ନୂଆଦିଲ୍ଲୀ,୧୩/୦୭:ତାମିଲନାଡୁ ତିରୁଭାଲ୍ଲୁରର ତେଲ ବୋଝେଇ ଏକ ମାଲବାହୀ ଟ୍ରେନ୍ରେ ଭୟଙ୍କର ଅଗ୍ନିକାଣ୍ଡ। ଚେନ୍ନାଇ ପୋର୍ଟରୁ ଡିଜେଲ ନେଇ ଯାଉଥିବା ମାଲବାହୀ ଟ୍ରେନ୍ଟି ତିରୁଭାଲ୍ଲୁର ନିକଟରେ ହଠାତ୍ ଲାଇନଚ୍ୟୁତ ହୋଇଥିଲା, ଯାହା ପରେ ଟ୍ରେନ୍ରେ ଥିବା ତେଲ ଟ୍ୟାଙ୍କର୍ରେ ନିଆଁ ଲାଗିଯାଇଥିଲା। ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ନେଇ କୌଣସି ସୂଚନା ନାହିଁ ।
ତେବେ ଡିଜେଲ ଥିବାରୁ ନିଆଁଟି ପୁରା ଟ୍ରେନକୁ ବ୍ୟାପିଯାଇଥିଲା । ଏନେଇ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଛି । ୧୦ ରୁ ଅଧିକ ଦମକଳ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସୁରକ୍ଷା ଦୃଷ୍ଟିରୁ ପୁଲିସ ନିକଟବର୍ତ୍ତୀ ଆବାସିକ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରୁଛି ଏବଂ ବିଦ୍ୟୁତ୍ ଯୋଗାଣ ମଧ୍ୟ ବନ୍ଦ କରାଯାଇଛି। ଦୁର୍ଘଟଣାସ୍ଥଳ ନିକଟବର୍ତ୍ତୀ ଘରଗୁଡ଼ିକରେ ଥିବା ଏଲପିଜି ସିଲିଣ୍ଡରଗୁଡ଼ିକୁ ହଟାଇ ଦିଆଯାଇଛି।ଏହି ଘଟଣା ପରେ, ଦକ୍ଷିଣ ରେଳବାଇ ତିରୁଭାଲ୍ଲୁରରେ ଓଭରହେଡ୍ ବିଦ୍ୟୁତ୍ ଯୋଗାଣ ବନ୍ଦ କରିଦେଇଛି । ଫଳରେ ରେଳ ସେବା ପ୍ରଭାବିତ ହୋଇଛି । ୮ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି ।