ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜ୍ୟୋତିଷଙ୍କ ଭବିଷ୍ୟବାଣୀ: ହିଟ୍‌ମ୍ୟାନ୍‌ଙ୍କ ରାଶିରେ ବିଶ୍ୱକପ୍‌ ଟ୍ରଫି, ଚ୍ୟାଲେଞ୍ଜ ଦେବ ଅଷ୍ଟ୍ରେଲିଆ

ଅହମ୍ମଦାବାଦ,୧୮/୧୧: ଆଉ ଦିନକର ଅପେକ୍ଷା । ହେବ ବିଶ୍ୱକପ୍‌ ଲଢ଼େଇ । ଉତ୍କଣ୍ଠା ଏବେ ଶିଖରରେ । ମନରେ ଗୋଟିଏ ପ୍ରଶ୍ନ... କିଏ ଜିତିବ? ଉତ୍ତର...ଭାରତ..ଭାରତ ହିଁ ଜିତିବ । ତୃତୀୟ ଥର ହାତେଇବ ବିଶ୍ୱକପ୍‌ । 

ଏହା ଆମେ କହୁନୁ...କହୁଛନ୍ତି ଜଣାଶୁଣା ଜ୍ୟୋତିର୍ବିଦ୍‌ । ହିଟ୍‌ମ୍ୟାନ୍‌ ରୋହିତଙ୍କ ଜାତକର ରାଶି ନକ୍ଷତ୍ର ଏବେ ଉଚ୍ଚସ୍ଥାନରେ । ସାଥୀ ଖେଳାଳିଙ୍କ ଭାଗ୍ୟ ବି ଟାଣ ଅଛି । ଲଢ଼ୁଆ ଟିମ୍‌ ଅଷ୍ଟ୍ରେଲିଆ ପରାଜୟ ସ୍ୱୀକାର କରିବାକୁ ବାଧ୍ୟ ହେବ ।

ଏହି ଭବିଷ୍ୟବାଣୀ କରିଛନ୍ତି ଜ୍ୟୋତିଷ ଜଗନ୍ନାଥ ଗୁରୁଜୀ ଏବଂ ଅନିରୁଦ୍ଧ କୁମାର ।  

ଭାରତ ଓ ଅଷ୍ଟ୍ରେଲିଆ ବିଶ୍ୱର ସର୍ବବୃହତ୍‌ ଷ୍ଟାଡିୟମ୍‌ରେ ଶେଷ ସଂଘର୍ଷ ପାଇଁ ତୟାର । ଟ୍ରଫି ପାଇଁ ହେବ ଘମାଘୋଟ ଲଢ଼େଇ । ଦର୍ଶକଙ୍କ ଉତ୍କଣ୍ଠା କାହିଁରେ କ’ଣ । ଅହମ୍ମଦାବାଦ ସହରର ରାଜ ରାସ୍ତା ଏବେ ଜନସମୁଦ୍ର । ହୋଟେଲ ରୁମ୍‌ର ମୂଲ୍ୟକୁ ଆଖି ପାଉନାହିଁ । ଅଗଣିତ କ୍ରିକେଟ୍‌ ପ୍ରେମୀ ଭାରତର ବିଜୟ ପାଇଁ ବ୍ରତ ରଖିଛନ୍ତି । ମନ୍ଦିରରେ ପୂଜାପାଠ ଆରମ୍ଭ ହୋଇଯାଇଛି । ଏପଟେ ଜ୍ୟୋତିଷମାନେ ମଧ୍ୟ ମ୍ୟାଚ୍‌କୁ ନେଇ ଗଣନା ଆରମ୍ଭ କରିଦେଇଛନ୍ତି । ଉଭୟ ଦଳର ଅଧିନାୟକଙ୍କ ଜାତକ ଦେଖା ଚାଲିଛି । କିଏ ହେବେ ବିଶ୍ୱ ବିଜେତା? କାହା ହାତରେ ଚମକିବ ବିଶ୍ୱକପ୍‌ ଟ୍ରଫି? କ୍ରିକେଟ୍‌ ପ୍ରେମୀଙ୍କ ମନରେ ଚାଲିଥିବା ଏଭଳି ଅନେକ ପ୍ରଶ୍ନର ସମାଧାନ କରିବାରେ ଲାଗି ପଡ଼ିଛନ୍ତି ଜ୍ୟୋତିଷ ବିଶାରଦ ।

ଜ୍ୟୋତିଷ ଜଗନ୍ନାଥ ଗୁରୁଜୀଙ୍କ ଗଣନା ଅନୁଯାୟୀ ଭାରତ ଏଥର ବିଶ୍ୱକପ ଜିତିବ । ଅଷ୍ଟ୍ରେଲିଆ ତୁଳନାରେ ଭାରତର ରାଶିରେ ଶକ୍ତିଶାଳୀ ଗ୍ରହଙ୍କ ସମନ୍ୱୟ ଘଟିଛି । ସେ କହିଛନ୍ତି, ଶୁଭମନ ଗିଲ୍‌, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ମହମ୍ମଦ ସାମି ଓ ଯଶପ୍ରୀତ ବୁମରାଙ୍କ ରାଶିରେ ୟୁରେନସ, ନେପଚ୍ୟୁନ ଓ ଶୁକ୍ର ଗ୍ରହ ରହିଥିବାରୁ ବିଶ୍ୱକପ୍‌ରେ ସେମାନଙ୍କ ଚମକ ଜାରି ରହିଛି ।  ମାତ୍ର ଅଷ୍ଟମରେ ମଙ୍ଗଳ ରହିଥିବାରୁ ଭାରତୀୟ ଦଳକୁ ସତର୍କ ରହିବାକୁ ହେବ । ମାତ୍ରାଧିକ ଆତ୍ମବିଶ୍ୱାସ ଦେଖାଇଲେ ଘାତକ ହୋଇପାରେ । ବରଂ ନିଜ ନିଜର କ୍ଷମତା ବଳରେ ଶ୍ରେଷ୍ଠ ପ୍ରଦର୍ଶନ ଦେବା ପ୍ରୟାସ କରନ୍ତୁ । 

ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସଙ୍କ ରାଶିରେ ଶକ୍ତିଶାଳୀ ଗ୍ରହଙ୍କ ସମନ୍ୱୟ ରହିଛି । ମାତ୍ର ରୋହିତଙ୍କ ରାଶି ତୁଳନାରେ ଉନ୍ନତ ନୁହେଁ । ଫାଇନାଲ୍‌ ମୁକାବିଲାରେ କମିନ୍ସଙ୍କ ନେତୃତ୍ୱ ଶୈଳୀ ଶକ୍ତିଶାଳୀ ରହିବ । ମାତ୍ର ରୋହିତ ସବୁ ବିଭାଗରେ ତାଙ୍କୁ ଟପିଯିବେ । ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରେଭିସ୍‌ ହେଡ୍‌, ଆଡାମ ଜାମ୍ପା, ମିଚେଲ ମାର୍ଶ, ମିଚେଲ ଷ୍ଟାର୍କ ଓ ମାର୍ନସ ଲାବୁସାନ ପ୍ରଭାବଶାଳୀ ପ୍ରଦର୍ଶନ କରି ଭାରତ ଉପରେ ପ୍ରବଳ ଚାପ ପକାଇବେ । ମଧ୍ୟ ଓଭର ଗୁଡ଼ିକ ସଂଘର୍ଷପୂର୍ଣ୍ଣ ହେବ । ଅଷ୍ଟ୍ରେଲିଆ କଡ଼ା ଟକ୍କର ଦେବ । ମାତ୍ର ରୋହିତ ସବୁ ହର୍ଡଲ୍ସ ପାର କରିବେ ।

ବ୍ୟକ୍ତିଗତ ଭାବେ ଦେଖିବାକୁ ଗଲେ ରୋହିତ ଶର୍ମାଙ୍କ ରାଶିରେ ଟ୍ରଫି ଉଠାଇବାରେ ଯୋଗ ରହିଛି । ତାଙ୍କ ରାଶି ଦିନକୁ ଦିନ ଶକ୍ତିଶାଳୀ ହୋଇଚାଲିଛି । ତାଙ୍କ ନେତୃତ୍ୱ ଦକ୍ଷତାରେ ବୃଦ୍ଧି ଘଟିଛି । ରୋହିତଙ୍କ ରାଶିରେ ବର୍ତ୍ତମାନ ଗ୍ରହଙ୍କ ଉପସ୍ଥିତି ଯେଉଁ ଯେଉଁ ସ୍ଥାନରେ ରହିଛି, ୨୦୧୧ ବିଶ୍ୱକପ୍‌ ସମୟରେ ମହେନ୍ଦ୍ର ସିଂହ ଧୋନିଙ୍କ ରାଶିରେ ଗ୍ରହଙ୍କ ଉପସ୍ଥିତି ଠିକ୍‌ ସେହି ସ୍ଥାନରେ ରହିଥିଲା । ତେଣୁ ରୋହିତ ଇତିହାସ ରଚିବେ ।

ଜ୍ୟୋତିର୍ବିଦ୍‌ ଅନିରୁଦ୍ଧ କୁମାରଙ୍କ ଗଣନା ମଧ୍ୟ ଭାରତ ସପକ୍ଷରେ । ୨୦୧୧ ମସିହାରେ ତାଙ୍କ ଗଣନା ହୋଇଥିଲା ସତ୍ୟ । ଏଥର ସେ ପ୍ରଥମରୁ ଗଣନା କରିନଥିଲେ ମଧ୍ୟ ଖେଳର ରୋମାଞ୍ଚ ଓ ଫ୍ୟାନ୍‌ଙ୍କ ଅନୁରୋଧ ତାଙ୍କୁ ବାଧ୍ୟ କରିଥିଲା ଭବିଷ୍ୟବାଣୀ କରିବାକୁ । ଅକ୍ଟୋବର ପ୍ରଥମ ସପ୍ତାହରେ ସେ କରିଥିଲେ ଗଣନା ଏବଂ କହିଥିଲେ ଭାରତ ଫାଇନାଲରେ ପହଞ୍ଚିବ, ବିଶ୍ୱକପ୍‌ ବି ହାତେଇବ । ଏହି ଗଣନାର ସତ୍ୟତା ଏବେ ଚୂଡ଼ାନ୍ତ ପାହାଚରେ । 

ଗଣେଶ ସ୍ପିକ୍‌ସ ଗଣନା ମଧ୍ୟ ରୋହିତ ସେନା ସପକ୍ଷରେ । ଭାରତୀୟ ଦଳର ସମସ୍ତ ବୋଲରଙ୍କ ଜାତକରେ ରବିବାର ଗ୍ରହ ନକ୍ଷତ୍ର ଉଚ୍ଚସ୍ଥାନରେ ରହୁଛି । ପ୍ରଦର୍ଶନ ହେବ ଚମତ୍କାର । ସେମାନେ ଧରିବେ ବିଶ୍ୱକପ୍‌ ।   

ସୂଚନାଯୋଗ୍ୟ, ଲିଗ୍‌ ପର୍ଯ୍ୟାୟରେ ଉଭୟ ଦଳ ପରସ୍ପର ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିଥିଲେ । ଭାରତ ଉକ୍ତ ମ୍ୟାଚ୍‌ ଜିତିଥିଲା । ଏଥର ଅଷ୍ଟ୍ରେଲିଆ ବାଜି ପଲଟାଇବାକୁ ଲକ୍ଷ୍ୟ ରଖିଛି । ମାତ୍ର ଭାରତର ଲକ୍ଷ୍ୟ ରହିଛି ୨୦୦୩ ବିଶ୍ୱକପ ଫାଇନାଲ୍‌ ପରାଜୟର ପ୍ରତିଶୋଧ ।

  • prameyanews
  • PrameyaOdia
  • prameya
  • ODI World Cup 2023
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.