ଲଣ୍ଡନ, ୦୯/୦୭: ଗୁରୁବାରଠୁ ଲର୍ଡ୍ସ ଲଢ଼େଇ । ଐତିହାସିକ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡ୍ରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ଟେଷ୍ଟ । ସିରିଜ ୧-୧ରେ ବରାବର ରହିଛି । ଉଭୟ ଇଂଲଣ୍ଡ ଓ ଭାରତ ଏହି ମ୍ୟାଚ୍ ଜରିଆରେ ସିରିଜ ଅଗ୍ରଣୀ ପାଇଁ ପ୍ରୟାସ କରିବେ । ଆଉ କିଛି ନୂଆ ବ୍ୟାଟିଂ ରେକର୍ଡ ସ୍ଥାପନ ହେବ । ମାତ୍ର ସମସ୍ତଙ୍କ ନଜରରେ ରହିବେ ଉଭୟ ଦଳର ଷ୍ଟାର ପେସ୍ ବୋଲର ଯଶପ୍ରୀତ ବୁମରା ଓ ଜୋଫ୍ରା ଆର୍ଚର । ଉଭୟଙ୍କ ପ୍ରତ୍ୟାବର୍ତ୍ତନ କ୍ରିକେଟ୍ ପ୍ରେମୀଙ୍କ ଉତ୍ସାହ ବଢ଼ାଇ ଦେଇଛି ।
ଲର୍ଡ୍ସରେ ଭାରତର ପୂର୍ବ ରେକର୍ଡ ସେଭଳି ପ୍ରଶଂସନୀୟ ନଥିଲେ ହେଁ ଅନ୍ୟ ଇଂଲଣ୍ଡ ଗ୍ରାଉଣ୍ଡ ତୁଳନାରେ ଭାରତ ଏଠାରେ ଅଧିକ ମ୍ୟାଚ୍ ଜିତିଛି । ଏଠାରେ ଭାରତ ୧୯ଟି ଟେଷ୍ଟ ଖେଳିଛି ଓ ମାତ୍ର ୩ଟି ଟେଷ୍ଟରେ ବିଜୟୀ ହୋଇଛି । କିନ୍ତୁ ଭାରତ ଏଠାରେ ଖେଳିଥିବା ଶେଷ ୩ଟି ମ୍ୟାଚ୍ରୁ ୨ଟିରେ ବିଜୟୀ ହୋଇଛି । ୨୦୨୧ରେ ଭାରତ ଏଠାରେ ବିଜୟୀ ହୋଇଥିଲା । କେଏଲ ରାହୁଲ ଶତକ ଅର୍ଜନ କରିଥିଲେ ଓ ମହମ୍ମଦ ସିରାଜ ୮ଟି ୱିକେଟ୍ ନେଇଥିଲେ । ସିରାଜଙ୍କ ପୂର୍ବ ସଫଳତା ସତ୍ତ୍ୱେ ବୁମରା ଭାରତର ପ୍ରମୁଖ ଅସ୍ତ୍ର ସାଜିବେ ବୋଲି ଅନୁମାନ କରାଯାଉଛି । ସେ ଚମତ୍କାର ଫର୍ମରେ ରହିଛନ୍ତି ଓ ୧୫ଦିନର ବିଶ୍ରାମ ପରେ ପୁନର୍ବାର ଏକାଦଶକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ସେ ଘାତକ ବୋଲିଂ କରି ଇଂଲଣ୍ଡର ଗର୍ବ ଭାଙ୍ଗିବେ । ବୁମରାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ଇଂଲଣ୍ଡ ମଧ୍ୟ ଫାଷ୍ଟ ବୋଲର ଆର୍ଚରଙ୍କୁ ଫେରାଇ ଆଣିଛି । ଦୀର୍ଘ ୧୫୯୫ ଦିନ ପରେ ଆର୍ଚର କୌଣସି ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି । ଶେଷ ଥର ପାଇଁ ସେ ୨୦୨୧ ଫେବ୍ରୁଆରୀରେ ଭାରତ ବିପକ୍ଷରେ ଟେଷ୍ଟ ଖେଳିଥିଲେ । ୪ ବର୍ଷ ମଧ୍ୟରେ ସେ ୧୮ଟି ସିରିଜର ୫୩ଟି ଟେଷ୍ଟରେ ଅନୁପସ୍ଥିତ ରହିଛନ୍ତି । ସେ ଆଜି କ୍ୟାରିୟର୍ର ୧୫ତମ ଟେଷ୍ଟ ଖେଳିବାକୁ ଯାଉଛନ୍ତି ।
