ନୂଆଦିଲ୍ଲୀ,୧୨/୦୭: ଏଲନ୍ ମସ୍କ୍ଙ୍କ ଇ-ଯାନ କମ୍ପାନି ଟେସ୍ଲା ଜୁଲାଇ ୧୫ରେ ଭାରତରେ ଏହାର ପ୍ରଥମ ଷ୍ଟୋର ଆରମ୍ଭ କରିବାକୁ ଯାଉଛି । ଏ ଷ୍ଟୋର ମୁମ୍ବାଇରେ ଖୋଲିବ ଏବଂ ଲୋକଙ୍କ ପାଇଁ ଏହା ଏକ ଏକ୍ସପେରିଏନ୍ସ ଷ୍ଟୋର ଭାବେ କାର୍ଯ୍ୟ କରିବ । ଅର୍ଥାତ୍ ଏଠାରେ କେବଳ ଗାଡ଼ି ବିକ୍ରି କରାଯିବ ନାହିଁ ତା’ସହିତ ଲୋକେ ଟେସ୍ଲାର ଟେକ୍ନୋଲୋଜି ଏବଂ ଫିଚର୍କୁ ମଧ୍ୟ ଅତି ନିକଟରୁ ଦେଖିପାରିବେ । ଏକ ଗଣମାଧ୍ୟମ ସୂତ୍ରରୁ ଏହା ଜଣାପଡ଼ିଛି ।
କମ୍ପାନି ନିକଟରେ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସରେ ୪,୦୦୦ ବର୍ଗ ଫୁଟ୍ର ରିଟେଲ୍ ସ୍ପେସ୍ ପାଇଁ ଲିଜ୍ ସ୍ୱାକ୍ଷର କରିଥିଲା । ଏହା ସହରସ୍ଥିତ ଆପଲ୍ର ଫ୍ଲାଗ୍ସିପ୍ ଷ୍ଟୋର ପାଖରେ ରହିଛି । ପ୍ରଥମ ପର୍ଯ୍ୟାୟରେ ଟେସ୍ଲା ଏହାର ମଡେଲ୍ ୱାଇ ଏସ୍ୟୁଭିକୁ ଆଣୁଛି, ଯାହାକୁ ସାଂଘାଇ ଫ୍ୟାକ୍ଟ୍ରିରୁ ଆମଦାନି କରାଯାଇଛି । ଭାରତରେ ଏହାର ମୂଲ୍ୟ ପାଖାପାଖି ୪୮ ଲକ୍ଷ ଟଙ୍କା ରହିପାରେ ।
ବ୍ଲୁମ୍ବର୍ଗର ଏକ ରିପୋର୍ଟ ଅନୁସାରେ, ଚୀନ୍ର ସାଂଘାଇ ଫ୍ୟାକ୍ଟ୍ରିରୁ ୫ଟି ମଡେଲ ୱାଇ ଗାଡ଼ି ପୂର୍ବରୁ ମୁମ୍ବାଇର ଟେସ୍ଲା ସୋ’ରୁମ୍ରେ ପହଞ୍ଚିସାରିଛି । ଟେସ୍ଲାର ଏହି ଗାଡ଼ିଗୁଡ଼ିକର ମୂଲ୍ୟ ୨୭.୭ ଲକ୍ଷ ଟଙ୍କା ଏବଂ ଏହା ଉପରେ ୨୧ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ଆମଦାନି ଶୁଳ୍କ ଲଗାଯିବା ପରେ ଦର ୪୮ ଲକ୍ଷ ହୋଇଯିବ ।
ଏହି ଟିକସ ଭାରତର ଉକ୍ତ ୭୦% ଟିକସ ହିସାବରେ ଲାଗୁ ହେବ, ଯାହା ୪୦,୦୦୦ ଡଲାରରୁ କମ୍ ମୂଲ୍ୟର ଆମଦାନି ହେଉଥିବା ଗାଡ଼ିଗୁଡ଼ିକ ଉପରେ ଲାଗିଥାଏ । ଏଥିରେ ଅତିରିକ୍ତ ଶୁଳ୍କ ବି ସାମିଲ ଅଛି । ନିକଟରେ ଭାରତରେ ନିଜର ନେତୃତ୍ୱ ପରିବର୍ତ୍ତନ ସତ୍ତେ୍ୱ ଟେସ୍ଲା ଏହାର ଯୋଜନା ଅନୁସାରେ ଗାଡ଼ିର ଲଞ୍ଚିଂ ନେଇ ଆଗକୁ ଅଗ୍ରସର ହେଉଛି । କମ୍ପାନିର ଭାରତ ମୁଖ୍ୟ ପ୍ରଶାନ୍ତ ମେନନ ୯ ବର୍ଷର ସେବା ପରେ ଗତ ମାସ ଇସ୍ତଫା ଦେଇଛନ୍ତି । ବ୍ଲୁମ୍ବର୍ଗ ଅନୁସାରେ, ବର୍ତ୍ତମାନ ଟେସ୍ଲାର ଚୀନ୍ସ୍ଥିତ ଟିମ୍ ଭାରତୀୟ କାରବାରକୁ ପରିଚାଳନା କରୁଛି ଏବଂ ଏଯାବତ୍ କୌଣସି ନୂଆ ଉତ୍ତରାଧିକାରୀ ନିଯୁକ୍ତ ହୋଇନାହାନ୍ତି । କମ୍ପାନିର ମଡେଲ ୱାଇ ବିଶ୍ୱର ବିକ୍ରିବହୁଳ ଇଲେକ୍ଟ୍ରିକ୍ କାର । ଏହା ଭାରତୀୟ ଗ୍ରାହକଙ୍କୁ ପସନ୍ଦ ଆସିପାରେ ।
କମ୍ପାନି ଆମେରିକା, ଚୀନ୍ ଏବଂ ନେଦର୍ଲାଣ୍ଡ୍ରୁ ସୁପର୍ଚାର୍ଜର କମ୍ପୋନେଣ୍ଟ, କାର୍ ଆସେସରିଜ୍, ମର୍ଚ୍ଚାଣ୍ଡାଇଜ୍ ଏବଂ ସ୍ପେୟାର୍ ପାର୍ଟସ ଆମଦାନି କରିଛି । ଟେସ୍ଲା ଭାରତ ଆସିବାର ପ୍ରମୁଖ କାରଣ ହେଉଛି ଭାରତ ବିଶ୍ୱର ତୃତୀୟ ବୃହତ୍ ଅଟୋମୋବାଇଲ ବଜାର । କମ୍ପାନିକୁ ୟୁରୋପ ଏବଂ ଚୀନ୍ରେ ବିକ୍ରି ହ୍ରାସର ସାମ୍ନା କରିବାକୁ ପଡ଼ିଥିବାବେଳେ ଭାରତ ଏହା ପାଇଁ ଏକ ବଡ଼ ସୁଯୋଗ ସାବ୍ୟସ୍ତ ହୋଇପାରେ ।