ପ୍ୟାରିସ,୦୮/୦୮: ପ୍ୟାରିସ୍ ଅଲିମ୍ପିକ୍ସରେ ୧୩ତମ ଦିବସ । ଆଥଲେଟିକ୍ସରେ ରହିଛି ମୋଟ୍ ୬ଟି ପଦକ ଇଭେଣ୍ଟ । ଅଧିକାଂଶ ଇଭେଣ୍ଟରେ ଡିଫେଣ୍ଡିଂ ଅଲିମ୍ପିକ୍ସ ଚାମ୍ପିଅନମାନେ ଗ୍ରାଉଣ୍ଡକୁ ଓହ୍ଲାଇବେ । ଭାରତୀୟଙ୍କ ନଜର ଜାଭେଲିନ ଷ୍ଟାର୍ ନୀରଜ ଚୋପ୍ରାଙ୍କ ଉପରେ ରହିବ । ଏହା ବ୍ୟତୀତ ମହିଳା ଲଙ୍ଗ ଜମ୍ପରେ ଜର୍ମାନୀର ମାଲାଇକା ମିହାମ୍ବୋ, ପୁରୁଷ ବର୍ଗ ୨୦୦ମିଟର ଦୌଡ଼ ଫାଇନାଲ୍ରେ ଆନ୍ଦ୍ରେ ଡି ଗ୍ରାସେ, ମହିଳା ବର୍ଗ ୪୦୦ମିଟର ହର୍ଡଲ୍ସରେ ସିଡନୀ ମ୍ୟାକଲଫଲିନ୍ ଓ ୧୧୦ମିଟର ହର୍ଡଲ୍ସରେ ହାଁସଲେ ପର୍ଚମେଣ୍ଟଙ୍କ ଭଳି ଡିଫେଣ୍ଡିଂ ଚାମ୍ପିଅନମାନେ ଟାଇଟଲ ବଜାୟ ରଖିବାକୁ ପ୍ରୟାସ କରିବେ ।
ଜାଭେଲିନ୍ ଥ୍ରୋ(ପୁରୁଷ)
ଯୋଗ୍ୟତା ରାଉଣ୍ଡର ପ୍ରଦର୍ଶନକୁ ଦେଖିଲେ ନୀରଜ ହିଁ ସ୍ୱର୍ଣ୍ଣ ଦାବିଦାର ରହିବେ ବୋଲି ଆଶା କରାଯାଇପାରେ । ସେ ପ୍ରଥମ ପ୍ରୟାସରେ ୮୯.୩୪ମିଟର ଥ୍ରୋ କରି ପ୍ରଥମ ସ୍ଥାନ ଅଧିକାର କରିବା ସହ ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିଥିଲେ । ଏହି ଥ୍ରୋ’ ନିଜ କ୍ୟାରିୟର୍ ଶ୍ରେଷ୍ଠ ପ୍ରଦର୍ଶନ ଠାରୁ ମାତ୍ର ୬୦ସେଣ୍ଟି ମିଟର କମ୍ ରହିଥିଲା । ତଥାପି ସେ ୩୨ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସବୁଠୁ ଆଗରେ ରହିଥିଲେ । ବର୍ତ୍ତମାନ ୧୪୦କୋଟି ଭାରତୀୟ ତାଙ୍କ ପାଇଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ।
ନୀରଜଙ୍କ ଗ୍ରୁପ୍ରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପାକିସ୍ତାନର ଅର୍ସଦ ନଦୀମ ଓ ଗ୍ରେନାଡ଼ାର ଆଣ୍ଡରସନ ପିଟର୍ସ ଗୋଟିଏ ଲେଖାଏଁ ଥ୍ରୋ’ରେ ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିଥିଲେ । ଆଣ୍ଡରସନ୍ ୮୮.୬୩ମିଟର ଓ ଅର୍ସଦ ୮୬.୫୯ ମିଟର ଥ୍ରୋ କରିଥିଲେ । ସେହିପରି ଗ୍ରୁପ୍ ଏ’ରେ ଜର୍ମାନୀର ଜୁଲିଆନ୍ ୱେବରଙ୍କ ପ୍ରଥମ ଥ୍ରୋ ୮୭.୭୬ ମିଟର ରହିଥିଲା ।
ପୁରୁଷ ୧୧୦ମି. ହର୍ଡଲ୍ସ
୩ଥର ବିଶ୍ୱ ଚାମ୍ପିଅନ୍ ୟୁଏସ୍ଏର ଗ୍ରାଣ୍ଟ ହୋଲୋୱେ ଆସନ୍ତାକାଲି ସ୍ୱର୍ଣ୍ଣ ପଦକର ପ୍ରବଳ ଦାବିଦାର ରହିବେ । ସେ ପ୍ରଥମ ରାଉଣ୍ଡ୍ରେ ୧୩.୦୧ ସେକେଣ୍ଡ ଓ ସେମି ଫାଇନାଲ୍ରେ ୧୨.୯୮ସେକେଣ୍ଡ ଟାଇମିଂ ସହ ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି । ଟୋକିଓ ଚାମ୍ପିଅନ୍ ଜାମାଇକାର ହାନ୍ସଲେ ପର୍ଚମେଣ୍ଟ୍ ୧୩.୪୩ସେକେଣ୍ଡ ଓ ସେମିରେ ୧୩.୧୯ସେକେଣ୍ଡ ଟାଇମିଂ ରଖିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜାମାଇକାର ଓର୍ଲାଣ୍ଡୋ ବେନେଟ, ୟୁଏସଏର ଡାନିଏଲ ରୋବୋର୍ଟ ଓ ସ୍ପେନ୍ର ଏନରିକ ଲୋପିସ୍ ମଧ୍ୟ ପଦକ ଦାବିଦାର ରହିଛନ୍ତି ।
