ଭୁବନେଶ୍ଵର, ୧୪/୦୭ : ବଡ଼ ବର୍ଷା ଆଣୁଛି ଯୋଡ଼ା ଲଘୁଚାପ। ରାଜ୍ୟରେ ଡବଲ୍ ଲଘୁଚାପ ସକ୍ରିୟ। ଆସନ୍ତା ୧୯ ଯାଏଁ ରାଜ୍ୟରେ ବିକ୍ଷିପ୍ତ ଅଞ୍ଚଳରେ ବର୍ଷା ସମ୍ଭାବନା। ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି କରିଛି ଆଇଏମଡି। ସେପଟେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବଢୁଛି ଜଳବନ୍ଦୀ ସମସ୍ୟା। ଏନେଇ ପୂର୍ବ ସରକାରଙ୍କୁ ଦୋଷ ଲଦିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।
ରାଜସ୍ୱ ମନ୍ତ୍ରୀ କହିଛନ୍ତି, ପୂର୍ବ ସରକାରର ଭୁଲ ପାଇଁ ବର୍ଷା ଜଳ ନିଷ୍କାସନ ହୋଇ ପାରୁନି। ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ବିଭିନ୍ନ ନଦୀର ଗତିପଥ ସଫା କରିବା ପାଇଁ ସରକାର ଯୋଜନା କରୁଛନ୍ତି। ଖୁବଶୀଘ୍ର ସରକାର ନଦୀ ସଫେଇ ଅଭିଯାନ ଆରମ୍ଭ କରିବେ। ବିଭିନ୍ନ କାରଣରୁ ନଦୀର ଗତିପଥ ଅବରୋଧ ଥିବାରୁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜଳ ନିଷ୍କାସନ ସମସ୍ୟା ବଢି ଚାଲିଛି। ତେଣୁ ଆଗାମୀ ୫୦ ବର୍ଷକୁ ଆଖିରେ ରଖି ସରକାର ଯୋଜନା କରୁଛନ୍ତି।
ରାଜସ୍ୱ ମନ୍ତ୍ରୀ କହିଛନ୍ତି, ଆସୁଥିବା ବଡ଼ ବର୍ଷା ପାଇଁ ପ୍ରସ୍ତୁତି ବୈଠକ ହୋଇଛି। ସରକାର ଆଗାମୀ ୪୮ ଘଣ୍ଟାର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ପ୍ରବଳ ବର୍ଷା ହେବ କିନ୍ତୁ ବଡ଼ ବନ୍ୟା ସ୍ଥିତି ଉପୁଜିବ ନାହିଁ । ନଦୀଗୁଡିକ ସତର୍କ ସଙ୍କେତଠୁ ମଧ୍ୟ ତଳେ ରହିଛି କିନ୍ତୁ କିଛି ସ୍ଥାନରେ ପାଣି ପଶିବାର ସମ୍ଭାବନା ରହିଛି। ବିଶେଷ କରି ସହରାଞ୍ଚଳ ଲୋକେ ସତର୍କ ରହିବାର ଆବଶ୍ୟକତା ରହିଛି।