ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ଉତ୍ତରକାଶୀର ଟନେଲ ଟ୍ରାଜେଡି: ଆରଏସ୍‌ପିରୁ ଗଲା ସ୍ବତନ୍ତ୍ର ପାଇପ୍, ଏୟାର ଲିଫ୍ଟ୍ କଲା ବାୟୁସେନା

ରାଉରକେଲା ୨୧/୧୧: ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ସୁଡ଼ଙ୍ଗ ଧସିବା ଯୋଗୁ ୯ ଦିନ ହେଲା ଫସି ରହିଛନ୍ତି ୪୧  ଜଣ ଶ୍ରମିକ। ଏହି ଶ୍ରମିକମାନଙ୍କୁ ଉଦ୍ଧାର ଲାଗି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ନିର୍ଦ୍ଦେଶକ୍ରମେ ରାଉରକେଲା ଇସ୍ପାତ କାରଖାନା (ଆରଏସ୍‌ପି) ରୁ ସ୍ୱତନ୍ତ୍ର ସ୍ପାଇରାଲ ୱେଲ୍ଡ ପାଇପ ବାୟୁସେନାର ବିମାନ ଯୋଗେ ଉତ୍ତରକାଶୀକୁ ସୋମବାର ପଠାଯାଇଛି ।  

ସୋମବାର ରାଉରକେଲାକୁ ବାୟୁସେନାର ଦୁଇଟି  ବିମାନ ଆସିଥିବା ବେଳେ ଆଜି ଆଉ  ଦୁଇଟି ବିମାନ ଆସିବ ବୋଲି ଜଣାପଡ଼ିଛି । ସୁଡ଼ଙ୍ଗ ଧସିବା ପରେ ଶ୍ରମିକମାନଙ୍କୁ ଉଦ୍ଧାର ଲାଗି ଏନ୍‌ଡିଆରଏଫ୍‌, ଏସ୍‌ଡିଆରଏଫ୍‌ ଏବଂ ସେନାର ଯବାନମାନେ ମୁତୟନ ହୋଇଛନ୍ତି । ଫସି ରହିଥିବା ଶ୍ରମିକମାନଙ୍କ ମଧ୍ୟରେ ପ୍ରାୟ  ୫ ଜଣ ଓଡ଼ିଆ ଶ୍ରମିକ ଅଛନ୍ତି । ଉଦ୍ଧାର କାର୍ଯ୍ୟରେ ସମସ୍ତ ଆବଶ୍ୟକ ମେସିନ ଯୋଗାଇ ଦିଆଯାଇଛି । ଶ୍ରମିକମାନଙ୍କୁ ସୁରକ୍ଷିତ ଉଦ୍ଧାର  କରିବା ଲାଗି ସ୍ୱତନ୍ତ୍ର ସ୍ପାଇରାଲ ୱେଲ୍ଡ ପାଇପ  ଆବଶ୍ୟକ ପଡ଼ୁଛି । ଏହି ପାଇପ କେବଳ ଆରଏସ୍‌ପିରେ ତିଆରି ହେଉଥିବାରୁ ଆଜି  ସକାଳେ ପିଏମ୍‌ଓ କାର୍ଯ୍ୟାଳୟ ପକ୍ଷରୁ ଏକ  ନିର୍ଦ୍ଦେଶନାମା ସେଲ୍‌ କର୍ତ୍ତୃପକ୍ଷଙ୍କ ନିକଟକୁ ଆସିଥିଲା । ଏହି ନିର୍ଦ୍ଦେଶନାମା ଆରଏସ୍‌ପି  କର୍ତ୍ତୃପକ୍ଷ ପାଇବା ପରେ ପାଇପଗୁଡ଼ିକୁ ତୁରନ୍ତ  ଟ୍ରେଲରରେ ଲୋଡ଼ କରାଯାଇ ରାଉରକେଲା ବିମାନ ବନ୍ଦରକୁ ନିଆଯାଇଥିଲା ।   

ବାୟୁସେନାର ପ୍ରଥମ ବିମାନ ସକାଳ ୯.୪୦  ମିନିଟ୍‌ରେ ବିମାନ ବନ୍ଦରରେ ପହଞ୍ଚିଥିଲା ।  ସେଥିରେ ୬ଟି ୧୨ ଫୁଟ ଲମ୍ବର ପାଇପ ଲୋଡ଼ କରାଯାଇଥିଲା । ଦିନ ୧୨ଟା ସମୟରେ ପାଇପ ନେଇ ବିମାନ ଉତ୍ତରକାଶୀ ଅଭିମୁଖେ ବାହାରିଥିଲା । ଏହା ପରେ ଦ୍ୱିତୀୟ ବିମାନ  ଅପରାହ୍ନ ୧.୩୦ ମିନିଟ୍‌ ସମୟରେ ଏଠାରେ  ପହଞ୍ଚିଥିଲା । ସେଥିରେ ମଧ୍ୟ ୬ଟି ପାଇପ୍‌  ଲୋଡ଼ କରାଯାଇଥିଲା । ଅପରାହ୍ନ ୪ଟା ସମୟରେ ବିମାନ ଘଟଣା ସ୍ଥଳକୁ ଯାଇଥିଲା ।  ସଂଧ୍ୟାରେ ଆଉ ଏକ ବିମାନ ଆସି ବିମାନ  ବନ୍ଦରରେ ପହଞ୍ଚିଛି । ରାତି ହୋଇଯାଇଥିବାରୁ ପାଇପ ଲୋଡ଼ ହୋଇ ପାରିନଥିଲା । ମଙ୍ଗଳବାର ସକାଳେ ପାଇପ୍‌ ନେଇ ବିମାନ ଉଡ଼ିବ ବୋଲି  ଜଣାପଡ଼ିଛି । 

ମିଳିଥିବା ସୂଚନାନୁସାରେ ସ୍ପାଇରାଲ ୱେଲ୍ଡ ପାଇପର ଡାଏମିଟର ବଡ଼ ଥିବାରୁ ଜଣେ ମଣିଷ ସେହି ପାଇପ ଦେଇ  ଭିତରକୁ ପଶି ପାରିବ। ସୁଡ଼ଙ୍ଗର ଯେଉଁ  ସ୍ଥାନରେ ଶ୍ରମିକମାନେ ଫସି ରହିଛନ୍ତି ସେହି  ସ୍ଥାନରେ ଏହି ପାଇପ ବ୍ୟବହାର କରାଯିବ ।  ଉତ୍ତରକାଶୀକୁ ମୋଟ ୨୫ଟି ପାଇପ ଯିବ ।  ଗୋଟିଏ ଦିନରେ ଦୁଇଟି ବିମାନ ଯୋଗେ  ୧୨ଟି ପାଇପ ଯାଇଛି । ବାକି ପାଇପ ଆଜି ଦୁଇଟି ବିମାନରେ ଯିବ ବୋଲି ଜଣାପଡ଼ିଛି ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.