ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧ ବନ୍ଦ ନହେଲେ ରୁଷକୁ ଟାରିଫ୍ ଦଣ୍ଡ ଦେବେ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଯଦି ଆଗାମୀ ୫୦ ଦିନ ମଧ୍ୟରେ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ କୌଣସି ଚୁକ୍ତି ନହୁଏ, ତେବେ ସେ ରୁଷକୁ ଶୁଳ୍କ ଲଗାଇ ଦଣ୍ଡିତ କରିବେ । ସେ ନାଟୋ ସେକ୍ରେଟାରୀ ଜେନେରାଲ ମାର୍କ ରୁଟଙ୍କ ସହ ଏକ ବୈଠକ ସମୟରେ ଏହା କହିଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ଏହି ଶୁଳ୍କ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ। ତେବେ କେଉଁ ଉତ୍ପାଦ ଉପରେ ଏହି ଶୁଳ୍କ ଲାଗୁ କରାଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଆମେରିକା ରାଷ୍ଟ୍ରପତି ଚେତାବନୀ ଦେଇଛନ୍ତି ଯେ, ଯଦି ଯୁଦ୍ଧ ବନ୍ଦ ନହୁଏ, ତେବେ ସେ କଠୋର ଶୁଳ୍କ ଲାଗୁ କରିବେ। ଏହି ଶୁଳ୍କ ରୁଷର ବାଣିଜ୍ୟିକ ଅଂଶୀଦାର ଦେଶଗୁଡ଼ିକ ଉପରେ ମଧ୍ୟ ଲାଗୁ ହେବ । ସେପଟେ ନାଟୋ ମୁଖ୍ୟ ରୁଟ୍ କହିଛନ୍ତି ଯେ, ୟୁକ୍ରେନକୁ ଯୁଦ୍ଧରେ ସାହାଯ୍ୟ କରିବା ପାଇଁ ୟୁରୋପୀୟ ଦେଶ ଆମେରିକାଠାରୁ ଅସ୍ତ୍ରଶସ୍ତ୍ର କିଣିବେ । ଏହି ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଶାନ୍ତି ଆଲୋଚନାର ପୁନର୍ବିଚାର କରିବାକୁ ବାଧ୍ୟ କରିପାରିବ। ୟୁକ୍ରେନକୁ କ୍ଷେପଣାସ୍ତ୍ର, ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ଗୋଳାବାରୁଦ ପରି ବହୁ ପରିମାଣର ସାମରିକ ଉପକରଣ ମିଳିବ । ସେ ଜୋର ଦେଇ କହିଛନ୍ତି ଯେ, ଜର୍ମାନୀ, ଫିନଲ୍ୟାଣ୍ଡ, କାନାଡା, ନରୱେ, ସ୍ୱିଡେନ, ବ୍ରିଟେନ ଏବଂ ଡେନମାର୍କ ଅସ୍ତ୍ରଶସ୍ତ୍ର କିଣି ୟୁକ୍ରେନକୁ ଦେବେ ।
ଟ୍ରମ୍ପ୍ କହିଛନ୍ତି ଯେ, ଏକ ନୂତନ ଚୁକ୍ତି ଅନୁଯାୟୀ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଯୋଗାଇବେ । ଫଳରେ ରୁଷର ପ୍ରକୋପରୁ ନିଜକୁ ରକ୍ଷା କରିପାରିବ ୟୁକ୍ରେନ । ସୋମବାର ଓଭାଲ୍ ଅଫିସରେ ରୁଟଙ୍କ ସହ ଏକ ବୈଠକରେ ଟ୍ରମ୍ପ୍ କହିଛନ୍ତି ଯେ, ଏହି ଅସ୍ତ୍ରଶସ୍ତ୍ରର ଯୋଗାଣ ମଧ୍ୟରେ ଯଦି ୫୦ ଦିନ ମଧ୍ୟରେ ଶାନ୍ତି ଚୁକ୍ତି ନହୁଏ ତେବେ ସମସ୍ତ ରୁଷ ରପ୍ତାନି ଉପରେ ଶତ ପ୍ରତିଶତ ଶୁଳ୍କ ଲଗାଇବୁ । ଟ୍ରମ୍ପ ଏଭଳି ଚେତବାନୀ ମାଧ୍ୟମରେ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଯୁଦ୍ଧ ବନ୍ଦ କରିବାକୁ ଏକ ଦୃଢ଼ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ବୋଲି ଚର୍ଚ୍ଚା ହେଉଛି ।