୪୦୦ମି. ହର୍ଡଲ୍ସ(ମହିଳା)
ମହିଳା ବର୍ଗ ୪୦୦ମିଟର ହର୍ଡଲ୍ସ ଇଭେଣ୍ଟରେ ସମସ୍ତଙ୍କ ନଜର ଅଲିମ୍ପିକ୍ସ ଚାମ୍ପିଅନ୍ ତଥା ବିଶ୍ୱ ରେକର୍ଡ ସ୍ଥାପନ କରିଥିବା ୟୁଏସଏର ସିଡନୀ ମ୍ୟାକଲଫଲିନ ଓ ବିଶ୍ୱ ଚାମ୍ପିଅନ୍ ଫେମକେ ବୋଲଙ୍କ ଉପରେ ରହିବ । ବୋଲ୍ ସେମି ଫାଇନାଲ୍ରେ ୫୨.୫୭ସେକେଣ୍ଡ ଟାଇମିଂ ରଖିଛନ୍ତି । ସେହିପରି ମ୍ୟାକଲଫଲିନ୍ ୫୨.୧୩ସେକେଣ୍ଡ ସହ ଶୀର୍ଷରେ ରହିଛନ୍ତି । ଉଭୟଙ୍କ ବ୍ୟତୀତ ୟୁଏସ୍ଏର ଆନ୍ନା କକରେଲ୍ (୫୨.୯୦ସେକେଣ୍ଡ) ଓ ଜାମାଇକା ରସେଲ କ୍ଲାଇଟନ (୫୩.୦୦ସେକେଣ୍ଡ) ପ୍ରମୁଖ ଅନ୍ୟ ପଦକ ଦାବିଦାର ରହିବେ ।
୨୦୦ମିଟର ଫାଇନାଲ(ପୁରୁଷ)
୧୩ତମ ଦିବସର ମୁଖ୍ୟ ଆକର୍ଷଣ ରହିବ ପୁରୁଷ ବର୍ଗ ୨୦୦ମିଟର ଦୌଡ଼ । ୧୦୦ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିସାରିଥିବା ୟୁଏସଏର ନୋଆ ଲାଇଲ୍ସଙ୍କୁ ଭାଗ୍ୟ ସାଥ୍ ଦେଇଥିଲା । ସେ ଗୋଲଡେନ୍ ଡବଲ୍ ପାଇଁ ପ୍ରୟାସ କରିବେ । ଡିଫେଣ୍ଡି ଚାମ୍ପିଅନ୍ ଆନ୍ଦ୍ରେ ଡି ଗ୍ରାସେ ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି । ତେଣୁ ଲାଇଲ୍ସଙ୍କୁ ଅନ୍ୟ ଆମେରିକୀୟ କେନି ବେଡନାରେକ୍ ଓ ବୋଟ୍ସୱାନାର ଲେସଲି ତେବୋଗୋ ସ୍ୱର୍ଣ୍ଣ ପଦକ ପାଇଁ ଟକ୍କର ଦେବା ଆଶା କରାଯାଉଛି । ସେମି ଫାଇନାଲ୍ରେ ତେବୋଗୋ ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି ।
ଲଙ୍ଗ ଜମ୍ପ(ମହିଳା)
ମହିଳା ବର୍ଗ ଲଙ୍ଗଜମ୍ପ ଇଭେଣ୍ଟରେ ମଧ୍ୟ ମିହାମ୍ବୋଙ୍କ ଆଧିପତ୍ୟ ଶେଷ ହେବା ଆଶଙ୍କା କରାଯାଉଛି । ଯୋଗ୍ୟତା ରାଉଣ୍ଡ୍ରେ ୟୁଏସ୍ଏର ତାରା ଡେଭିସ-ଉଡ୍ହଲ୍ ୬.୯୦ ମିଟର ଜମ୍ପ ସହ ଶୀର୍ଷରେ ରହିଥିଲେ । ମିହାମ୍ବୋ ୬.୮୬ମିଟର ଜମ୍ପ କରିଥିଲେ । ଇଟାଲୀର ଲରିସା ଇପିଚିନୋ ୬.୮୭ମିଟର ଦୂର ଜମ୍ପ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ । ଚଳିତ ବର୍ଷ ମିହାମ୍ବୋ ୭.୨୨ ମିଟର ଜମ୍ପ କରିଛନ୍ତି । ଉଡହଲ୍ଙ୍କ ଶ୍ରେଷ୍ଠ ପ୍ରଦର୍ଶନ ମଧ୍ୟ ୭.୧୮ମିଟର ରହିଛି ।