ନୂଆଦିଲ୍ଲୀ,୦୩/୦୮: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ ଶୁଭ୍ରାଂଶୁ ଶୁକ୍ଳାଙ୍କୁ ଭାରତୀୟ- ଆମେରିକୀୟ ସ୍ପେସ୍ ମିଶନ ପାଇଁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ (ଆଇଏସ୍ଏସ୍)କୁ ପଠାଇବା ଲାଗି ମନୋନୀତ କରିଛି । ଏ ନେଇ ଇାସ୍ରୋ ଶୁକ୍ରବାର ସୂଚନା ଦେଇଛି । ଶୁଭ୍ରାଂଶୁ ପ୍ରାଇମ ଆଷ୍ଟ୍ରୋନଟ୍ ବା ପ୍ରମୁଖ ମହାକାଶଚାରୀ ଭାବେ ଚୟନ ହୋଇଛନ୍ତି । ସ୍ପେସ୍ ଷ୍ଟେସନରେ ଶୁଭ୍ରାଂଶୁ ଭାରତର ପ୍ରତିନିଧିତ୍ୱ କରିବେ । ଇସ୍ରୋର ହ୍ୟୁମାନ ସ୍ପେସ୍ ଫ୍ଲାଇଟ ସେଣ୍ଟର (ଏଚ୍ଏସ୍ଏଫ୍ସି) ସ୍ପେସ୍ ଷ୍ଟେସନ ପାଇଁ ଏହାର ଆଗାମୀ ଆକ୍ସିଓମ୍-୪ ମିଶନ ଲାଗି ଆମେରିକାର ଆକ୍ସିଓମ୍ ସ୍ପେସ୍ ସହ ଏକ ସ୍ପେସ୍ ଫ୍ଲାଇଟ୍ ଆଗ୍ରିମେଣ୍ଟ (ଏସ୍ଏଫ୍ଏ) କରିଛି । ଏଥିରେ ଜଣେ ପ୍ରମୁଖ ଏବଂ ଅନ୍ୟ ଜଣେ ବ୍ୟାକ୍ଅପ୍ ମିଶନ ପାଇଲଟ ରହିବେ । ଶୁଭ୍ରାଂଶୁ ପ୍ରାଇମ ଆଷ୍ଟ୍ରୋନଟ୍ ହୋଇଥିବାବେଳେ ବାୟୁସେନାର ଆଉ ଜଣେ ଗ୍ରୁପ୍ କ୍ୟାପ୍ଟେନ ପ୍ରଶାନ୍ତ ବାଲକ୍ରିଷ୍ଣନ୍ଙ୍କୁ ବ୍ୟାକ୍ଅପ୍ ମିଶନ ପାଇଲଟ ଚୟନ କରାଯାଇଛି ।
ଅଗଷ୍ଟ ପ୍ରଥମ ସପ୍ତାହରେ ଏହି ଦୁଇ ଅଫିସର (ଗଗନଯାତ୍ରୀ)ଙ୍କ ଟ୍ରେନିଂ ଆରମ୍ଭ ହେବ । ମିଶନରେ ଏହି ଦୁଇ ଅଧିକାରୀ ସ୍ପେସ୍ ଷ୍ଟେସନରେ ନିର୍ଦ୍ଦିଷ୍ଟ ବୈଜ୍ଞାନିକ ଅନୁସନ୍ଧାନ, ଟେକ୍ନୋଲୋଜି ଆଧାରିତ ଗବେଷଣା ସହ ମହାକାଶରେ ଅନ୍ୟ କାର୍ଯ୍ୟକଳାପରେ ମଧ୍ୟ ସାମିଲ ହେବେ । ଆକ୍ସିଓମ୍-୪ ମିଶନରେ ଆମେରିକାର ପେଗି ହ୍ୱିଟ୍ସନ (କମାଣ୍ଡର), ପୋଲାଣ୍ଡର ଏସ୍ଏ ଉଜ୍ନାନ୍ସ୍କି (ମିଶନ ସ୍ପେଶାଲିଷ୍ଟ) ଏବଂ ହଙ୍ଗେରୀର ତିବୁର କପୁ(ମିଶନ ସ୍ପେଶାଲିଷ୍ଟ) ରହିଛନ୍ତି । ୧୯୮୫ରେ ଅକ୍ଟୋବର ୧୦ରେ ଲକ୍ଷେ୍ନøରେ ଜନ୍ମିତ ଶୁଭ୍ରାଂଶୁ ଜାତୀୟ ପ୍ରତିରକ୍ଷା ଏକାଡେମୀର ପୂର୍ବତନ ଛାତ୍ର । ସେ ୨୦୦୬ରେ ବାୟୁସେନାର ଫାଇଟର ୱିଙ୍ଗ୍ରେ ନିଯୁକ୍ତ ହୋଇଥିଲେ ।