ନୂଆଦିଲ୍ଲୀ: ଆସୁଛି ମୌସୁମୀ । ଏଥର ଦିନକ ପୂର୍ବରୁ କେରଳ ଉପକୂଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି । ଖୁବଶୀଘ୍ର ଆସିବ ବର୍ଷା ଦିନ । ସାଧାରଣତଃ ମୌସୁମୀ ବାୟୁ ଜୁନ୍ ୧ରେ କେରଳ ପହଞ୍ଚୁଥିବା ବେଳେ ଏଥର ମେ’ ୩୧ରେ ପହଞ୍ଚିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । କିନ୍ତୁ ମୌସୁମୀ ବାୟୁ ପହଞ୍ଚିବାର ସମୟ ରେ ପରିବର୍ତ୍ତନ ହୋଇପାରେ । ସେପଟେ ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଆଗରୁ ନୁହେଁ ବରଂ ଠିକ୍ ସମୟରେ ମୌସୁମୀ ପହଞ୍ଚିବ ।
ଆଉ ମାତ୍ର ୧୫ ଦିନ ପରେ ଆସିବ ମୌସୁମୀ । ମେ ୩୧ ତାରିଖରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଜଳବାୟୁ ପରିବର୍ତ୍ତନ ଅନୁସାରେ, ବୁଧବାର ଏହି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ମୌସୁମୀ ବାୟୁ ଛୁଇଁବାର ପ୍ରକ୍ରିୟା ମେ ୨୭ ତାରିଖରୁ ଜୁନ ୪ ତାରିଖ ମଧ୍ୟରେ ଆରମ୍ଭ ହୋଇପାରେ ।
ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନରୁ ଆରମ୍ଭ ହୋଇ ସେପ୍ଟେମ୍ବରରେ ବିଦାୟ ନିଏ । ତେବେ ଏଥର ମୌସୁମୀ ବାୟୁ ପ୍ରଭାବରେ ସାଧାରଣ ଠାରୁ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି । ଗତବର୍ଷ ଜୁନ ୮ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁଥିଲା । ଅନୁମାନ ତାରିଖ ଠାରୁ ୪ ଦିନ ବିଳମ୍ବରେ ପହଞ୍ଚିଥିଲା ମୌସୁମୀ ବାୟୁ ।
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶ ପାଇଁ ଖୁବ ଉପଯୋଗୀ । ଚାଷ ପାଇଁ ମୌସୁମୀର ଭୂମିକା ଗୁରୁତ୍ବପୂର୍ଣ୍ଣ । ଜୁନ ଏବଂ ଜୁଲାଇ ମାସରେ ମୌସୁମୀ ବାୟୁ ଜନିତ ବର୍ଷା ଖରିଫ ଫସଲ ପାଇଁ ଦରକାରୀ ହୋଇଥାଏ । ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ମେ ୧୯ ତାରିଖରେ ମୌସୁମୀ ବାୟୁ ଆଣ୍ଡାମାନ ନିକୋବରରେ ପହଞ୍ଚିବାର ସମ୍ଭାବନା ରହିଛି। ଏହାପରେ ମୌସୁମୀ ଦେଶର ଅନ୍ୟାନ୍ୟ ସ୍ଥାନକୁ ଯିବ । ଗତ ୧୯ ବର୍ଷ ଧରି ଭାରତୀୟ ପାଣିପାଗ ବିଭାଗ ମୌସୁମୀର ପୂର୍ବାନୁମାନ କରିଆସୁଛି । ଆଇଏମ୍ଡି ଅନୁଯାୟୀ, ୨୦୧୫କୁ ବାଦ ଦେଲେ ୨୦୦୫ ରୁ ୨୦୨୩ ପର୍ଯ୍ୟନ୍ତ ବିଭାଗର ପୂର୍ବାନୁମାନ ସଠିକ୍ ହୋଇଛି।