ଢାକା,୦୮/୦୮: ଗୁରୁବାରବାଂଲାଦେଶରେ ଅନ୍ତରୀଣ ସରକାର ଗଠନ ହେବ । ରାତି ସାଢ଼େ ୮ଟାରେ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ସେନା ମୁଖ୍ୟ ୱକାର-ଉଜ୍-ଜମାନ ଏହି ସୂଚନା ଦେଇଛନ୍ତି । ୧୫ ଜଣ ସଦସ୍ୟଙ୍କୁ ନେଇ ନୂଆ ସରକାର କାମ କରିବ ।
ବ୍ୟାପକ ହିଂସାକାଣ୍ଡ ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ୭୬ ବର୍ଷୀୟା ଶେଖ ହସିନା ଦେଶ ଛାଡ଼ି ପଳାୟନ କରିଥିଲେ । ଏହାପରେ ଦେଶର ସେନା ଅସ୍ଥାୟୀ ଭାବେ କ୍ଷମତା ହାତକୁ ନେଇଥିଲା । ଏବେ ଦେଶରେ ଅନ୍ତରୀଣ ସରକାର ଶପଥ ନେବାକୁ ଯାଉଛି । ଏହି ସରକାରରେ ମୁଖ୍ୟ ଉପଦେଷ୍ଟା ଭୂମିକା ନିର୍ବାହ କରିବେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସ । ସେ ଗୁରୁବାର ପ୍ୟାରିସରୁ ସ୍ୱଦେଶ ଫେରିବେ ।
ଟେଲିଭିଜନ୍ ଚ୍ୟାନେଲ୍ରେ ସୂଚନା ଦେଇ ସେନା ମୁଖ୍ୟ କହିଛନ୍ତି, ମହମ୍ମଦ ୟୁନୁସଙ୍କ ତତ୍ତ୍ୱାବଧାନରେ ଗୁରୁବାର ରାତି ୮ଟାରେ ଅନ୍ତରୀଣ ସରକାର ଶପଥ ନେବ । ଦେଶ ଏଣିକି ଗଣତାନ୍ତ୍ରିକ ଉପାୟରେ ପରିଚାଳିତ ହେବ । ସେହିଭଳି ସ୍ୱଦେଶ ଫେରିବା ପୂର୍ବରୁ ୟୁନୁସ ଆନ୍ଦୋଳନରେ ସାମିଲ ଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କହିଛନ୍ତି, ମୁଁ ସାହସୀ ଛାତ୍ରଛାତ୍ରୀଙ୍କୁ ଦେଶର ଦ୍ୱିତୀୟ ବିଜୟ ଦିବସ ଅବସରରେ ଅଭିନନ୍ଦନ ଜଣାଉଛି । ସମସ୍ତଙ୍କୁ ହିଂସା ରୋକି ଶାନ୍ତି ମାର୍ଗ ଆପଣାଇବାକୁ ଅପିଲ୍ କରୁଛି । କାନ୍ଧରେ କାନ୍ଧ ମିଳାଇ ଦେଶକୁ ଆଗେଇ ନେବାକୁ ହେବ ।
ବାଂଲାଦେଶରେ ହସିନାଙ୍କ ନେତୃତ୍ୱାଧୀନ ଆୱାମି ଲିଗ୍ ସରକାରର ପତନ ଏବଂ ଅନ୍ତରୀଣ ସରକାର ଗଠନ ପରିପ୍ରେକ୍ଷୀରେ ବିରୋଧୀ ଦଳ ବିଏନ୍ପିରେ ଉତ୍ସବର ମାହୋଲ । ସେହି ଖୁସିରେ ଆଜି ଦଳ ନିଜ ମୁଖ୍ୟାଳୟରେ ଜନସଭା କରିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ପୁଅ ତାରିକ ରହମାନ ବି ଏହି ଜନସଭାରେ ସାମିଲ ହୋଇ ଜନତାଙ୍କୁ ସମ୍ବୋଧନ କରିଛନ୍ତି । ତାରିକଙ୍କୁ ୨୦୦୪ର ଆତଙ୍କୀ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏହାପରେ ସେ ଦେଶ ଛାଡ଼ି ଲଣ୍ଡନ ପଳାଇଥିଲେ।
ମଙ୍ଗଳବାର ଜେଲରୁ ମୁକୁଳିଥିବା ଖାଲିଦାଙ୍କୁ ଆଜି ନୂଆ ପାସ୍ପୋର୍ଟ ପ୍ରଦାନ କରାଯାଇଛି । ଦୀର୍ଘଦିନ ହେଲା ଅସୁସ୍ଥ ରହିଥିବାରୁ ଚିକିତ୍ସା ପାଇଁ ସେ ବିଦେଶ ଯିବାକୁ ଚାହୁଁଥିଲେ। କିନ୍ତୁ ଅନୁମତି ମିଳି ନ ଥିଲା । ଜେଲରୁ ବାହାରିବା ପରେ ତାଙ୍କୁ ଆଜି ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ସାଢ଼େ ୬ ବର୍ଷ ପରେ ଖାଲିଦା ଜିୟା ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଦେଶର ନିର୍ମାଣ ପାଇଁ ଶାନ୍ତି ଓ ସଦ୍ଭାବର ଆବଶ୍ୟକତା ରହିଛି । ବିନାଶ ଓ ପ୍ରତିଶୋଧ ଭାବନାରୁ କିଛି ବି ମିଳିବ ନାହିଁ । ମୋତେ ଜେଲରୁ ମୁକ୍ତ କରାଯାଇଛି । ମୁଁ ସେହି ବାହାଦୂର ଲୋକମାନଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ନିଜ ଜୀବନକୁ ବାଜିରେ ଲଗାଇ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ।
ଏହି ବିଜୟ ଦୁର୍ନୀତି ଓ ନକାରାତ୍ମକ ରାଜନୀତିରୁ ବାହାରିବା ପାଇଁ ଏକ ସୁଯୋଗ ଦେଇଛି । ଦେଶକୁ ବିକଶିତ କରିବାର ସମୟ ଆସିଛି । ଯୁବଗୋଷ୍ଠୀ ଏହି ଦେଶର ଭବିଷ୍ୟତ । ସେମାନଙ୍କ ସ୍ୱପ୍ନ ପୂରଣ ପାଇଁ ଆମକୁ ପଦକ୍ଷେପ ନେବାକୁ ହେବ । ଏହାକୁ ବାସ୍ତବରେ ପରିଣତ କରିବାକୁ ହେଲେ ବାଂଲାଦେଶକୁ ଗଣତାନ୍ତ୍ରିକ ଦେଶ ବନାଇବାକୁ ପଡ଼ିବ । ଖାଲିଦା ଜିୟାଙ୍କୁ ୨୦୧୮ରେ ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇଥିଲା । ସେବେଠାରୁ ସେ ଜେଲରେ ବନ୍ଦୀ ଥିଲେ ।