ଭୁବନେଶ୍ୱର, ୧୩/୦୭: ବେଙ୍ଗାଲୁରୁ ଠାରେ ଆୟୋଜିତ ସପ୍ତମ ଇଣ୍ଡିଆନ୍ ଓପନ ପାରା ଆଥଲେଟିକ୍ସ ଅନ୍ତର୍ଜାତୀୟ ଚାମ୍ପିଅନସିପ୍ରେ ଓଡ଼ିଶା ୪ଟି ସ୍ୱର୍ଣ୍ଣ ସହ ମୋଟ ୧୧ଟି ପଦକ ଜିତିଛି । ଷ୍ଟାର୍ ମହିଳା ଆଥଲେଟ୍ ଜୟନ୍ତୀ ବେହେରା ୨ଟି ସ୍ୱର୍ଣ୍ଣ ଜିତିଥିବାବେଳେ ଜାଭେଲିନରେ ସୁଚିତ୍ରା ପରିଡ଼ା ଏବଂ ଲଙ୍ଗଜମ୍ପରେ ଜାନକୀ ଓରାମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଜୟନ୍ତୀ ମହିଳା (ଟି-୪୭) ୧୦୦ମି. ଓ ୨୦୦ମି.ରେ ଅପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇଥିଲେ । ୧୦୦ମି.ରେ ସେ ୧୩.୩୭ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରି ପ୍ରଥମ ସ୍ଥାନରେ ରହିଥିଲେ । ଆନ୍ଧ୍ରର ଭବାନୀ (୧୩.୫୬ ସେକେଣ୍ଡ) ରୌପ୍ୟ ଓ ଦିଲ୍ଲୀର କୀର୍ତ୍ତି (୧୪.୦୭ ସେକେଣ୍ଡ) ବ୍ରୋଞ୍ଜ ଜିତିଛନ୍ତି । ସେହିପରି ୨୦୦ମି.କୁ ଜୟନ୍ତୀ ୨୭.୮୭ ସେକେଣ୍ଡ ଟାଇମିଂ ନେଇ ସ୍ୱର୍ଣ୍ଣ ଜିତିଥିଲେ । ଭବାନୀ (୨୯.୧୦ ସେକେଣ୍ଡ) ଓ ହରିଆନାର ମାଫି (୩୧.୦୩ ସେକେଣ୍ଡ) ବ୍ରୋଞ୍ଜ ହାସଲ କରିଛନ୍ତି । ଏହାବ୍ୟତୀତ ଜୟନ୍ତୀ ମହିଳା ୪୦୦ମି.ରେ ମଧ୍ୟ ରୌପ୍ୟ ଜିତିଥିଲେ । ସେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରିବା ପାଇଁ ୧:୦୫.୩୦ ସେକେଣ୍ଡ ନେଇଥିଲେ ।
ମହିଳା (ଏଫ୍-୫୫) ଜାଭେଲିନରେ ସୁଚିତ୍ରା ୧୭.୮୪ମିଟର ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଉତ୍ତରାଖଣ୍ଡର ଗାରିମା ଯୋଶୀ (୧୫.୯୮ମି.) ଓ ଫାତିମା ଖାତୁନ (୧୬.୨୬ମି.) ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ହାସଲ କରିଥିଲେ । ମହିଳା ସଟ୍ପୁଟ୍ରେ ସୁଚିତ୍ରା ୫.୭୫ମି. ଥ୍ରୋ କରି ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ । ତାମିଲନାଡ଼ୁର କୀର୍ତ୍ତିକା ଜୟାଚନ୍ଦ୍ରନ ୬.୦୬ମି. ସହ ସ୍ୱର୍ଣ୍ଣ ଜିତିଛନ୍ତି ।
ମହିଳା (ଟି-୧୨/୧୩) ଲଙ୍ଗଜମ୍ପରେ ଜାନକୀ ସ୍ୱର୍ଣ୍ଣ ହାସଲ କରିଛନ୍ତି । ସେ ଏକମାତ୍ର ପ୍ରତିଯୋଗୀ ଭାବେ ଏହି ଇଭେଣ୍ଟରେ ଭାଗ ନେଇଥିଲେ ଏବଂ ୪.୦୫ମି. ଜମ୍ପ କରିଥିଲେ । ସେହିପରି ୧୦୦ମି.ରେ ସେ ରୌପ୍ୟ ଜିତିଥିଲେ । ସେ ୧୪.୨୦ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରିଥିଲେ । ଉତ୍ତରପ୍ରଦେଶର ସିମରନ (୧୨.୨୧ ସେକେଣ୍ଡ) ସ୍ୱର୍ଣ୍ଣ ଓ ଗୋଆର ସାକ୍ଷୀ କାଲେ (୧୪.୮୩ ସେକେଣ୍ଡ) ବ୍ରୋଞ୍ଜ ଜିତିଛନ୍ତି । ୨୦୦ମି.ରେ ମଧ୍ୟ ଜାନକୀ (୨୯.୯୭ ସେକେଣ୍ଡ) ବ୍ରୋଞ୍ଜ ପଦକ ଜିତିଥିଲେ ।
ଅନ୍ୟ ଓଡ଼ିଆ ଆଥଲେଟ କମଳାକାନ୍ତ ନାୟକ ପୁରୁଷ (୫୪/୫୫) ଜାଭେଲିନରେ ରୌପ୍ୟ, ୮୦୦ମି.ରେ ରୌପ୍ୟ ଏବଂ ୪୦୦ମି. ରେ ବ୍ରୋଞ୍ଜ ପଦକ ଭେଟି ଦେଇଥିଲେ । ଜାଭେଲିନରେ ସେ ୧୭.୪୯ମି. ଦୂର ଫିଙ୍ଗିଥିବାବେଳେ ୮୦୦ମି.କୁ ୨:୩୦.୬୦ ସେକେଣ୍ଡ ଏବଂ ୪୦୦ମି.କୁ ୧:୧୫.୦୦ ସେକେଣ୍ଡ ଟାଇମିଂ ନେଇଥିଲେ ।