ବାରଙ୍ଗ,୧୩/୦୭: ରଘୁନାଥପୁରସ୍ଥିତ କ୍ଲବ ଲିଓର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସି ମୁମ୍ବାଇ କର୍ପୋରେଟ ଆକ୍ସାଞ୍ଚରର ମାନବସମ୍ବଳ ଅଧିକାରୀ ହୀନା ଶେଖ୍ ଅସଦାଚରଣର ଶିକାର ହୋଇଛନ୍ତି । କୌଶଳ କ୍ରମେ ଏହି ମହିଳା ଅଧିକାରୀ ସେଠାରୁ ଖସି ଆସି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ କରି ୩ ଅଭିଯୁକ୍ତ ତମାଣ୍ଡୋ ଥାନା କଳିଙ୍ଗ ବିହାରର ରଘୁନାଥ ସାହୁ (୩୦), ଖାରବେଳ ନଗର ଥାନା ମାଳି କଲୋନୀର ଆନନ୍ଦ ସେଠୀ (୨୭) ଓ ପୁରୀ ବଳିଆ ପଣ୍ଡାର ଶ୍ୱେତା ସାଲୋନୀ (୨୧)ଙ୍କୁ ଗିରଫ କରିଛି ।
ପୁଲିସ ସୂଚନା ଅନୁଯାୟୀ ହୀନା ଗତ ୧୧ ତାରିଖରେ କ୍ଲବ୍ ଲିଓ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ । ତାଙ୍କ ରାତ୍ରରହଣି ପାଇଁ କ୍ଲବ ସାମ୍ନା ପର୍ଲ ଲିଫ ହୋଟେଲରେ ଏକ ରୁମ ବୁକ କରାଯାଇଥିଲା । ସେହି ରୁମସାମ୍ନାରେ ଆଉ ଏକ ରୁମ କ୍ଲବ ଲିଓ ମ୍ୟାନେଜରଙ୍କ ନାମରେ ବୁକ୍ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ହୀନା ହୋଟେଲ ରୁମରେ ରହିବା ପାଇଁ ଆସିଥିଲେ । କ୍ଲବ ମାଲିକ ରଘୁନାଥ ମଧ୍ୟ ନିଜ ରୁମରେ ରହିଥିଲେ । ତାଙ୍କ ସହିତ ଥିଲେ ଆନନ୍ଦ ସେଠ, ଶ୍ୱେତ ସାଲୋନୀ, ରୋହିତ ଏବଂ ଅନ୍ୟଜଣେ । ଆନନ୍ଦଙ୍କ ସହ ଶ୍ୱେତ ସାଲୋନୀ ପାଖ ରୁମରେ ଥିବା ହୀନାଙ୍କ ରୁମକୁ ଯାଇ କ୍ଲବ ମାଲିକ ରଘୁନାଥ ରାତ୍ରୀଭୋଜନ ପାଇଁ ଡାକୁଥିବା କହିଥିଲେ । ସେ ରଘୁନାଥଙ୍କ ରୁମ୍କୁ ଆସି ସମସ୍ତେ ମଦ୍ୟପାନ କରିବା ସହ ସିଗାରେଟ୍ ଟାଣୁଥିବା ଦେଖିଥିଲେ । ହୀନା ସେଠାରୁ ପଳାଇ ଆସିବାକୁ ଚେଷ୍ଟା କଲାବେଳେ ଆନନ୍ଦ ଓ ଅନ୍ୟମାନେ ତାଙ୍କୁ ଅଟକାଇଥିଲେ । କ୍ଲବ ମାଲିକ ରଘୁନାଥ ସାହୁ ତାଙ୍କୁ ଅସଦାଚରଣ କରିଥିଲେ । ତେବେ ହୀନା କୌଶଳ କ୍ରମେ ସେଠାରୁ ନିଜ ରୁମକୁ ଆସି ଭିତରପଟୁ କବାଟ ବନ୍ଦ କରିଦେଇଥିଲେ । ସେ ହୋଟେଲ ରୁମ୍ ଭିତରୁ ନନ୍ଦନକାନନ ଥାନାକୁ ଘଟଣା ସମ୍ପର୍କରେ ଜଣାଇଥିଲେ । ପୁଲିସ ହୋଟେଲରେ ପହଞ୍ଚି ହୀନାଙ୍କୁ ଉଦ୍ଧାର କରିଥିଲା । ପୁଲିସ ଅନୁସନ୍ଧାନ କରି ରଘୁନାଥଙ୍କ ସମେତ ଆନନ୍ଦ ସେଠ, ଶ୍ୱେତ ସାଲୋନୀଙ୍କ ନାମରେ ମାମଲା ରୁଜୁ କରିଛି । ନନ୍ଦନକାନନ ଥାନାରେ ହୀନା ଦେଇଥିବା ଏତଲାରେ ରଘୁନାଥ ସାହୁ ତାଙ୍କ ପ୍ରତି ଅଶାଳୀନ ବ୍ୟବହାର କରିଥିବା ଏବଂ ଶ୍ୱେତ ସାଲୋନୀ, ଆନନ୍ଦ, ରୋହିତ ଓ ମୁନା ନାମକ ବ୍ୟକ୍ତିମାନେ ଜୀବନରୁ ମାରିଦେବାର ଧମକ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ।