ଭୁବନେଶ୍ୱର ୦୫/୦୨: କଂଗ୍ରେସ ଟିକଟ ପାଇଁ ଏଥର କାହା ଲବି କାଟୁ କରିବନି । ଯାହାର ଯୋଗ୍ୟତା ଓ ଲୋକପ୍ରିୟତା ଅଛି, ତାଙ୍କୁ ହିଁ ଦଳ ପ୍ରାର୍ଥୀ କରିବ । କଂଗ୍ରେସ ଏଥର ଅନଲାଇନରେ ଟିକଟ ଆବେଦନ ବ୍ୟବସ୍ଥା ଆରମ୍ଭ କରିଛି । ପ୍ରଗମନ ଡଟ୍ ଇନ୍ (www.pragaman.in) ୱେବସାଇଟରେ ଆଶାୟୀମାନେ ନିଜ ଦାବିଦାରୀ ପାଇଁ ଆବେଦନ କରିପାରିବେ । ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଟିକଟ ଆଶାୟୀମାନେ ଆବେଦନ କରିପାରିବେ ।
ଏହି ବ୍ୟବସ୍ଥାକୁ ଆଜି ଶୁଭାରମ୍ଭ କରିଛନ୍ତି ପ୍ରଭାରୀ ଡ. ଅଜୟ କୁମାର । ଏଆଇସିସି ପ୍ରଥମ କରି ଏଭଳି ବ୍ୟବସ୍ଥା ଓଡ଼ିଶାରୁ ଆରମ୍ଭ କରିଛି । କୌଣସି ଦଳ ଏଯାଏଁ ଏଭଳି ସ୍ୱଚ୍ଛ ଟିକଟ ବଣ୍ଟନ ବ୍ୟବସ୍ଥା ଆରମ୍ଭ କରିନଥିବା କହିଛନ୍ତି ଅଜୟ । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ଉଭୟ ଲୋକସଭା ଓ ବିଧାନସଭା ପାଇଁ ଆଶାୟୀମାନେ ଟିକଟ ପାଇଁ ଏହି ବ୍ୟବସ୍ଥାର ସୁଯୋଗ ନେବେ । କଂଗ୍ରେସ ପ୍ରାର୍ଥୀଙ୍କୁ ଲୋକେ ବାଛିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ କଂଗ୍ରେସ ମଧ୍ୟ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଛି । ଅଜୟ କହିଛନ୍ତି, ବିଜେଡି-ବିଜେପି ସମ୍ପର୍କ ଅତି ନିବିଡ଼ ।
ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଷଣରେ ପଦୁଟିଏ ବିଜେଡି ସରକାର ବିରୋଧରେ କହିନାହାନ୍ତି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କର ମିତ୍ର ବୋଲି ମୋଦି ସମ୍ବୋଧନ କରିଛନ୍ତି । ପୂର୍ବରୁ ମୋଦି ଅନ୍ୟ କୌଣସି ଦଳର ମୁଖ୍ୟମନ୍ତ୍ରୀଙ୍କୁ ସେ ଏଭଳି ସମ୍ବୋଧନ କରିନାହାନ୍ତି । ଏଥିରୁ ପ୍ରମାଣିତ ହେଉଛି- କଂଗ୍ରେସ ଯାହା କହୁଛି, ପୂରା ସତ । ବିଜେଡି-ବିଜେପି ଟିକଟ ନିଷ୍ପତ୍ତି ଦିଲ୍ଲୀରେ ବସି ଅମିତ ଶାହ ନେଉଛନ୍ତି । କଟକ ଲୋକସଭାରେ ବିଜେପିରୁ କିଏ ଲଢ଼ିବେ, ସେ ନେଇ ବିଜେଡି ଯୋଜନା କରୁଛି ବୋଲି ଅଜୟ ଅଭିଯୋଗ କରିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ବିଭାଗ ମୁଖ୍ୟ ବିଶ୍ୱରଂଜନ ମହାନ୍ତି, ପ୍ରୋଜେକ୍ଟ ପ୍ରଗମନର ଅଧ୍ୟକ୍ଷ ପ୍ରବୀଣ ପାଠକ, କଂଗ୍ରେସ ସହପ୍ରଭାରୀ ଖ୍ରୀଷ୍ଟଫର ତିଲକ, ଗଣମାଧ୍ୟମ ସଂଯୋଜକ ବବିତା ଶର୍ମା, ସୁମିତ ଦୁବେ ପ୍ରମୁଖ ଉପସ୍ଥିତ ଥିଲେ ।