ନୂଆଦିଲ୍ଲୀ,୧୩।୭: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ଝିଅ ସାଇମା ୱାଜେଦ ପୁତୁଲଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ)ରୁ ଝଟକା। ଦକ୍ଷିଣ-ପୂର୍ବ ଏସିଆ ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ନିର୍ଦ୍ଦେଶକ ସାଇମାଙ୍କୁ ଅନିର୍ଦ୍ଦିଷ୍ଟକାଳୀନ ଛୁଟିରେ ପଠାଇ ଦିଯାଇଛି। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସାଇମା ୱାଜେଦଙ୍କୁ ଜୁଲାଇ ୧୧ ରେ ଛୁଟିରେ ପଠାଯାଇଥିଲା। ହେଲଥ୍ ପଲିସି ହ୍ୱାଟ୍ ର ଏକ ରିପୋର୍ଟ ଅନୁଯାୟୀ, ବାଂଲାଦେଶ ଦୁର୍ନୀତି ନିବାରଣ କମିଶନ ସାଇମାଙ୍କ ବିରୋଧରେ ଠକେଇ, ଜାଲିଆତି ଏବଂ କ୍ଷମତାର ଅପବ୍ୟବହାର ମାମଲା ରୁଜୁ କରିବାର ଚାରି ମାସ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ବାଂଲାଦେଶ ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ପ୍ରେସ୍ ସଚିବ ଶଫିକୁଲ ଆଲମ୍ ଏହାର ପ୍ରତିକ୍ରିୟା ଦେଇ ଏହାକୁ ‘ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଥମ ପଦକ୍ଷେପ' ବୋଲି କହିଛନ୍ତି। ସେ କହିଛନ୍ତି, ଆମେ ଦୃଢ଼ ଭାବରେ ବିଶ୍ୱାସ କରୁଛୁ ଯେ ଏକ ସ୍ଥାୟୀ ସମାଧାନ ଆବଶ୍ୟକ, ଯାହା ସାଇମାଙ୍କୁ ତାଙ୍କ ପଦବୀରୁ ହଟାଇବ, ସମସ୍ତ ସମ୍ବନ୍ଧିତ ସୁବିଧା ପ୍ରତ୍ୟାହାର କରିବ ଏବଂ ଏହି ପ୍ରତିଷ୍ଠାନର ଭୂମିକାର ଅଖଣ୍ଡତା ଏବଂ ସମଗ୍ର ଜାତିସଂଘ ବ୍ୟବସ୍ଥାର ବିଶ୍ୱସନୀୟତାକୁ ପୁନଃସ୍ଥାପିତ କରିବ।
ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଅଦନୋମ୍ ଘେବ୍ରେୟସସ୍ କର୍ମଚାରୀଙ୍କୁ ଏକ ସଂକ୍ଷିପ୍ତ ଆଭ୍ୟନ୍ତରୀଣ ମେଲ୍ ପଠାଇ ଏ ବିଷୟରେ ସୂଚନା ଦେଇଛନ୍ତି। ଏଥିରେ କୁହାଯାଇଛି ଯେ ସାଇମା ଶୁକ୍ରବାର (ଜୁଲାଇ ୧୧) ଠାରୁ ଛୁଟିରେ ରହିବେ ଏବଂ ତାଙ୍କ ସ୍ଥାନରେ WHOର ସହାୟକ ନିର୍ଦ୍ଦେଶକ କାଥାରିନା ବୋହେମଙ୍କୁ 'ପ୍ରଭାରୀ ଅଧିକାରୀ' ଭାବରେ ନିଯୁକ୍ତି ଦିଆଯିବ। ବୋହେମ ମଙ୍ଗଳବାର, ଜୁଲାଇ ୧୫ ତାରିଖରେ ନୂଆଦିଲ୍ଲୀରେ SEARO କାର୍ଯ୍ୟାଳୟରେ ଯୋଗଦେବେ। ବାଂଲାଦେଶ ଦୁର୍ନୀତି ନିବାରଣ କମିଶନ (ACC) ଚଳିତ ବର୍ଷ ଆରମ୍ଭରେ ସାଇମା ୱାଜେଦଙ୍କ ଶିକ୍ଷାଗତ ଯୋଗ୍ୟତା ଆଧାରରେ ତାଙ୍କ ବିରୋଧରେ ଏକ ମାମଲା ଦାୟର କରିଥିଲା। ସାଇମାଙ୍କୁ WHO ଆଞ୍ଚଳିକ ମୁଖ୍ୟ ପଦବୀ ପାଇଁ ତାଙ୍କ ମାଆ ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରଭାବ ବ୍ୟବହାର କରିବାର ACC ଅଭିଯୋଗ ମଧ୍ୟ କରିଥିଲା।