ନୂଆଦିଲ୍ଲୀ ୧୪/୦୭: ସ୍ତ୍ରୀଙ୍କୁ ଆଇନଗତ ଭାବେ ଛାଡ଼ପତ୍ର ଦେବା ପରେ ଖୁସି ମନାଇଛନ୍ତି ଆସାମର ଜଣେ ବ୍ୟକ୍ତି । ମାନିକ ଅଲୀ ନାମକ ଯୁବକ ଜଣକ ଛାଡ଼ପତ୍ର ପରେ ପ୍ରାୟ ୪୦ ଲିଟର କ୍ଷୀରରେ ଗାଧୋଇଛନ୍ତି । କ୍ୟାମେରା ଆଗରେ ସେ ‘ଆଜିଠାରୁ ମୁଁ ସ୍ୱାଧୀନ’ ବୋଲି କହୁଥିବା ଶୁଣିବାକୁ ମିଳିଛି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାବେଳେ ବହୁସଂଖ୍ୟାରେ ଲୋକ ମଜାଳିଆ କମେଣ୍ଟ ଦେଇଛନ୍ତି ।
ସୂଚନା ଅନୁସାରେ, ମାନିକ ଅଲୀ ନଲବାରି ଜିଲ୍ଲାର ବାସିନ୍ଦା । ତାଙ୍କ ସ୍ତ୍ରୀଙ୍କ ଅନ୍ୟ କାହା ସହ ପରକୀୟା ପ୍ରୀତି ଥିଲା । ଏପରିକି ମହିଳା ଜଣକ ତାଙ୍କ ପ୍ରେମିକଙ୍କ ସହ ୨ ଥର ଘରୁ ପଳାଇଥିଲେ । କିନ୍ତୁ ମାନିକ ସାମାଜିକ ଚାପ ଏବଂ ତାଙ୍କ ଝିଅର ଭବିଷ୍ୟତକୁ ଦୃଷ୍ଟିରେ ରଖି ବିବାହ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । ହେଲେ ତାଙ୍କ ସ୍ତ୍ରୀ ସୁଧୁରି ନ ଥିଲେ । ତେଣୁ ମାନିକ ଆଇନଗତ ଭାବେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବାକୁ ସ୍ଥିର କରିଥିଲେ । ଶେଷରେ ଉଭୟଙ୍କର ଛାଡ଼ପତ୍ର ହୋଇଥିଲା । ଏଥିରେ ମାନିକ ବେଶ୍ ଖୁସି ହୋଇଥିଲେ । ଖୁସି ମନାଇବାକୁ ସେ ୪ଟି ବାଲ୍ଟିରେ କ୍ଷୀର ଆଣି ଘର ବାହାରେ ଛିଡ଼ା ହୋଇ ନିଜ ଉପରେ ଢାଳିଥିଲେ ।
ଏହି ସମୟରେ ସେ କହିଥିଲେ ଯେ, ତାଙ୍କ ସ୍ତ୍ରୀ ବାରମ୍ବାର ଘର ଛାଡ଼ି ପଳାଉଥିଲେ । ଘରର ଶାନ୍ତି ପାଇଁ ଚୁପ୍ ରହିଥିଲି । କିନ୍ତୁ ଶେଷ ଥର ତାଙ୍କ ସ୍ତ୍ରୀ ସାଙ୍ଗରେ ଝିଅକୁ ନେଇ ପଳାଇଥିଲେ । ଏହା ତାଙ୍କୁ ବେଶ୍ ବାଧିଥିଲା । ତେଣୁ ସେ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବାକୁ ବାଧ୍ୟ ହୋଇଥିଲେ ବୋଲି ମାନିକ କହିଛନ୍ତି । ଭିଡିଓ ଭାଇରାଲ ହେବା ପରେ ଅନେକ ବ୍ୟକ୍ତି କମେଣ୍ଟରେ ମାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟ ଜଣେ କହିଛନ୍ତି, ମାନିକ ସ୍ୱର୍ଗର ରାସ୍ତା ବାଛିଛନ୍ତି।