ନୂଆଦିଲ୍ଲୀ,୧୪/୭:ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପୁଟିନଙ୍କ ଉପରେ ବର୍ଷିଛନ୍ତି। ନିଜର ଅସନ୍ତୋଷ ପ୍ରକାଶ କରି ଟ୍ରମ୍ପ କହିଛନ୍ତି ଯେ,ସେ କେବଳ ଭଲ କଥା କୁହନ୍ତି, କିନ୍ତୁ ରାତିର ଅନ୍ଧାରରେ ଲୋକଙ୍କ ଉପରେ ବୋମା ଫୋପାଡ଼ନ୍ତି।
ନ୍ୟୁ ଜର୍ସିରେ ଫିଫା ବିଶ୍ୱକପ୍ ଫାଇନାଲରୁ ଫେରିବା ପରେ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଛନ୍ତି ଯେ,ମୁଁ ରାଷ୍ଟ୍ରପତି ପୁଟିନଙ୍କ ଉପରେ ବହୁତ ନିରାଶ। ସେ ଭଲ କଥା କୁହନ୍ତି। ସେ କଥା କହିବାରେ ବିଶେଷଜ୍ଞ କିନ୍ତୁ ସେ ରାତିର ଅନ୍ଧାରରେ ଲୋକଙ୍କ ଉପରେ ବୋମା ଫୋପାଡ଼ନ୍ତି। ଆମେ ଏହାକୁ ପସନ୍ଦ କରୁନାହୁଁ। ସେହିପରି ଯେତେବେଳେ ଟ୍ରମ୍ପଙ୍କୁ ପଚରାଗଲା ଯେ ଆମେରିକା ୟୁକ୍ରେନକୁ କି ସାହାଯ୍ୟ ଯୋଗାଇବାକୁ ଯାଉଛି। ଏନେଇ ଟ୍ରମ୍ପ କହିଥିଲେ ଯେ, ଆମେ ୟୁକ୍ରେନକୁ ପେଟ୍ରିଅଟ ମିସାଇଲ ପଠାଇବାକୁ ଯାଉଛୁ ଯାହା ସେମାନଙ୍କୁ ନିତ୍ୟାନ୍ତ ଆବଶ୍ୟକ। ତେବେ ପେଟ୍ରିଅଟ ହେଉଛି ଆମେରିକାର ସର୍ବୋତ୍ତମ ବାୟୁ ପ୍ରତିରକ୍ଷା ପ୍ରଣାଳୀ। ବୈଠକ ସମୟରେ ୟୁକ୍ରେନର ରାଷ୍ଟ୍ରପତି ଟ୍ରମ୍ପଙ୍କଠାରୁ ଏହା ଦାବି କରିଥିଲେ। ଯଦିଓ ଏହି ସମୟରେ ଟ୍ରମ୍ପ ୟୁକ୍ରେନକୁ କେତେ ପେଟ୍ରିଅଟ ପଠାଯିବ ତାହା କହି ନଥିଲେ, କିନ୍ତୁ ସ୍ପଷ୍ଟ କରିଥିଲେ ଯେ ଆମେରିକା ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବ।
ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ, ସ୍ପଷ୍ଟ କରିଦେଇଥିଲେ ଯେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ରୋକିବା ତାଙ୍କର ପ୍ରାଥମିକତା। ସେ ଏହି କ୍ଷେତ୍ରରେ ପ୍ରୟାସ ମଧ୍ୟ କରିଥିଲେ। ଟ୍ରମ୍ପ ପୁଟିନଙ୍କ ସହ ସିଧାସଳଖ ଅନେକ ଥର କଥା ହୋଇଥିଲେ। ଅନେକ ଥର ଦୁଇ ନେତା ଗୋଟିଏ ଘଣ୍ଟା ପାଇଁ ଫୋନ୍ରେ କଥା ହୋଇଥିଲେ। ଏହି ସମୟ ମଧ୍ୟରେ ଟ୍ରମ୍ପ ତାଙ୍କର ସ୍ୱତନ୍ତ୍ର ଦୂତଙ୍କୁ ମସ୍କୋ ମଧ୍ୟ ପଠାଇଥିଲେ, କିନ୍ତୁ ତଥାପି ଦୁଇ ନେତା ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ରାଜି ହୋଇପାରିଲେ ନାହିଁ। ପ୍ରକୃତରେ,ଋଷ ରାଷ୍ଟ୍ରପତି କହିଛନ୍ତି ଯେ ସେ କେବେ ଚାହାଁନ୍ତି ନାହିଁ ଯେ ୟୁକ୍ରେନ ନାଟୋରେ ସାମିଲ ହେଉ। ତଥାପି, ଆଲୋଚନା ସମୟରେ ୟୁକ୍ରେନ ରୁଷିଆର ସବୁଠାରୁ ବଡ଼ ଏୟାରବେସ ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ଅନେକ ଲଢ଼ୁଆ ବିମାନ ଏବଂ ବାୟୁ ପ୍ରତିରକ୍ଷା ପ୍ରଣାଳୀ S-400 ନଷ୍ଟ ହୋଇଯାଇଥିଲା। ସେବେଠାରୁ, ପୁଟିନ ୟୁକ୍ରେନ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଆସୁଛନ୍ତି ଏବଂ କିଭ ଉପରେ ନିରନ୍ତର କ୍ଷେପଣାସ୍ତ୍ର ମାଡ଼ କରୁଛନ୍ତି। ଏହି ଆକ୍ରମଣ ପରେ, ଯୁଦ୍ଧବିରତି ସମ୍ପର୍କରେ ଆଲୋଚନା ଆଗକୁ ବଢ଼ିପାରିନାହିଁ।