ଭୁବନେଶ୍ୱର,୧୪/୦୭: ୨୦୪୭ ବେଳକୁ ରାଜ୍ୟର ମୋଟ ଘରୋଇ ଉତ୍ପାଦ ୧.୫ ଟ୍ରିଲିୟନ ଡଲାର ଛୁଆଁଇବା ଲକ୍ଷ୍ୟ ଦିଗରେ ଓଡ଼ିଶା ଅଗ୍ରସର । ଅଭିବୃଦ୍ଧିକୁ ବଳ ଦେବାରେ ଷ୍ଟାର୍ଟଅପ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି । ଏହି ଆଧାରରେ ନବସୃଜନ ଏବଂ ଔଦ୍ୟୋଗିକତା ପରିବ୍ୟବସ୍ଥାକୁ ଆହୁରି ଦୃଢ଼ କରିବେ ରାଜ୍ୟ ସରକାର । ଓଡ଼ିଶାକୁ ଦେଶର ପୂର୍ବ ଭାଗରେ ଔଦ୍ୟୋଗିତା ହବ୍ ଭାବେ ବିକଶିତ କରିବାକୁ ଭିଜନ ଡକ୍ୟୁମେଣ୍ଟ ୨୦୩୬-୪୭ରେ ଲକ୍ଷ୍ୟ ରଖାଯାଇଛି ।
ଏହା ଦ୍ୱାରା ନୂଆ ଉଦ୍ଭାବନ ଏବଂ ଔଦ୍ୟୋଗିତା ସଂସ୍କୃତିକୁ ପ୍ରୋତ୍ସାହିତ କରାଯିବ । ଷ୍ଟାର୍ଟଅପ୍ ଗୁଡ଼ିକ ନୂଆ ନିଯୁକ୍ତି ଯୋଡ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ । ୨୦୧୬ରେ ଷ୍ଟାର୍ଟଅପ୍ ଓଡ଼ିଶା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା । ଏହା ପରଠୁ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଦୃଢ଼ୀକରଣ କ୍ଷେତ୍ରରେ ରାଜ୍ୟ ବେଶ ପ୍ରଶଂସା ସାଉଣ୍ଟିଛି । ଏହା ସହ ଆଗକୁ ଦୃଢ଼ ନିବେଶକ ନେଟୱର୍କ, ସ୍ୱତନ୍ତ୍ର ମେଣ୍ଟରଶିପ ପ୍ଲାଟଫର୍ମ ଦ୍ୱାରା ରାଜ୍ୟ ପ୍ରମୁଖ ଷ୍ଟାର୍ଟଅପ୍ ଡେଷ୍ଟିନେସନ ପାଲଟିବ ବୋଲି ଭିଜନ ଡକ୍ୟୁମେଣ୍ଟରେ ନକ୍ସା ଅଙ୍କାଯାଇଛି ।
ରାଜ୍ୟକୁ ଟପ୍ ୫ ଷ୍ଟାର୍ଟଅପ୍ ଇକୋସିଷ୍ଟମ ମଧ୍ୟରେ ସାମିଲ କରାଯିବ । ରାଜ୍ୟରେ ଅନ୍ତତଃ ପକ୍ଷେ ୫ରୁ ୮ଟି ୟୁନିକର୍ଣ୍ଣ ସୃଷ୍ଟ ଦିଗରେ କାର୍ଯ୍ୟକ୍ରମ ଆସିବ । ୨୦୩୬ ବେଳକୁ ଷ୍ଟାର୍ଟଅପ ଗୁଡ଼ିକ ୧୦% ନିଯୁକ୍ତି ଅଂଶ ହାସଲ କରିବାକୁ ଯୋଜନା ରଖାଯାଇଛି । ଏହି ଅବଧିରେ ୩୩% ମହିଳା ନେତୃତ୍ୱାଧୀନ ଷ୍ଟାର୍ଟଅପ ସୃଷ୍ଟି କରିବ ରାଜ୍ୟ । ଯାହା ୨୦୪୭ ବେଳକୁ ୫୦% ଛୁଇଁବ ।
ଏ ଦିଗରେ ରାଜ୍ୟ ସରକାର ଗ୍ଲୋବାଲ ଇନୋଭେସନ ଏବଂ ଷ୍ଟାର୍ଟଅପ୍ ସିଟି କାର୍ଯ୍ୟକ୍ରମ ଗ୍ରହଣ କରିବେ । ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ (ବିସିପିପିଇଆର୍) ପୂର୍ବଭାଗର ପ୍ରମୁଖ ଷ୍ଟାର୍ଟଅପ୍ ହବ୍ ଭାବେ ବିକଶିତ କରାଯିବ । ଏସବୁ ଅଞ୍ଚଳରେ ବିଶ୍ୱସ୍ତରୀୟ ଭିତ୍ତିଭୂମି, ନବସୃଜନ କ୍ଲଷ୍ଟର ସ୍ଥାପନ ହେବ । ଏହି ଅନୁସାରେ ନୀତିଗତ ପଦକ୍ଷେପ ମଧ୍ୟ ଆସିବ ।
ରାଜ୍ୟ ସରକାର କର୍ପୋରେଟ ସହଭାଗିତାରେ ଷ୍ଟାର୍ଟଅପ୍କୁ ସହାୟତା ଲାଗି ବିଶେଷ ପାଣ୍ଠି ଏବଂ ଇନୋଭେସନ ଆଲାଏନ୍ସ ଗଠନ କରିବେ। ୧୫ ଜିଲାରେ ମାର୍କି ଇନକ୍ୟୁବେଟର ପାର୍କ ଆସିବ । ଷ୍ଟାର୍ଟଅପ୍ ଗୁଡ଼ିକ ଲାଗି ବଜାର ସୁବିଧାକୁ ଉନ୍ନତ କରାଯିବ । ଏହାକୁ ନଜରରେ ରଖି ରାଜ୍ୟ ସରକାର ଆଗାମୀ ୨୪ ମାସରେ ଓଡ଼ିଶା ଷ୍ଟାର୍ଟଅପ୍ ଗ୍ରୋଥ୍ ଫଣ୍ଡ ଗଠନ କରିବେ । ସେହିଭଳି ମଡେଲ ଇନକ୍ୟୁବେଟର ପାର୍କ ସ୍ଥାପନା ହେବ । ଷ୍ଟାର୍ଟ ଅପ୍ ଗୁଡ଼ିକର ସଂଜ୍ଞା ଏବଂ ନାନୋ ୟୁନିକର୍ଣ୍ଣ କାର୍ଯ୍ୟକ୍ରମକୁ ସରକାର ତ୍ୱରାନ୍ୱିତ କରିବେ ।