ନୂଆଦିଲ୍ଲୀ, ୨୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୩୦ରେ ବିଭିନ୍ନ ବିଭାଗରେ ନୂତନ ଭାବେ ନିଯୁକ୍ତି ପାଇଥିବା ୫୧,୦୦୦ କର୍ମଚାରୀଙ୍କୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ନିଯୁକ୍ତିପତ୍ର ବାଣ୍ଟିବେ । ଏ ଅବସରରେ ସେ ନବନିଯୁକ୍ତଙ୍କୁ ସମ୍ବୋଧିତ କରିବେ । ସାରା ଦେଶରେ ୩୭ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ କରାଯାଇ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯିବ । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ତଥା ରାଜ୍ୟ ସରକାର/କେନ୍ଦ୍ର ଶାସିତ ଅଞ୍ଚଳରେ ନିଯୁକ୍ତି ପ୍ରଦାନ କରାଯାଉଛି । ଦେଶର ରାଜସ୍ୱ ବିଭାଗ, ଗୃହ ମନ୍ତ୍ରାଳୟ, ଉଚ୍ଚଶିକ୍ଷା ବିଭାଗ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ଆର୍ଥିକ ସେବା ବିଭାଗ, ପ୍ରତିରକ୍ଷା ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏବଂ ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ସମେତ ବିଭିନ୍ନ ମନ୍ତ୍ରାଳୟ ଏବଂ ବିଭାଗରେ ଏହି ନୂତନ ନିଯୁକ୍ତି ମିଳିବ ।
ରୋଜଗାର ମେଳା ହେଉଛି ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ ଏକ ପଦକ୍ଷେପ । ଏହା ଅଧିକ ନିଯୁକ୍ତି ସୃଷ୍ଟିରେ ଏକ ଉତ୍ପ୍ରେରକ ଭାବେ କାର୍ଯ୍ୟ କରିବ ଏବଂ ଯୁବପିଢ଼ିଙ୍କୁ ସଶକ୍ତ କରିବା ସହ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ । ଆଇଜିଓଟି କର୍ମଯୋଗୀ ପୋର୍ଟାଲର ଅନ୍ଲାଇନ୍ ମଡ୍ୟୁଲ କର୍ମଯୋଗୀର ପ୍ରାରମ୍ଭ ମାଧ୍ୟମରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ପ୍ରଶିକ୍ଷଣ ନେବାର ସୁଯୋଗ ପାଉଛନ୍ତି, ଯେଉଁଠାରେ ଡିଭାଇସ୍ ଶିକ୍ଷଣ ଫର୍ମାଟ ପାଇଁ ୮୦୦ରୁ ଅଧିକ ଇ-ଲର୍ଣ୍ଣିଂ ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି ।