ନୂଆଦିଲ୍ଲୀ,୧୧/୦୭: ଭାରତରେ ଦ୍ରୁତଗତିରେ ବୃଦ୍ଧି ପାଉଛି କ୍ୱିକ୍ କମର୍ସ ବଜାର । ଯେଉଁଥିରେ ଏବେ ଆଉ ଏକ ବଡ଼ ନାଁ ଯୋଡ଼ି ହେବାକୁ ଯାଉଛି । ଇ-କମର୍ସ କମ୍ପାନି ଆମାଜନ ନିଜର ଅଲ୍ଟା ଫାଷ୍ଟ ଡ଼େଲିଭରୀ ସର୍ଭିସ 'ଆମାଜନ ନାଓ'କୁ ଦିଲ୍ଲୀରେ ଲଞ୍ଚ କରିଛି। ଏହି ସର୍ଭିସ ପୂର୍ବରୁ ବାଙ୍ଗାଲୋରରେ ଉପଲବ୍ଧ ଥିବା ବେଳେ ଏବେ ଏହା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ଆରମ୍ଭ ହୋଇଯାଇଛି ।
'ଆମାଜନ ନାଓ' ର ଲକ୍ଷ୍ୟ ଗ୍ରାହକଙ୍କୁ ପ୍ରତିଦିନ ଆବଶ୍ୟକ ହେଉଥିବା ଜିନିଷକୁ ୧୦ ମିନିଟରେ ଘରେ ପହଞ୍ଚାଇବା । ବର୍ତ୍ତମାନ ଏହି ସେବା ରାଜଧାନୀ ଦିଲ୍ଲୀର ଚୁନିନ୍ଦା ପିନକୋଡ଼ରେ ଉପଲବ୍ଧ ହୋଇଛି । କିନ୍ତୁ କମ୍ପାନି ଏହାକୁ ଖୁବଶୀଘ୍ର ଅଲଗା ସହରରେ ମଧ୍ୟ ଯୋଗାଇ ଦେବାକୁ ଯୋଜନା କରୁଛି । ତେବେ ଆମାଜନ ନାଓ ଆମାଜନ ଆପର ଅଲଗା ସେସ୍କନରେ ଉପଲବ୍ଧ ହୋଇଛି । ଏଠାରେ ଗ୍ରାହକ ଫଳ, ପନିପରିବା,ଡ଼ାଏରୀ ପ୍ରଡ଼କ୍ଟ,ସ୍ନାକ୍ସ ଓ ଅନ୍ୟ ଗ୍ରୋସରୀ ଆଇଟମ ଅର୍ଡ଼ର କରିପାରିବେ । ଯାହା କେବଳ ୧୦ ମିନିଟରେ ଡ଼େଲିଭରୀ ହେବ। ଏନେଇ ଆମାଜନ କହିଛି ଯେ,ତାକୁ ବେଙ୍ଗାଲୁରୁରେ ମିଳିଥିବା ପ୍ରତିକ୍ରିୟାରେ ଅନେକ ସକରାତ୍ମକ ସଙ୍କେତ ମିଳିଛି। ଆଉ ଏଥିପାଇଁ ଏହି ସେବା ଦିଲ୍ଲୀରେ ଆରମ୍ଭ ହୋଇଛି ।
ଭାରତରେ କ୍ବିକ କମର୍ସର ବଜାର ପ୍ରତିବର୍ଷ ଦ୍ରୁତଗତିରେ ବୃଦ୍ଧି ପାଉଛି । ୨୦୨୩-୨୪ରେ ଯେଉଁଠି ବଜାର ପାଖାପାଖି ୩୦ ହଜାର କୋଟି ଟଙ୍କାରେ ଥିବେ ବେଳେ ୨୦୨୪-୨୫ ରେ ୬୪ ହଜାର କୋଟି ଉପରକୁ ପହଞ୍ଚିଛି। ରେଟିଂ ଏଜେନ୍ସି କେଆର ଏଜ୍ ରେଟିଂସ୍ ଅନୁଯାୟୀ, ଏହି ମୋଟ ଅର୍ଡର ମୂଲ୍ୟ ୨୦୨୮ ସୁଦ୍ଧା ୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇପାରେ। ସେହିପରି ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ୨୦୩୦ ସୁଦ୍ଧା ଦ୍ରୁତ ବାଣିଜ୍ୟ ବଜାରର ଆକାର ୪୦ ବିଲିୟନ ଡଲାର ପର୍ଯ୍ୟନ୍ତ ହୋଇପାରେ। ଏହି ଦ୍ରୁତ ବଢ଼ୁଥିବା ବଜାରକୁ ଦେଖି ଆମାଜନ ଭଳି ଏକ ବିଶାଳ କମ୍ପାନୀ ଏବେ ଏଥିରେ ପ୍ରବେଶ କରିଛି,ଯାହା Zepto, Blinkit ଏବଂ Instamart ଭଳି କମ୍ପାନୀଗୁଡ଼ିକୁ କଠିନ ପ୍ରତିଯୋଗିତା ଦେବାକୁ ଯାଉଛି।