କୋଲକାତା ୧୩/୦୨ : ବର୍ଷୀୟାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଗତକାଲି ଅପରାହ୍ନରେ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି । କହିଛନ୍ତି ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କର ଆଉ କିଛି ଅସୁବିଧା ନାହିଁ । ସେ ତାଙ୍କର ଖାଦ୍ୟ ଅଭ୍ୟାସକୁ ନିୟନ୍ତ୍ରଣ କରିବେ । ଦେଖାଯାଉ କଣ ହେଉଛି । ଖୁବଶୀଘ୍ର ସେ ତାଙ୍କର କାମ ଆରମ୍ଭ କରିବେ । ସମ୍ଭବତଃ ଆସନ୍ତାକାଲି ଠାରୁ ସୁଟିଂ ଆରମ୍ଭ ହେବ ବୋଲି ସେ କହିଛନ୍ତି ।
ଅସୁସ୍ଥ ହୋଇପଡିବାରୁ ୭୩ ବର୍ଷୀୟ ମିଥୁନଙ୍କୁ ଗତ ୧୦ ତାରିଖରେ କୋଲକାତାର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ବ୍ୟାପକ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେ ଇସ୍କେମିକ ସେରେବ୍ରୋଭାସ୍କୁଲାର ଷ୍ଟ୍ରୋକରେ ପୀଡିତ ଥିବା ଜଣାପଡିଥିଲା । ଅକ୍ସିଜେନଯୁକ୍ତ ରକ୍ତକୁ ମସ୍ତିଷ୍କରେ ପହଞ୍ଚାଉଥିବା ଧମନିରେ ବ୍ଲକେଜ ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା । ସେଠାରେ ଏକ ବିଶେଷଜ୍ଞ ଡାକ୍ତର ଟିମ୍ ତାଙ୍କର ଚିକିତ୍ସା କରିଥିଲେ । ମିଥୁନ ହସ୍ପିଟାଲରେ ଭର୍ତ୍ତି ହେବା ଖବର ତାଙ୍କର କୋଟି କୋଟି ପ୍ରଶଂସକଙ୍କୁ ବ୍ୟଥିତ କରିଥିଲା । ରାଜ୍ୟ ବିଜେପି ନେତାମାନେ ହସ୍ପିଟାଲ ଯାଇ ତାଙ୍କୁ ଭେଟିଥିଲେ ।