ନୂଆଦିଲ୍ଲୀ,୧୨/୦୭: ଆଗାମୀ ହକି ଏସିଆ କପ୍ ଏବଂ ଜୁନିୟର ପୁରୁଷ ବିଶ୍ୱକପ୍ରେ ପାକିସ୍ତାନ ଦଳର ଅଂଶ ଗ୍ରହଣ କରିବା ନେଇ ଅନିଶ୍ଚିତତା ଦେଖା ଦେଇଛି । ଉଭୟ ଟୁର୍ଣ୍ଣାମେଣ୍ଟ ଭାରତ ଆୟୋଜନ କରିବ । ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ସୁସଂପର୍କ ନଥିବାରୁ ପାକିସ୍ତାନ ସରକାର ହୁଏତ ଦଳ ପଠାଇବାକୁ ରାଜି ହେବେ ନାହିଁ ।
ପାକିସ୍ତାନ ହକି ଫେଡେରେସନ୍ (ପିଏଚ୍ଏଫ୍) ଏସିଆ କପ୍ ଓ ଜୁନିୟର ପୁରୁଷ ବିଶ୍ୱକପ୍କୁ ଦଳ ପଠାଇବା ନେଇ ପାକ୍ ସରକାରଙ୍କ ଅନୁମତି ଲୋଡ଼ିଛି । କିନ୍ତୁ ଏ ପର୍ଯ୍ୟନ୍ତ ସରକାର ଏ ବିଷୟରେ କିଛି କହି ନାହାନ୍ତି । ପାକିସ୍ତାନ ସରକାରଙ୍କ ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ‘ଭାରତ ଓ ପାକିସ୍ତାନ ମଧ୍ୟରେ ଏବେ ଯେଉଁଭଳି ସ୍ଥିତି ସାହାବାଜ ସରିଫ୍ ସରକାର ହକି ଦଳକୁ ଭାରତରେ ଟୁର୍ଣ୍ଣାମେଣ୍ଟ ଖେଳିବା ନେଇ ଅନୁମତି ଦେଇ ନପାରନ୍ତି ।’
ପିଏଚ୍ଏଫ୍ ମଧ୍ୟ ନିରପେକ୍ଷ ଭେନ୍ୟୁରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ନେଇ ଅନ୍ତର୍ଜାତୀୟ ସଂଘକୁ (ଏଫ୍ଆଇଏଚ) ଅବଗତ କରାଇଛି । ମାଲେସିଆ କିମ୍ବା ଓମାନରେ ପ୍ରତିଯୋଗିତା ଖେଳାଯାଉ ବୋଲି ପିଏଚ୍ଏଫ୍ ଦାବି ଜଣାଇଛି । ଏସିଆ କପ୍ ବିହାରର ରାଜଗିରରେ ଅଗଷ୍ଟ ୨୭ରୁ ଏବଂ ନଭେମ୍ବରଡିସେମ୍ବରରେ ଚେନ୍ନାଇରେ ଜୁନିୟର ହକି ବିଶ୍ୱକପ୍ ଆୟୋଜିତ ହେବ । ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲେ । ଏହାପରେ ଭାରତ ‘ଅପରେସନ୍ ସିନ୍ଦୂର’ ମାଧ୍ୟମରେ ଏହାର ପ୍ରତିଶୋଧ ନେଇଥିଲା । ଏଥିରେ ୧୦୦ରୁ ଊଦ୍ଧ୍ୱର୍ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା।