ବେଙ୍ଗାଲୁରୁ, ୧୪/୦୭: ବେଙ୍ଗାଲୁରୁରେ ‘No UPI Only Cash’ । ଦୋକାନ ସାମ୍ନାରେ ଝୁଲିଲା ନୋଟିସ୍ । ସ୍ୱଦେଶୀ ଟେକ୍ନୋଲୋଜିକୁ ବିରୋଧ । କେବଳ ଭାରତରେ ନୁହେଁ ବିଦେଶରେ ବି ଚର୍ଚ୍ଚାରେ ସ୍ବଦେଶୀ ପେମେଣ୍ଟ ପ୍ଲାଟଫର୍ମ UPI । ଭାରତୀୟ ଜ୍ଞାନ କୌଶଳରେ ତିଆରି ‘ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍’କୁ ଆଦୃତ ମିଳିଛି । ଛୋଟ ଦୋକାନ ଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟବସାୟୀ ଏହି ପେମେଣ୍ଟ ସିଷ୍ଟମ ପ୍ରଥମ ପସନ୍ଦ ହୋଇଛି । କିଛି ସେକେଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର କାରବାର ବିନା କୌଣସି ସମସ୍ୟାରେ ହେଇପାରୁଛି । ପ୍ରଧାନମନ୍ତ୍ରୀ ନିଜେ ବିଦେଶରେ ଏହାର ପ୍ରଚାର କରୁଛନ୍ତି । ତେବେ ନିଜ ଦେଶରେ ହିଁ ଏହାକୁ ବିରୋଧ ଆରମ୍ଭ ହୋଇଛି । ଆଇଟି ହବ୍ ବେଙ୍ଗାଲୁରୁରେ UPIକୁ ବିରୋଧ ହେଉଛି । ଅଧିକାଂଶ ଦୋକାନୀ QR କୋଡ୍ ସ୍ଥାନରେ ‘No UPI Only Cash’ ନୋଟିସ୍ ଝୁଲାଇଛନ୍ତି । ଥାର୍ଡ ପାର୍ଟି ପେମେଣ୍ଟ ନୁହେଁ ବରଂ ନଗଦ ମାଗୁଛନ୍ତି ଦୋକାନୀ ।
ଆଇଟି ହବ୍ରେ UPIକୁ କାହିଁକି ବିରୋଧ ? ଅନଲାଇନ ପେମେଣ୍ଟକୁ କ’ଣ ପାଇଁ ନା ? ଏସବୁ ପ୍ରଶ୍ନର ଉତ୍ତର ହେଉଛି କେନ୍ଦ୍ର ସରକାରଙ୍କ GST ନୋଟିସ୍ । ଦୋକାନୀ ଏବଂ UPI QR କୋଡ୍ ପେମେଣ୍ଟ ମଝିରେ ପ୍ରାଚୀର ହୋଇ ଛିଡ଼ା ହୋଇଛି ସେବା ଓ ଦ୍ରବ୍ୟ କର । କ୍ଷୁଦ୍ର ବ୍ୟବସାୟୀଙ୍କୁ ଆୟକର ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ଜିଏସଟି ନୋଟିସ୍ ଲାଗି ପରେ ସାମଗ୍ରୀ ବଦଳରେ କେବଳ ନଗଦ ଖୋଜୁଛନ୍ତି । କ୍ୟାସ୍ ନଥିଲେ ଜିନିଷ ବିକ୍ରି କରିବାକୁ ରୋକଠୋକ୍ ମନା କରିଦେଇଛନ୍ତି ଛୋଟ ଦୋକାନୀ ଏବଂ ଫେରିବାଲା ।
ବେଙ୍ଗାଲୁରୁରେ ଚା’ ଏବଂ ଜଳଖିଆ ବିକ୍ରି କରୁଥିବା ଦୋକନୀଙ୍କୁ ଆସୁଛି ଲକ୍ଷାଧିକ ଟଙ୍କାର ସେବା ଓ ଦ୍ରବ୍ୟ ଶୁଳ୍କ । ପ୍ରତିଦିନ ୩ ହଜାର ବ୍ୟବସାୟ କରୁଥିବା ଦୋକାନୀ ଜିଏସଟି ଭରିଲେ ନିଜ ପାଇଁ କେତେ ଟଙ୍କା ସଞ୍ଚୟ କରିବେ ବୋଲି ପ୍ରଶ୍ନ କରିଛନ୍ତି । ସେପଟେ ବର୍ଷକୁ ୪୦ ଲକ୍ଷ ବ୍ୟବସାୟ କଲେ ଜିଏସଟି ପଞ୍ଜୀକରଣ ବାଧ୍ୟତାମୂଳକ । ସେହିପରି ସେବା ଯୋଗାଉଥିବା ଛୋଟ କମ୍ପାନି ବାର୍ଷିକ ୨୦ ଲକ୍ଷ ଟଙ୍କା କାରବାର କଲେ ନିୟମ ଅନୁଯାୟୀ ଆୟକର ଦେବାକୁ ପଡ଼ିବ ।
ପ୍ରତି UPI କାରବାର ଉପରେ ଆୟକର ବିଭାଗର ନଜର ରହିଛି । କୌଣସି ଉଧାର ନିଆଯାଇଥିବା ଟଙ୍କା ଥାର୍ଡ ପାର୍ଟି ଆପ୍ରେ ଆସିଲେ ମଧ୍ୟ ଗଣତି କରୁଛି ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ । ସେପଟେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କର୍ଣ୍ଣାଟକ ସରକାରଙ୍କୁ ୧.୨୦ ଲକ୍ଷ କୋଟି ଟଙ୍କାର ଟ୍ୟାକ୍ସ ଆଦାୟ ପାଇଁ ଟାର୍ଗେଟ୍ ମିଳିଛି । ରାଜ୍ୟ ସରକାର କୌଣସି ଉପାୟରେ ଏହାକୁ ପୂରଣ କରିବାକୁ ଲାଗିପଡ଼ିଛନ୍ତି । ଯାହାକୁ ନେଇ ଛୋଟ ଦୋକାନୀ ଏବଂ ଫେରିବାଲା UPI ମାଧ୍ୟମରେ ପେମେଣ୍ଟ ନେବାକୁ ନା କରୁଛନ୍ତି ।