ବାରଙ୍ଗ,୧୪/୦୭: ସୋମବାର ବିଶ୍ୱ ସିମ୍ପାଞ୍ଜି ଦିବସ । ସିମ୍ପାଞ୍ଜିମାନଙ୍କ ସୁରକ୍ଷା, ବଂଶ ବୃଦ୍ଧି ପାଇଁ ଏହି ଦିବସ ପାଳନ କରାଯାଉଛି । କିନ୍ତୁ ନନ୍ଦନକାନନରେ ଏହି ସିମ୍ପାଞ୍ଜିଙ୍କ ବଂଶ ବୃଦ୍ଧିରେ ଏବେ ରୋକ ଲାଗିଛି ।
୧୯୯୪ ମେ ୧୬ରେ ପ୍ରଥମ କରି ଏଠାକୁ ସିଙ୍ଗାପୁର ଚିଡିଆଖାନାରୁ ୪ବର୍ଷର ଅଣ୍ଡିରା ସିମ୍ପାଞ୍ଜି "ଜୁଲୁ' ଓ ୩ବର୍ଷର ମାଈ ସିମ୍ପାଜି "ପମ୍ପେଟା'କୁ ଅଣାଯାଇଥିଲା । ୧୯୯୮ରେ ସେମାନଙ୍କ ମିଳନ କରାଯାଇଥିଲା । ପ୍ରଥମ ଥର ସେହି ବର୍ଷ ମେ ୧୨ ତାରିଖରେ ‘ପମ୍ପେଟା’ ଏକ ମାଈ ଛୁଆ ଜନ୍ମ ଦେଇଥିଲା । ସିମ୍ପାଞ୍ଜି ବଂଶ ବୃଦ୍ଧିରେ ନନ୍ଦନକାନନ ଏକ ନୂତନ ଅଧ୍ୟାୟ ସୃଷ୍ଟି କଲା । ଏହି ପରି ସିମ୍ପାଞ୍ଜି ସଂଖ୍ୟା ୧୫ରେ ପହଞ୍ଚିଥିଲା । ମାତ୍ର ୨୦୨୪ ଡିସେମ୍ବର ୩୦ ରେ ୩୬ ବର୍ଷୀୟ ଅଣ୍ଡିରା ସିମ୍ପାଞ୍ଜି ‘ଜୁଲୁ’ର ମୃତ୍ୟୁ ହୋଇଥିଲା । ଜୁଲୁର ମୃତ୍ୟୁ ପରେ ପ୍ରାଣୀ ଉଦ୍ୟାନରେ ୩ଟି ଅଣ୍ଡିରା ସିମ୍ପାଞ୍ଜି ଅଛନ୍ତି, କିନ୍ତୁ ସେମାନେ ଏବେ ଛୋଟ । ସବୁଠୁ ବଡ଼ ଅଣ୍ଡିରା ସିମ୍ପାଞ୍ଜି ‘ରାଜା’ର ବୟସ ସାଢ଼େ ୪ ବର୍ଷ । ଅନ୍ୟ ଦୁଇଟି ହେଲେ ପୁଷ୍ପ ଓ ସୁରଜ । ସେମାନଙ୍କ ବୟସ ଯଥାକ୍ରମେ ସାଢ଼େ ୬ ମାସ ଓ ସାଢ଼େ ୫ ମାସ । ରାଜା ପ୍ରାପ୍ତ ବୟସ୍କ ହେବାକୁ ଆହୁରି ୫ ବର୍ଷ ଲାଗିବ ।
ସେହିପରି ରକ୍ତ ସମ୍ପର୍କ ମିଳନ ପାଇଁ ଜନ୍ମିତ ଶାବକମାନେ ରୋଗିଣା ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । ତେଣୁ କର୍ତ୍ତୃପକ୍ଷ ଯଦି ଅନ୍ୟ ଚିଡ଼ିଆଖାନାରୁ ଅଣ୍ଡିରା ସିମ୍ପାଞ୍ଜି ନ ଆଣନ୍ତି, ତେବେ ଆସନ୍ତା ପ୍ରାୟ ୫ ବର୍ଷ ପର୍ଯ୍ୟନ୍ତ ଏମାନଙ୍କ ବଂଶ ବୃଦ୍ଧି ହୋଇପାରିବ ନାହିଁ । ନନ୍ଦନକାନନରେ ଏବେ ୮ଟି (ପମ୍ପେଟା, ପୂର୍ଣ୍ଣିମା, ଦୁର୍ଗା, ଲକ୍ଷ୍ମୀ, ରାଜା, ରାକ୍ଷୀ, ପୁଷ୍ପା ଓ ସୁରଜ) ସିମ୍ପାଞ୍ଜି ଅଛନ୍ତି। ପ୍ରାଣୀ ଉଦ୍ୟାନର ୬୦(କ) ଖୁଆଡ଼ରେ ରହୁଛନ୍ତି ସିମ୍ପାଞ୍ଜି । ଏମାନେ ସବୁ ଜୀବଜନ୍ତୁଙ୍କଠାରୁ ନିଆରା । ମଣିଷ ଭଳି ଖାଦ୍ୟପେୟ ଓ ଚାଲିଚଳନ । ଏମାନେ ପର୍ଯ୍ୟଟକମାନଙ୍କର ଅଧିକ ମନୋରଞ୍ଜନ କରିଥାନ୍ତି । ତେଣୁ ଏହି ସିମ୍ପାଞ୍ଜି ଦିବସରେ କର୍ତ୍ତୃପକ୍ଷ ଏମାନଙ୍କ ବଂଶ ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପଶୁ ପ୍ରେମୀମାନେ ମତବ୍ୟକ୍ତ କରିଛନ୍ତି ।