରେଷ୍ଠ ଥାନା ଭାବେ ଯୋଗ୍ୟ ବିବେଚିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଗତ ଏପ୍ରିଲ ମାସରେ ବିରିଡ଼ି ଥାନା ମଧ୍ୟ ଶ୍ରେଷ୍ଠ ଥାନା ଭାବେ ପ୍ରମାଣପତ୍ର ଗ୍ରହଣ କରିଥିଲା। ତେବେ ଶ୍ରେଷ୍ଠ  ଥାନାର ମାପଦଣ୍ଡ କ’ଣ ଥିଲା ତାହା ଅନ୍ଧାରରେ  ରହିଯାଇଛି । କାରଣ ସୂଚନା ଅଧିକାର ଆଇନ ବଳରେ ମଧ୍ୟ ଏ ସଂପର୍କିତ ପୂର୍ଣ୍ଣାଙ୍ଗ ତଥ୍ୟ  ମିଳିପାରୁ ନାହିଁ । ରାଜ୍ୟ ପୁଲିସ ମୁଖ୍ୟାଳୟ ତରଫରୁ  ଏସ୍‌ସିଆର୍‌ବି(ଷ୍ଟେଟ୍‌ କ୍ରାଇମ୍‌ ରେକର୍ଡସ୍‌ ବ୍ୟୁରୋ) କୁ ଏହାର ଉତ୍ତର ରଖିବାକୁ ଜଣାଇ ଦିଆଗଲା ।  କିନ୍ତୁ ଏସ୍‌ସିଆର୍‌ବି ଏବେ ଏ ବାବଦ ତଥ୍ୟ ଉପଲବ୍ଧ  ନାହିଁ ବୋଲି ସ୍ପଷ୍ଟ କରିଛି । ଏଣୁ ବିରିଡ଼ିକୁ ରାଜ୍ୟର  ଶ୍ରେଷ୍ଠ ଥାନା ଭାବେ କିଭଳି କେଉଁ ଯୋଗ୍ୟତା  ଆଧାରରେ ବିବେଚନା କରାଗଲା ତାହାକୁ ନେଇ  ସାଧାରଣରେ ବେଶ କୌତୂହଳ ପ୍ରକାଶ ପାଇଛି ।

କେଉଁ ଆଧାରରେ ବିରିଡ଼ିକୁ ରାଜ୍ୟର ଶ୍ରେଷ୍ଠ  ଥାନା ଭାବେ ଚୟନ କରାଗଲା ସେ ସଂପର୍କିତ  ସମସ୍ତ ବିବରଣୀ ଜାଣିବାକୁ ଆର୍‌ଟିଆଇରେ କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଆବେଦନ  କରିଥିଲେ ସାମାଜିକ କର୍ମୀ ଗୋବିନ୍ଦ ଓଝା । ଗତ  ଏପ୍ରିଲ ମାସ ୧୦ ତାରିଖରେ ଆବେଦନ କରାଯିବା  ପରେ ରାଜ୍ୟ ପୁଲିସ ମୁଖ୍ୟାଳୟ ତରଫରୁ  ସେଇ ମାସ ୨୨ ତାରିଖରେ ଏକ ଚିଠି ଜାରି  କରାଯାଇଥିଲା । ଚିଠିରେ ଏ ସଂପର୍କିତ ସୂଚନା  ପ୍ରଦାନ ନିମନ୍ତେ ଭୁବନେଶ୍ୱରସ୍ଥିତ ଏସ୍‌ସିଆର୍‌ବି  ନିର୍ଦ୍ଦେଶକଙ୍କ ଦପ୍ତରର ଜନ ସୂଚନା ଅଧିକାରୀଙ୍କୁ  ଅବଗତ କରାଯାଇଥିବା ଉଲ୍ଲେଖ ହୋଇଥିଲା ।  ଯେହେତୁ ଶ୍ରେଷ୍ଠ ଥାନା ପୁରସ୍କାର ପ୍ରଦାନ ସମାରୋହ  ଏସ୍‌ସିଆର୍‌ବି କାର୍ଯ୍ୟାଳୟ ସହିତ ଜଡ଼ିତ ସେ ଦୃଷ୍ଟିରୁ ଏହି ତଥ୍ୟ ପ୍ରଦାନ ନିମନ୍ତେ ରାଜ୍ୟ ପୁଲିସ  ମୁଖ୍ୟାଳୟ ପକ୍ଷରୁ ଏଭଳି ଚିଠି ଜାରି ହୋଇଥିଲା ।  

ଅପରପକ୍ଷେ ସମୟ ବିତିବା ସତ୍ତେ୍ୱ  ଏସ୍‌ସିଆର୍‌ବି ତରଫରୁ ଏହାର ଉତ୍ତର  ରଖାଯାଇ ନଥିଲା । ଫଳରେ ଶ୍ରୀ ଓଝା ପ୍ରଥମ  ଅପିଲ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ । ଅର୍ଥାତ  ସିଧା ସଳଖ ଭୁବନେଶ୍ୱରସ୍ଥିତ ଏସ୍‌ସିଆର୍‌ବି  କାର୍ଯ୍ୟାଳୟରେ ଅପିଲ କରିଥିଲେ ଗତ ମାସ  ୨୦ ତାରିଖରେ । ଆଶ୍ଚର୍ଯ୍ୟର କଥା, ଏସ୍‌ସିଆର୍‌ବି  ଦପ୍ତର ତରଫରୁ ଏଭଳି ତଥ୍ୟ ଉପଲବ୍ଧ ନଥିବା  ସ୍ପଷ୍ଟ କରାଯାଇଛି । 

ଗତ ୧୦ ତାରିଖରେ ଜାରି  ହୋଇଥିବା ଏ ସଂପର୍କିତ ଏକ ଚିଠି ଶ୍ରୀ ଓଝାଙ୍କ  ହସ୍ତଗତ ହୋଇଛି । ଗୋଟିଏପଟେ ରାଜ୍ୟ  ପୁଲିସ ମୁଖ୍ୟାଳୟ ଶ୍ରୀ ଓଝାଙ୍କ ଆବେଦନପତ୍ରକୁ  ଏସ୍‌ସିଆର୍‌ବିକୁ ପଠାଇଥିବା ବେଳେ ଆରପଟେ  ଏଭଳି ସୂଚନା ଏଠାରେ ନାହିଁ ଏବଂ ଏହା ଆମ  କ୍ଷମତା ପରିସରଭୁକ୍ତ ନୁହେଁ କହି ଏସ୍‌ସିଆର୍‌ବି  କର୍ତ୍ତୃପକ୍ଷ ନିଜ ବାଟ କାଟି ଦେଇଛନ୍ତି । ଫଳରେ  ବିରିଡ଼ିକୁ ରାଜ୍ୟର ଶ୍ରେଷ୍ଠ ଥାନାର ମାନ୍ୟତା କେଉଁ  ମାପଦଣ୍ଡ ଆଧାରରେ ମିଳିଲା ତାହା ସନ୍ଦେହ  ଘେରରେ ବୋଲି ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ଓଝା ।  

ଅନ୍ୟପଟେ ଦେଖିଲେ ଚୋରି,  ସିନ୍ଧିଚୋରି ଭଳି ଏକାଧିକ ପଞ୍ଜିକୃତ ମାମଲାକୁ  ଏଫ୍‌ଆର୍‌ଟି(ଫାଇନାଲ୍‌ ରିପୋର୍ଟ ଟ୍ରୁ ନୋ କ୍ଲୁ) କରି  ଜିଲ୍ଲା ପୁଲିସ ହାତ ଟେକିଦେଉଥିବା ଦେଖାଯାଉଛି ।  ଜିଲ୍ଲାର ସମସ୍ତ ୧୫ଟି ଥାନାର ପୁଲିସ ଏପ୍ରକାର  ଅସହାୟତାକୁ ସ୍ୱୀକାର କରିଛନ୍ତି । ଏଫ୍‌ଆରଟି  ଅର୍ଥ ଘଟଣା ସତ୍ୟ କିନ୍ତୁ କୌଣସି ସୁରାକ୍‌  ପୁଲିସ ହାତରେ ଲାଗିପାରି ନାହିଁ । ଅଧିକାଂଶ  ଚୋରି ମାମଲାକୁ ପୁଲିସ ଏଫ୍‌ଆର୍‌ଟି କରିଥିବାରୁ  ଅଭିଯୋଗକାରୀମାନେ ନ୍ୟାୟରୁ ବଞ୍ଚିତ ରହିଛନ୍ତି ।  

ସେହିପରି ଚୋରି ସମ୍ପତ୍ତି ଜବତ କରିବାରେ ଜିଲ୍ଲା  ପୁଲିସ ଫେଲ ମାରିଛି । ଗଲା ତିନି ବର୍ଷର ଦସ୍ତାବିଜ୍‌  ଉପରେ ନଜର ବୁଲାଇବା ପରେ ଜିଲ୍ଲା ପୁଲିସ  ମୋଟ ୬୩୬ ମାମଲାକୁ ଏଫ୍‌ଆର୍‌ଟି କରି  ଏତଲାକାରୀଙ୍କୁ ହତାଶ କରିଛନ୍ତି । ଏ କ୍ଷେତ୍ରରେ  ବିରିଡ଼ି ଥାନାରେ ୨୦୨୧-୨୨ ଓ ୨୦୨୩ ମସିହାରେ  ପୁଲିସ ମୋଟ ୪୫ଟି ମାମଲାକୁ ଏଫ୍‌ଆରଟି କରି  ଜନସାଧାରଣଙ୍କ ବିଶ୍ୱାସ ହରାଇଛି । 

ଏମିତିକି  ୨୦୨୧-୨୨ ଓ ୨୦୨୩ ମସିହାରେ ବିରିଡ଼ି ଥାନା  ଅଞ୍ଚଳରୁ ୫୨ ଲକ୍ଷ ୬୯ ହଜାର ୪୫୦ ଟଙ୍କାର  ସମ୍ପତ୍ତି ଚୋରି ହୋଇଥିଲା । ହେଲେ ପୁଲିସ କେବଳ  ୧୨ ଲକ୍ଷ ୫ ହଜାର ୭୦୦ ଟଙ୍କାର ଚୋରି ସମ୍ପତ୍ତିର  ସନ୍ଧାନ ଲଗାଇବାରେ ସକ୍ଷମ ହୋଇଥିଲା । ଏସବୁ  ଦୃଷ୍ଟିରୁ ବିରିଡ଼ିକୁ ରାଜ୍ୟର ଶ୍ରେଷ୍ଠ ଥାନା ଭାବେ  ପୁରସ୍କୃତ କରାଯିବା ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.