ନୂଆଦିଲ୍ଲୀ: ଲର୍ଡସ୍ ଟେଷ୍ଟରେ ଟିମ୍ ଇଣ୍ଡିଆ ପରାଜୟ । ଘରୋଇ ଇଂଲଣ୍ଡ ଠାରୁ ୨୨ ରନ୍ରେ ପରାସ୍ତ । ଦ୍ୱିତୀୟ ଇଂନିସରେ ଭାରତ ସମ୍ମୁଖରେ ୧୯୩ ରନ୍ର ଟାର୍ଗେଟ ଥିଲା। କିନ୍ତୁ ଶୁଭମନ ସେନା ମାତ୍ର ୧୭୦ ସ୍କୋର କରି ଅଲଆଉଟ୍ ହୋଇଛି । ଫଳରେ ଏହି ରୋମାଞ୍ଚକର ମ୍ୟାଚକୁ ଇଂଲିଶ ଟିମ୍ ଜିତି ନେଇ ୫ଟି ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି ।
ତୃତୀୟ ଟେଷ୍ଟର ଶେଷ ଦିନରେ ଭାରତକୁ ୧୩୫ ରନ୍ର ଆବଶ୍ୟକତା ଥିଲା ଏବଂ ହାତରେ ୬ ୱିକେଟ୍ ଥିଲା । ହେଲେ ରିଷଭ ପନ୍ତ, କେଏଲ ରାହୁଲ, ଓ୍ବାଶିଂଟନ ସୁନ୍ଦର ଏବଂ ନୀତିଶ ରେଡ୍ଡୀ ସମେତ ଜଣେ ବି ବ୍ୟାଟର ଇଂଲିଶ ବୋଲରଙ୍କ ସାମ୍ନାରେ ତିଷ୍ଠି ପାରିନଥିଲେ । ଏକାକୀ ରବିନ୍ଦ୍ର ଜାଡ଼େଜା ଇଂଲଣ୍ଡ ସହିତ ଲଢ଼େଇ କରିଥିଲେ । ସେ ଦ୍ବିତୀୟ ଇଂନିସରେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ । ଦଳ ପକ୍ଷରୁ ଜାଡେଜା ସର୍ବାଧିକ ୬୧ ରନ କରି ଅପରାଜିତ ରହିଛନ୍ତି । ସେହିପରି ଇଂଲଣ୍ଡ ଟିମ୍ ପକ୍ଷରୁ ଦ୍ବିତୀୟ ଇନିଂସର ଅଧିନାୟକ ବେନ୍ ଷ୍ଟୋକ୍ସ ଏବଂ ଜୋଫ୍ରା ଆର୍ଚର ତିନୋଟି ଲେଖାଏଁ ଓ୍ବିକେଟ୍ ନେଇଛନ୍ତି ।
ଐତିହାସିକ ଲର୍ଡ୍ସରେ ଇଂଲଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ୩୮୭ ରନ୍ କରିବାରେ ସକ୍ଷମ ହୋଇଥିଲା । ଜୋ ରୁଟ୍ ପ୍ରଥମ ଇନିଂସରେ ଶତକୀୟ ପାଳି ଖେଳିଥିଲେ । ଦଳ ପକ୍ଷରୁ ସେ ସର୍ବାଧିକ ୧୦୪ ରନ୍ କରିଥିଲେ । ଏହାପରେ ବ୍ୟାଟିଂ କରିଥିଲେ ଟିମ୍ ଇଣ୍ଡିଆ । ଭାରତ ସମସ୍ତ ଓ୍ବିକେଟ୍ ହରାଇ ୩୮୭ ରନ କରି ସ୍କୋରକୁ ବରାବର କରିଥିଲେ । ମାତ୍ର ଲିଡ୍ ଦେବାରେ ସକ୍ଷମ ହୋଇନଥିଲା । ଦଳ ପକ୍ଷରୁ କେଏଲ୍ ରାହୁଲ ସେଞ୍ଚୁରୀ ମାରିଥିଲେ । ସେହିପରି ରିଷଭ ପନ୍ତ ଏବଂ ରବୀନ୍ଦ୍ର ଜାଡେଜା ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ପ୍ରଥମ ଇନିଂସର ଯଶପ୍ରୀତ୍ ବୁମରାଙ୍କୁ ୫ ଓ୍ବିକେଟ୍ ମିଳିଥିଲା । ସେପଟେ ଇଂଲଣ୍ଡର ଖ୍ରୀସ୍ ଓ୍ବାକ୍ସ ସର୍ବାଧିକ ତିନୋଟି ଅକ୍ତିଆର କରିଥିଲେ । ପରେ ଦ୍ବିତୀୟ ଇନିଂସ ଖେଳିବାକୁ ପଡ଼ିଆ ଓହ୍ଲାଇଥିଲା ଷ୍ଟୋକ୍ସ ସେନା । ଦଳ ୧୯୨ ରନରେ ସମସ୍ତ ଓ୍ବିକେଟ୍ ହରାଇଥିଲା । ଯାହା ଫଳରେ ଟିମ୍ ଇଣ୍ଡିଆ ସାମ୍ନାରେ ୧୯୩ରନ ଟାର୍ଗେଟ୍ କରିଥିଲେ । ହେଲେ ଭାରତୀୟ ଦଳ ୧୭୦ ସ୍କୋର କରି ଅଲଆଉଟ୍ ହୋଇଥିଲା । ଫଳରେ ଐତିହାସିକ ଲର୍ଡ୍ସ ଟେଷ୍ଟକୁ ଇଂଲିଶ ଟିମ୍ ୨୨ ରନରେ ବିଜୟୀ ହୋଇଛି । ପ୍ଲେୟାର ଅଫ୍ ଦି ମ୍ୟାଚ୍ ଅଧିନାୟକ ବେନ ଷ୍ଟୋକ୍ସ ହୋଇଛନ୍ତି ।
ଲର୍ଡସ ଲଢ଼େଇରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଡା ଏକାକୀ ଲଢ଼େଇ କରିଥିଲେ । ହେଲେ ତାଙ୍କୁ କୌଣସି ଖେଳାଳି ସାଥ୍ ଦେଇନଥିଲେ । ଜାଡେଜା ପ୍ରଥମ ଇନିଂସରେ ୭୨ ରନ ସଂଗ୍ରହ କରିଥିଲେ । ସେହିପରି ବୋଲିଂରେ ଗୋଟିଏ ବହୁମୂଲ୍ୟ ଓ୍ବିକେଟ୍ ନେଇଥିଲେ । ଦ୍ବିତୀୟ ଇନିଂସରେ ଭାରତକୁ ଜିତାଇବା ପାଇଁ ଏକାକୀ ସଂଘର୍ଷ କରିଥିଲେ ରବୀନ୍ଦ୍ର ଜାଡେଜା । ସେ ଭାରତୀୟ ଦଳ ପକ୍ଷରୁ ସର୍ବାଧିକ ୬୧ ରନ କରି ନଟ୍ ଆଉଟ୍ ରହିଥିଲେ । ଜାଡେଜାଙ୍କୁ କୌଣସି ବ୍ୟାଟର ସାଥ୍ ଦେଇନଥିଲେ । ସେ ଗୋଟିଏ ପାର୍ଶ୍ବରେ ଛିଡ଼ା ହୋଇଥିବା ବେଳେ ଅନ୍ୟ ପାର୍ଶ୍ବରେ ଓ୍ବିକେଟର ଝଡ଼ି ଲାଗିଥିଲା ।