ଭୁବନେଶ୍ୱର,୧୪/୦୭: ମୟୂରଭଞ୍ଜ ଜିଲ୍ଲାର ସନ୍ଧ୍ୟାରାଣୀ ମାଝୀ ସରକାରୀ ଗାଡ଼ି ଡ୍ରାଇଭର ଭାବେ ନିଯୁକ୍ତି ପାଇଛନ୍ତି । ସରକାରୀ ଗାଡ଼ିର ଡ୍ରାଇଭର ଭାବେ ପ୍ରଥମ ଥର ଜଣେ ମହିଳାଙ୍କୁ ନିଯୁକ୍ତି ମିଳିଛି । ପରିବହନ ବିଭାଗର ଏହି ପଦକ୍ଷେପ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ନଗର ଉନ୍ନୟନ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଗାଡ଼ି ଚଳାଉଛନ୍ତି ସନ୍ଧ୍ୟାରାଣୀ ।
ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଅଧୀନସ୍ଥ ଏଚ୍ଏମ୍ଭି ପ୍ରଶିକ୍ଷଣ କେନ୍ଦ୍ରରେ ତାଲିମ ନେଇଛନ୍ତି ସେ । ଶ୍ରୀମତୀ ପାଢ଼ୀ କହନ୍ତି, ଏହି ଯାତ୍ରା ମାଧ୍ୟମରେ ସେ ଏକ ସତ୍ୟ ଜାଣିବାକୁ ପାଇଛନ୍ତି ଯେ ପ୍ରତ୍ୟେକ ଡ୍ରାଇଭର ଯାତ୍ରୀଙ୍କ ଅପେକ୍ଷା ଅଧିକ ଦାୟିତ୍ୱବାନ, ନମ୍ର । ଖାଲି ସନ୍ଧ୍ୟାରାଣୀ ନୁହନ୍ତି, ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ଅଧୀନରେ ଆମ ବସ୍ ଏବଂ ଓଏସଆରଟିସି ଅନେକ ମହିଳାଙ୍କୁ କଣ୍ଡକ୍ଟର ଭାବେ ନିଯୁକ୍ତି ଦେଇଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗ ପ୍ରତିବର୍ଷ ୫୦୦ ମହିଳା ଡ୍ରାଇଭରଙ୍କୁ ପ୍ରଶିକ୍ଷଣ ଦେଇ ଅର୍ଥନୈତିକ ସ୍ୱାଧୀନତା ପ୍ରଦାନ କରିଛନ୍ତି ।
ଓଡିଶା ର ପ୍ରଥମ ମହିଳା ସରକାରୀ ଡ୍ରାଇଭର ସନ୍ଧ୍ୟା ରାଣୀ ମାଝୀ ଙ୍କୁ ଅଶେଷ ଅଭିନନ୍ଦନ ଜଣାଉଛି। ପରିବହନ ବିଭାଗ ର ଏ ଉଦ୍ୟମ ପ୍ରଶଂସନୀୟ। ମହିଳା ସଶକ୍ତିକରଣ ରେ ଏକ ନୂଆ ଫର୍ଦ ଯୋଡ଼ା ଗଲା।
— Pravati Parida (@PravatiPOdisha) July 13, 2025
ଓଡ଼ିଶାର ପ୍ରଥମ ମହିଳା ସରକାରୀ ଡ୍ରାଇଭର ସନ୍ଧ୍ୟାରାଣୀଙ୍କୁ ଶୁଭକାମନା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପରିବହନ ବିଭାଗର ଏହି ପଦକ୍ଷେପ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ବୋଲି ସେ କହିଛନ୍ତି । ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବିଧାୟିକା ଉପାସନା ମହାପାତ୍ର ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।