ଦ୍ୱିତୀୟ ଟେଷ୍ଟରେ ଭାରତର ବିଜୟ ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ଅଧିନାୟକ ଶୁଭମନ ଗିଲ୍ । ଗିଲ୍ ପ୍ରଥମ ଇନିଂସରେ ୨୬୯ ଓ ଦ୍ୱିତୀୟ ଇନିଂସରେ ୧୬୧ ରନ୍ର ପାଳି ଖେଳିଥିଲେ । ପ୍ରଥମ ୨ଟି ଟେଷ୍ଟରେ ସେ ୫୮୫ ରନ ସଂଗ୍ରହ କରିସାରିଛନ୍ତି । ବର୍ତ୍ତମାନ ଭାରତୀୟ ସମର୍ଥକ ଗିଲଙ୍କ ବ୍ୟାଟ୍ରୁ ଆଉ ଏକ ବିଶାଳ ଇନିଂସ ଦେଖିବାକୁ ଆଶା ବାନ୍ଧିଛନ୍ତି । ଗିଲ୍ ଲର୍ଡ୍ସରେ ସଫଳ ହେଲେ ଅନେକ ରେକର୍ଡ ଭାଙ୍ଗି ପାରିବେ । ଗିଲ୍ ଆଉ ୧୮ ରନ କଲେ ରାହୁଲ ଦ୍ରାବିଡଙ୍କ ନାମରେ ଥିବା ଏକ ରେକର୍ଡ ଭାଙ୍ଗିବେ । ୨୦୦୨ ଇଂଲଣ୍ଡ ଗସ୍ତରେ ରାହୁଲ ୬୦୨ ରନ ସଂଗ୍ରହ କରିଥିଲେ । ଇଂଲଣ୍ଡ ବ୍ୟାଟର ଜୋ ରୁଟ୍ ମଧ୍ୟ ରେକର୍ଡ ଭାଙ୍ଗିବାକୁ ଅପେକ୍ଷା କରିଛନ୍ତି । ଲର୍ଡ୍ସରେ ସବୁଠୁ ସଫଳ ରୁଟ୍ ଆଉ ୪୫ ରନ୍ କଲେ ଭାରତ ବିପକ୍ଷରେ ୩୦୦୦ ରନ ପୂରଣ କରିବେ ।
ପେସ ବୋଲରଙ୍କ ପାଇଁ ସୁଯୋଗ: ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡର ପିଚ୍ ଏଥର ପେସ୍ ବୋଲରଙ୍କୁ ସହାୟତା କରିବାର ଯଥେଷ୍ଟ ସମ୍ଭାବନା ରହିଛି । ସ୍ପିନରମାନେ ମଧ୍ୟ ଯଥେଷ୍ଟ ବାଉନ୍ସ ପାଇବେ । ଗତ ମାସରେ ଅନୁଷ୍ଠିତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ମ୍ୟାଚ୍ରେ ପେସ ବୋଲରମାନେ ଏହି ଗ୍ରାଉଣ୍ଡ୍ରେ ୩୧ଟି ୱିକେଟ୍ ନେଇଥିଲେ । କାଗିସୋ ରାବାଡା ଓ ପ୍ୟାଟ୍ କମିନ୍ସ ୫ ୱିକେଟ୍ ସଫଳତା ଅର୍ଜନ କରିଥିଲେ । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକପ୍ରକାର ନିଶ୍ଚିତ ।