ଭୁବନେଶ୍ଵର, ୧୪/୦୭ : ଦୁଇ ରାଜ୍ୟପାଳ ଏବଂ ଜଣେ ଉପରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ପ୍ରଫେସର ଅସିମ କୁମାର ଘୋଷ ହରିୟାଣା ରାଜ୍ୟପାଳ ଏବଂ ପି. ଆଶୋକ ଗଜପତି ରାଜୁ ଗୋଆ ରାଜ୍ୟପାଳ ହୋଇଛନ୍ତି।ସେହିପରି ଲଦାଖ ଉପରାଜ୍ୟପାଳ ଥିବା ବିଡି ମିଶ୍ରଙ୍କ ଇସ୍ତଫା ଗୃହୀତ ହେବା ପରେ କବିନ୍ଦର ଗୁପ୍ତାଙ୍କୁ ଲଦାଖର ଉପରାଜ୍ୟପାଳ କରାଯାଇଛି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି। ଏହି ନିଯୁକ୍ତି ତତ୍କାଳ ଲାଗୁ କରାଯିବ। ରାଷ୍ଟ୍ରପତିଙ୍କ ପ୍ରେସ୍ ସଚିବ ଅଜୟ କୁମାର ସିଂ ଏନେଇ ଅଧିସୂଚନା ଜାରି କରିଛନ୍ତି।
କବିନ୍ଦ୍ର ଗୁପ୍ତା ଜାମ୍ମୁ କାଶ୍ମୀର ବିଜେପିର ଜଣେ ବରିଷ୍ଠ ନେତା। ସେ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ନେଇସାରିଛନ୍ତି। ଏବେ ତାଙ୍କୁ ଉପରାଜ୍ୟପାଳ ଦାୟିତ୍ଵ ଦିଆଯାଇ ସକ୍ରିୟ ରାଜନୀତିରୁ ଅବସର ଦିଆଯାଇଛି। ସେହିପରି ଗଜପତି ରାଜୁ ତେଲୁଗୁ ଦେଶମ ପାର୍ଟିର ଜଣେ ସକ୍ରିୟ ନେତା। ଏବେ ତାଙ୍କୁ ଗୋଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ତେବେ ପ୍ରଥମ ଥର ପାଇଁ ବିଜେପି ସରକାରରେ ଜଣେ ମେଣ୍ଟ ସହଯୋଗୀ ନେତାଙ୍କୁ ରାଜ୍ୟପାଳ ଦାୟିତ୍ଵ ମିଳିଛି।