ଫିରିଙ୍ଗିଆ,୧l ୮: ଗତ କିଛି ଦିନ ହେବ ଫିରିଙ୍ଗିଆ ବ୍ଲକରେ ଲଗାଣ ବର୍ଷା ଲାଗି ରହିଛି । ଯାହାଦ୍ୱାରା ଫିରିଙ୍ଗିଆ ବ୍ଲକର ବହୁ ଗାଁମାନଙ୍କରେ ଘର ଭାଙ୍ଗିବା ସହ ରାସ୍ତାରେ ପାଣି ଚାଲିବା ଦ୍ବାରା ଯୋଗାଯୋଗ ବିଛିନ୍ନ ହୋଇ ପଡିଛି l ତେବେ ବୁଧବାର ପୁଣି ବର୍ଷା ହେବାରୁ ପକାରୀ ପଞ୍ଚାୟତର ପକାରୀ ଗାଁରେ ଗୋଟିଏ ଘର ଭାଙ୍ଗିଥିବା ବେଳେ, ମାଲା ଗାଁ, କେଳା ପଡ଼ା ଭଳି ଅନେକ ଗାଁରେ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି । ବର୍ଷାରେ ଘର ଭାଙ୍ଗି ଯିବା ଦ୍ୱାରା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏମିତିକି କିଛି ଲୋକଙ୍କ ଘର ଭାଙ୍ଗିବା ଦ୍ୱାରା ବିଭିନ୍ନ ଆସବାବପତ୍ର ଓ ଆବଶ୍ୟକୀୟ କାଗଜ ପତ୍ର ନଷ୍ଟ ହୋଇଯାଇଛି।
ଏହି ଘଟଣାକୁ ନେଇ ଫିରିଙ୍ଗିଆ ତହସିଲଦାର ଅନାମିକା ପାଣ୍ଡେଙ୍କୁ ପଚାରିବାରୁ ଫିରିଙ୍ଗିଆ ବ୍ଲକରେ ୧୫ ଜଣକ ଘର ଭାଙ୍ଗିଥିବା ଖବର ମିଳିଛି। ସେମାନଙ୍କୁ ଜରି ପାଲ ଦିଆ ଯାଇଛି । ଅଧିକ କ୍ଷୟ କ୍ଷତି ହୋଇଥିବା ଦୁଇଟି ଘରକୁ ସରକାରଙ୍କ ତରଫରୁ ୧ ଲକ୍ଷ କୋଡିଏ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି l ଏହା ବ୍ୟତୀତ ଯଦି ଆଉ ଯଦି କାହାର ଘର ଭାଙ୍ଗିଥିବା ଖବର ଆସେ ତାଙ୍କୁ ମଧ୍ୟ ଯାହା ବ୍ୟବସ୍ଥା ଅଛି ସହଯୋଗ କରାଯିବ ବୋଲି କହିଛନ୍ତି l ତେବେ ବ୍ଲକର ବିଭିନ୍ନ ଗାଁରେ ଭାଙ୍ଗିଥିବା ଘର ସଂଖ୍ୟା ଅଧିକ ହେବ ବୋଲି ସୂଚନା ମିଳିଛି l