ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଏନସିଇଆରଟି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ ଯୋଗେନ୍ଦ୍ର ଯାଦବ ଏବଂ ସୁହାସ ପଲଶୀକର

Image Courtesy: timesofindia

ନୂଆଦିଲ୍ଲୀ: ସଂଶୋଧିତ ଏନସିଇଆରଟି ପାଠ୍ୟପୁସ୍ତକକୁ ନେଇ ବିବାଦ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ବିଶିଷ୍ଟ ଶିକ୍ଷାବିତ ଯୋଗେନ୍ଦ୍ର ଯାଦବ ଏବଂ ସୁହାସ ପଲଶୀକର ଏନସିଇଆରଟି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି । ସହମତି ବିନା ଏନସିଇଆରଟି, ଯାଦବ ଏବଂ ପଲଶୀକରଙ୍କ ନାମରେ ସଂଶୋଧିତ ପୁସ୍ତକ ପ୍ରକାଶ କରିବାକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି ।  ଯାଦବ ଏବଂ ପଲଶୀକର ଏନସିଇଆରଟି ମୁଖ୍ୟଙ୍କୁ ପତ୍ର ଲେଖି ଏହା ଉପରେ ଆପତ୍ତି ଉଠାଇଛନ୍ତି । 

ପାଠ୍ୟପୁସ୍ତକକୁ ବିକୃତ କରିବା ଏବଂ ବିନା ଅନୁମତିରେ ସେମାନଙ୍କ ନାମରେ ବହି ପ୍ରକାଶ କରିବା ପାଇଁ ଏନସିଇଆରଟି ପାଖରେ କୌଣସି ଅଧିକାର ନାହିଁ ବୋଲି  ଯୋଗେନ୍ଦ୍ର ଯାଦବ ଏବଂ ସୁହାସ ପଲଶୀକର କହିଛନ୍ତି । ତେବେ ଯୋଗେନ୍ଦ୍ର ଯାଦବ ଏବଂ ସୁହାସ ପଲଶୀକର ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ରାଜନୀତି ବିଜ୍ଞାନ ପାଠ୍ୟପୁସ୍ତକର ମୁଖ୍ୟ ପରାମର୍ଶଦାତା ଥିଲେ । ପୂର୍ବରୁ ସୁହାସ ପଲଶୀକର ଏବଂ ଯୋଗେନ୍ଦ୍ର ଯାଦବ ପାଠ୍ୟପୁସ୍ତକରୁ ସେମାନଙ୍କ ନାମ ହଟାଇବା ଲାଗି ଏନସିଇଆରଟି ମୁଖ୍ୟ ଦିନେଶ ପ୍ରସାଦ ସକଲାନୀଙ୍କୁ ଅନୁରୋଧ ମଧ୍ୟ କରିଥିଲେ । ଏହା ସତ୍ବେ ଏନସିଇଆରଟି ଦୁହିଁଙ୍କ ନାଁରେ ସଂଶୋଧିତ ଏବଂ ବିବାଦୀୟ ପୁସ୍ତକ ପ୍ରକାଶ କରିଥିବା ଅଭିଯୋଗ ହୋଇଛି ।  

ସଂଶୋଧନ ହେବା ପରେ ବଜାରରେ ଉପଲବ୍ଧ ଏନସିଇଆରଟି ପୁସ୍ତକରେ ବିଜେପିର ‘ରଥ ଯାତ୍ରା’ ଏବଂ ବାବରି ମସଜିଦ ଧ୍ବଂସ ହେବା ସଂପର୍କରେ କମ୍‌ ତଥ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି । ଏହା ସହ ରାମ ମନ୍ଦିର ନିର୍ମାଣ ଲାଗି ସୁପ୍ରିମକୋର୍ଟଙ୍କ ଫଇସଲାକୁ ପ୍ରମୁଖତାର ସହ ସ୍ଥାନୀତ କରାଯାଇଥିବା କୁହାଯାଉଛି । ଦ୍ବାଦଶ ଶ୍ରେଣୀର ସଂଶୋଧିତ ରାଜନୀତି ବିଜ୍ଞାନ ପୁସ୍ତକରେ ବାବରି ମସଜିଦକୁ ‘୩ଟି ଗମ୍ବୁଜ ଥିବା ସଂରଚନା’ ବୋଲି ଉଲ୍ଲେଖ କରାଯାଇଛି । ତେବେ ସଂଶୋଧିତ ପୁସ୍ତକ ସଂପର୍କରେ କୌଣସି ପରାମର୍ଶ ନନେଇ ସେମାନଙ୍କ ନାମ ବ୍ୟବହାର କରିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଯୋଗେନ୍ଦ୍ର ଯାଦବ ଏବଂ ସୁହାସ ପଲଶୀକର । 

 ସେପଟେ ନୂଆ ପାଠ୍ୟପୁସ୍ତକକୁ ନେଇ ବିବାଦ ଉଗ୍ର ରୂପ ଧାରଣ କରିବା ପରେ ଏନସିଇଆରଟିର ନିର୍ଦ୍ଦେଶକ ଦିନେଶ ପ୍ରସାଦ ସକଲାନୀ ସ୍ପଷ୍ଟୀକରଣ ଦେଇଛନ୍ତି । ଏହା ସହ ଏହି ପରିବର୍ତ୍ତନ ନିୟମିତ ବ୍ୟବଧାନରେ କରାଯାଏ ବୋଲି ସେ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.