ପ୍ରମୂଖ ଖବର
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚନ୍ଦ୍ରସାରଥୀଙ୍କ ନଜରରେ ସାଲେପୁର ନା ସଦର, ଭୋଟର୍‌ ବି ଦ୍ୱନ୍ଦ୍ୱରେ

କଟକ,୨୭/୧୧: କଟକ ସଦର ବିଧାନସଭା ନିର୍ବାଚନମଣ୍ଡଳୀର ଦୁଇଦୁଇ ଥରର ବିଧାୟକ । ଅନ୍ୟପଟେ ମୂଳ ସଂଗଠନ ସାଲେପୁରରେ । ସେଠାକାର ବିଧାୟକ, ବ୍ଲକ୍‌ ଚେୟାରମ୍ୟାନ ବି ଥିଲେ । ତେଣୁ ସାଲେପୁରର ମୋହ ତୁଟୁନି । ସେଠାକାର ଅଭ୍ୟନ୍ତରୀଣ ରାଜନୀତିରେ ରହୁଛି ପ୍ରତ୍ୟକ୍ଷ ପ୍ରଭାବ । ଏଣେ କିନ୍ତୁ କଟକ ସଦରକୁ ବି’ ଛାଡ଼ି ପାରୁନାହାନ୍ତି । କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କ ଏଭଳି ସ୍ଥିତିକୁ ନେଇ ଦୁଇ ନିର୍ବାଚନମଣ୍ଡଳୀ ବିଶେଷ କରି ସଦର ନିର୍ବାଚନ ମଣ୍ଡଳୀ ଭୋଟର୍‌ ଦ୍ୱନ୍ଦ୍ୱରେ ରହୁଛନ୍ତି । ସେହି ଏକା କାରଣରୁ ସଦର ବିଜେଡି ସଙ୍ଗଠନରେ ବି ବିରୋଧାଭାସ ରହୁଛି ।

 କଟକ ସଦର ବିଧାନସଭା ନିର୍ବାଚନମଣ୍ଡଳୀର ଭୌଗୋଳିକ ପରିସୀମା ଜଗତସିଂହପୁର ଜିଲ୍ଲାର ତାରପୁର ନିକଟରୁ ଆରମ୍ଭ ହୋଇ କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି, ସାଲେପୁରରୁ ବାଙ୍କୀ, ନିଆଳିକୁ ଛୁଉଁଛି । ଏହି ବିଧାନସଭାରେ କଟକ ମହାନଗର ନିଗମର ୬ଟି ୱାର୍ଡ ଥିଲାବେଳେ ନିଶ୍ଚିନ୍ତକୋଇଲିର ୨୩ଟି ପଞ୍ଚାୟତ ଏବଂ କଟକ ସଦରର ୧୪ଟି ପଞ୍ଚାୟତ ରହିଛି । ସାଲେପୁରରେ ଜନ୍ମଗ୍ରହଣ କରିଥିବା ବିଧାୟକ ଶ୍ରୀ ବେହେରା ୨୦୧୪ରେ କଟକ ସଦରକୁ ଆସିବା ପୂର୍ବରୁ ୨୦୦୨ରୁ ସାଲେପୁର ନରାଦା ପଞ୍ଚାୟତରୁ ସମିତି ସଭ୍ୟ ଭାବେ ଜିତି ୨୦୦୭ ପର୍ଯ୍ୟନ୍ତ ସାଲେପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ରହିଥିଲେ । ପରେ ତାଙ୍କ ମା’ ପ୍ରମିଳା ବେହେରା ଦୀର୍ଘବର୍ଷ ଧରି ସାଲେପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦରେ ରହିଥିଲେ । ୨୦୦୯ରେ ଚନ୍ଦ୍ରସାରଥୀ ସାଲେପୁରରୁ ବିଜେଡ଼ିରୁ ପ୍ରାର୍ଥୀ ଭାବେ ବିଜୟଲାଭ କରିଥିଲାବେଳେ ସେହି ସମୟରେ ତାଙ୍କ ବାପା ପୂର୍ବତନ ମନ୍ତ୍ରୀ କାଳନ୍ଦୀ ବେହେରା କଟକ ସଦରରୁ ଟିକେଟ୍‌ ପାଇ ବିଜୟଲାଭ କରିଥିଲେ । ସେହିଦୃଷ୍ଟିରୁ ଦେଖିବାକୁ ଗଲେ ସାଲେପୁର ବିଧାନସଭା କ୍ଷେତ୍ର ସଂପୂର୍ଣ୍ଣ ଭାବେ ତାଙ୍କ ପରିବାର ହାତରେ ରହିଥିଲା । ତେଣୁ ଦଳୀୟ ବାଧ୍ୟବାଧକତାରେ ଚନ୍ଦ୍ରସାରଥୀଙ୍କୁ ୨୦୧୪ରେ ସାଲେପୁର ଛାଡ଼ି କଟକ ସଦରକୁ ଆସିବାକୁ ପଡ଼ିଥିଲା । ଦୁଇ ପାଳି ହେଲା ସେ ଏଠାରେ ବିଧାୟକ ଭାବେ ଜିତି ଆସୁଛନ୍ତି । 

  ୨୦୧୪ଠାରୁ ଚନ୍ଦ୍ରସାରଥୀ ସାଲେପୁର ଛାଡ଼ି ଥିଲେ ମଧ୍ୟ ସେଠାକାର ମୋହ ତୁଟିନାହିଁ । ଏମିତିକି ସାଲେପୁର ବିଧାନସଭା କ୍ଷେତ୍ରରେ ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ବିରୋଧରେ ସମାନ୍ତରାଳ ସଙ୍ଗଠନଟିଏ ଚନ୍ଦ୍ରସାରଥୀଙ୍କ ଇସାରାରେ ଚାଲିଥିବା ବୋଲି ମଧ୍ୟ ଅଭିଯୋଗ ଉଠେ । କୁହାଯାଏ ଏବେ ବି ଚନ୍ଦ୍ରସାରଥୀଙ୍କ ଫୋକସ୍‌ରେ ସାଲେପୁର ରହିଛି । ସେହିକାରଣରୁ ବି କଟକ ସଦର ବିଧାନସଭା କ୍ଷେତ୍ର ଗତ ସିଏମ୍‌ସି ନିର୍ବାଚନରେ ବିଜେଡି ଅଧିକାଂଶ ୱାର୍ଡରେ ପରାଜୟର ସାମ୍ନା କରିବାକୁ ପଡିଥିଲା ବୋଲି କୁହାଏ । ସିଏମ୍‌ସି ନିର୍ବାଚନରେ ୬ଟି ୱାର୍ଡ଼ରୁ ଚାରିଟି ୱାର୍ଡରେ ବିଜେଡି ପରାଜୟର ସାମ୍ନା କରିଥିଲା । ସେହିପରି କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନକୁ ନେଇ ଦୀର୍ଘଦିନ ବିବାଦ ଲାଗି ରହିବା ବିଧାୟକଙ୍କ ଅପାରଗତାକୁ ପଦାରେ ପକାଇ ଦେଇଥିଲା । 

  ଅପରପକ୍ଷରେ ବିଧାୟକଙ୍କ ସାଲେପୁର ମୋହ ଏବେ କଟକ ସଦର ଭୋଟର୍‌ ମନରେ ସନ୍ଦେହ ସୃଷ୍ଟି କରୁଛି । ନିକଟରେ ବିଧାୟକଙ୍କ ପକ୍ଷରୁ କିଶୋରନଗର ନିକଟ ମହାନଦୀରେ ‘ମହାନଦୀ ମହୋତ୍ସବ’ କରାଯାଇଥିଲା । ଏଥିରେ କଟକ ସଦର ଅଞ୍ଚଳର ଯେତିକି ସମ୍ପୃକ୍ତି ନଥିଲା ସାଲେପୁର ପଟୁ ବେଶୀ ସମ୍ପୃକ୍ତି ଥିବା ଦେଖାଯାଇଥିଲା । ଏହି ଉତ୍ସବ ବେଶ୍‌ ଆକର୍ଷଣୀୟ ମଧ୍ୟ ହୋଇଥିଲା । ଅନ୍ୟପକ୍ଷରେ  କଟକ ସଦର ତେଲେଙ୍ଗାପୀଠସ୍ଥିତ ‘ଗାନ୍ଧୀ ସ୍ମୃତି ପୀଠ’ରେ ସ୍ୱର୍ଗତଃ କାଳନ୍ଦୀ  ବେହେରାଙ୍କ ଦ୍ୱାରା ସ୍ୱତନ୍ତ୍ର ଉତ୍ସବ ଓ ପ୍ରଦର୍ଶନୀ ଆରମ୍ଭ ହୋଇଥିଲା । ଏହି ପ୍ରଦର୍ଶନୀ ପ୍ରାୟ ୫ଦିନ ଧରି ଚାଲିଥିଲା । ଏବେ ଏହି ଉତ୍ସବ ୨/୩ ଦିନକୁ ଖସି ଆସିଲାଣି । ବିଧାୟକଙ୍କ ଦ୍ୱାରା ଏହି ପ୍ରଦର୍ଶନୀ କାର୍ଯ୍ୟକ୍ରମ କିଛି ଦିନ ଧରି ଚାଲିବା ପରେ ବନ୍ଦ ହୋଇଯାଇଥିଲା । ଗତବର୍ଷ ଏହି ଉତ୍ସବ ହୋଇଥିଲେ ମଧ୍ୟ ସେଭଳି ଆକର୍ଷଣୀୟ ହୋଇପାରି ନଥିଲା । ଅବଶ୍ୟ ଚଳିତ ବର୍ଷ ଏହି ଉତ୍ସବ ବେଶ୍‌ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ପାଖେଇ ଆସିଥିବାରୁ ବିଧାୟକଙ୍କ ଏହି ଉତ୍ସବ ତଥା ଗାନ୍ଧୀ ପୀଠ କଥା ମନେ ପଡ଼ିଗଲା ବୋଲି କୁହାଯାଉଛି । ଉଭୟ ବିଧାନସଭା କ୍ଷେତ୍ରରେ ବିଧାୟକଙ୍କ ସଂପୃକ୍ତି ଓ ସକ୍ରିୟତା ବିଜେଡି ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.