ନୂଆଦିଲ୍ଲୀ: ଉଗ୍ରବାଦୀ ସଂଗଠନ ‘ୟୁନାଇଟେଡ୍ ଲିବରେସନ ଫ୍ରଣ୍ଟ ଅଫ୍ ଆସମ ଇଣ୍ଡିପେଣ୍ଡଣ୍ଟ’ ଉପରେ ଏୟାରଷ୍ଟ୍ରାଇକ୍ । ମିଆଁମାରରେ ULFA-Iର ୪ଟି ଠିକଣା ଉପରେ ଡ୍ରୋନ୍ ହମଲା ହୋଇଛି । ଏନେଇ ରବିବାର ସକାଳେ ଉଗ୍ରବାଦୀ ସଂଗଠନ ପକ୍ଷରୁ ପ୍ରେସ୍ ବିବୃତ୍ତି ଜାରି କରାଯାଇଛି । ଏହି ହମଲାରେ ଲେଫ୍ଟନେଣ୍ଟ ଜେନେରାଲ୍ ନୟନ ମେଧି ଓରଫ ନୟନ ଅସୋମଙ୍କ ସହ ୩ଜଣ ଟପ୍ କମାଣ୍ଡର ନିହତ ହୋଇଛନ୍ତି । ସୂଚନା ଅନୁଯାୟ, ଏହି ଏୟାରଷ୍ଟ୍ରାଇକରେ ମୋଟ୍ ୧୯ଜଣ କମାଣ୍ଡରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ଜଣ ଆହତ ହୋଇଛନ୍ତି । ପରେଶ ବରୁଆଙ୍କ ନେତୃତ୍ବାଧୀନ ବିଦ୍ରୋହୀ ଗୋଷ୍ଠୀ ଏହି ହମଲା ପାଇଁ ଭାରତକୁ ଦାୟୀ କରିଛି । ମାତ୍ର ଭାରତୀୟ ସେନା ଏହାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛି ।
କେତେ ଶସକ୍ତ ULFA-I?
ଦାବି ଏବଂ ପ୍ରତିବାଦରେ ସାମିଲ ହେବା ବିନା, ULFA-I ଭଳି ବିଦ୍ରୋହୀ ଗୋଷ୍ଠୀ ପାଇଁ ପରାଜୟ ସ୍ବୀକାର କରିବା ଅସମ୍ଭବ, କାରଣ ଏହି ଉଗ୍ରବାଦୀ ସଂଗଠନର କ୍ୟାଡର ସଦସ୍ୟମାନଙ୍କର ମନୋବଳ ପ୍ରଭାବିତ ହୋଇଥାଏ । ଏଠି ପ୍ରଶ୍ନ ଆସୁଛି ULFA-I ସଂଗଠନ ବର୍ତ୍ତମାନ ସମୟରେ କେତେ ପ୍ରଶଙ୍ଗିକତା ରଖୁଛି । ପୂର୍ବୋତ୍ତର ରାଜ୍ୟରେ ଭାରତୀୟ ସୁରକ୍ଷାବଳ ପାଇଁ ଏହି ସଂଗଠନ କ’ଣ ବିପଦଜନକ ? ଏହି ପ୍ରଶ୍ନ ଉତ୍ତର ପାଇଁ ଏହା ମନେରଖିବା ଆବଶ୍ୟକ ଯେ ULFA-Iର ଏକ ଗୋଷ୍ଠୀ ୨୦୨୩ ଡିସେମ୍ବର ମାସରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହିତ ଏକ ବୁଝାମଣା ସ୍ବାକ୍ଷର କରିଥିଲା । ଅରବିନ୍ଦ୍ର ରାଜଖୋଓ୍ବାଙ୍କ ନେତୃତ୍ବାଧୀନ ବାର୍ତ୍ତା ସମର୍ଥକ ଗୋଷ୍ଠୀ ଏବଂ ଏହାର ଅଧିକାଂଶ ଶୀର୍ଷ ନେତା ଏଥିରେ ସାମିଲ ଥିଲେ । ୨୦୦୯ ଜାନୁଆରୀ ମାସରେ ଶେଖ୍ ହସିନା ପ୍ରଧାନମନ୍ତ୍ରୀ ହେବା ପରେ ବାଂଲାଦେଶ ପକ୍ଷରୁ ସେମାନଙ୍କୁ ଭାରତକୁ ହସ୍ତାନ୍ତର କରାଯାଇଥିଲା ।
ବାଂଲାଦେଶ ସରକାରଙ୍ଗକ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପରେ ULFA-I କେବଳ ମିଆଁମାରର ସାଙ୍ଗାଇଙ୍ଗ କ୍ଷେତ୍ରର ଘଞ୍ଚ ଜଙ୍ଗଲରେ କିଛି ଅଂଶରେ ଥିଲେ । ୨୦୦୩ରେ ଭୁଟାନର କିଛି ଅଞ୍ଚଳରେ ରୟାଲ୍ ଆର୍ମିର ‘ଅପରେସନ ଅଲ୍କ୍ଲିୟର’ରେ ଉଗ୍ରବାଦୀଙ୍କ ଅଧିକାଂଶ ଠିକଣା ନଷ୍ଟ ହୋଇଥିଲା । ଏହି କାଉଣ୍ଟର ଆକ୍ରମଣକୁ ଭାରତୀୟ ସେନା ସମର୍ଥନ କରିଥିଲା । ଆସାମ ଯୁବକଙ୍କ ମଧ୍ୟରେ ULFA-Iର ଆକର୍ଷଣ ବର୍ତ୍ତମାନ ୧୯୯୦ ଦଶକ ଭଳି ଆଉ ନାହିଁ । ବାରମ୍ବାର ବିଭାଜନ ଏବଂ ବାଂଲାଦେଶ ଓ ଭୁଟାନରେ ଥିବା ଠିକଣା ନଷ୍ଟ ହେବା ପରେ ସଂଗଠନ ଦୁର୍ବଳ ହୋଇଯାଇଛି । ULFA-I ଉଦ୍ରବାଦୀ ସଂଗଠନ ନିକଟରେ ସେଭଳି ଆଖିଦୃଶିଆ କ୍ୟାଡର ନେତା ନଥିଲେ ମଧ୍ୟ ସଂଗଠନକୁ ହାଲୁକାରେ ନେଇ ହେବ ନାହିଁ । ଏମାନଙ୍କ ପାଖରେ ମୈତେଇ ବିଦ୍ରୋହୀ ଗୋଷ୍ଠୀ ଭଳି ଭାରତୀୟ ସେନା ଉପରେ ବଡ଼ ଆକ୍ରମଣ କରିବାର କ୍ଷମତା ନଥିଲେ ମଧ୍ୟ କ୍ଷତି ପହଞ୍ଚାଇବାର ଶକ୍ତି ରହିଛି । ପୂର୍ବରୁ ULFA-I ତୈଳ ସଂରକ୍ଷଣ ଡିପୋ ଏବଂ ଗ୍ୟାସ୍ ପାଇପଲାଇନ୍ ଉପରେ ହମଲା କରିସାରିଛନ୍ତି । ତେଣୁ ସଂଗଠନକୁ ହାଲୁକାରେ ନେଇ ହେବ ନାହିଁ ।