ଭୁବନେଶ୍ୱର, ୧୪/୦୬: ରାଜ୍ୟରେ ଯୋଡ଼ା ଲଘୁଚାପ ସୃଷ୍ଟି ହୋଇଛି । ପୂର୍ବ ଭାଗରେ ଉତ୍ତର ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ବାଂଲାଦେଶ, ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳରେ ସନ୍ଧ୍ୟାରେ ଲଘୁଚାପ ସୃଷ୍ଟି ହୋଇଛି । ଉତ୍ତର ପଶ୍ଚିମ ମଧ୍ୟପ୍ରଦେଶ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଆଉ ଏକ ଲଘୁଚାପ ରହିଛି । ଦୁଇ ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ସୋମବାର ୬ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଆକଳନ କହୁଛି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, ବୌଦ୍ଧ, ସୋନପୁର, ଦେବଗଡ଼, ବଲାଙ୍ଗୀର, କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି ।
୧୫ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁରରେ ଭାରି ବର୍ଷା ହୋଇପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୬ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ଅଧିକ ବର୍ଷା ସମ୍ଭାବନା ଅଛି । ୧୭, ୧୮ ଓ ୧୯ ତାରିଖରେ ମଧ୍ୟ କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
୧୩ରୁ ୧୯ ତାରିଖ ଯାଏ ରାଜ୍ୟର ବିକ୍ଷିପ୍ତ ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ଆଇଏମ୍ଡି ଆକଳନ କରିଛି । ରବିବାର ପାରାଦୀପରେ ୪୧ମିମି ବର୍ଷା ହୋଇଛି । ସୋନପୁରରେ ୨୪.୪ ମିମି ବର୍ଷା ହୋଇଛି । ଟିଟିଲାଗଡ଼ ଓ ବାଲେଶ୍ୱରରେ ୧୫.୩, ଭଦ୍ରକରେ ୮ମିମି ବର୍ଷା ରେକର୍ଡ ହୋଇଛି।