ଲଣ୍ଡନ,୦୮/୦୭: ଆସନ୍ତା ଗୁରୁବାର ଠାରୁ ଆରମ୍ଭ ହେବ ଚଳିତ ଆଣ୍ଡରସନ- ତେନ୍ଦୁଲକର ଟ୍ରଫିର ତୃତୀୟ ଟେଷ୍ଟ । ଐତିହାସିକ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡ୍ରେ ଖେଳାଯିବ ଏହି ମୁକାବିଲା । ଦ୍ୱିତୀୟ ଟେଷ୍ଟରେ ପରାଜିତ ହେବା ପରେ ଘରୋଇ ଦଳ ପୁନର୍ବାର ଅଗ୍ରଣୀ ପାଇଁ ବ୍ୟାକୁଳ। ବିସ୍ଫୋରକ ବ୍ୟାଟିଂ ଓ ବିଶାଳ ସ୍କୋର ବଳରେ ଭାରତକୁ ହରାଇବା କଷ୍ଟକର ଥିବା ଇଂଲଣ୍ଡ ଉପଲବ୍ଧି କରିସାରିଛି । ତେଣୁ ଲର୍ଡ୍ସରେ ପେସ୍ ବୋଲରଙ୍କୁ ସହାୟତା କରିବା ଭଳି ପିଚ୍ ପ୍ରସ୍ତୁତ କରିବା ପାଇଁ ପିଚ କ୍ୟୁରେଟରଙ୍କୁ ନିର୍ଦ୍ଦେଶ ଦେଇଛି ।
ଏଜବାଷ୍ଟନରେ ପରାଜୟ ପରେ ଇଂଲଣ୍ଡ ପିଚ୍କୁ ଦୋଷ ଦେଇଥିଲା । ଉପମହାଦେଶର ପିଚ୍ ଭଳି ଏଜବାଷ୍ଟନରେ ଏକ ପିଚ୍ ପ୍ରସ୍ତୁତ କରାଯାଇଥିବା ଉଭୟ ବେନ ଷ୍ଟୋକ୍ସ ଓ କୋଚ୍ ବ୍ରେଣ୍ଡନ ମ୍ୟାକ୍କୁଲମ ପ୍ରକାଶ କରିଥିଲେ । କିନ୍ତୁ ଲର୍ଡ୍ସରେ ପେସ୍ ବୋଲରଙ୍କୁ ସୁହାଇବା ଭଳି ଏକ ପିଚ୍ ପ୍ରସ୍ତୁତ କରିବା ପାଇଁ କୁହାଯାଇଥିବା ଉଭୟ ପ୍ରକାଶ କରିଥିଲେ । ଏମ୍ସିସି ପିଚ୍ କ୍ୟୁରେଟର କାର୍ଲ ମ୍ୟାକଡର୍ମଟ ତୃତୀୟ ଟେଷ୍ଟ ପାଇଁ ପିଚ୍ ପ୍ରସ୍ତୁତ କରୁଛନ୍ତି ।
ତୃତୀୟ ଟେଷ୍ଟ ପାଇଁ ଲର୍ଡ୍ସ ପିଚ୍ କିଭଳି ରହିବ, ତାହା ଇଂଲଣ୍ଡ ଦଳରେ ଏକ ପ୍ରକାର ସ୍ପଷ୍ଟ ହେଉଛି । ଦଳକୁ ପେସ୍ ବୋଲର ଗସ ଆଟକିନସନଙ୍କୁ ଡ଼ାକରା ମିଳିଛି । ଫଳରେ ଇଂଲଣ୍ଡ ଏକ ପୂର୍ଣ୍ଣ ପେସ୍ ବାହିନୀ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବା ନିଶ୍ଚିତ । ଉଭୟ ଆର୍ଚର ଓ ଆଟକିନସନ ଏହି ମ୍ୟାଚ୍ ଖେଳିବା ଆଶା କରାଯାଉଛି । ଲର୍ଡ୍ସରେ ଆଟକିନସନଙ୍କ ରେକର୍ଡ ବେଶ୍ ପ୍ରଶଂସନୀୟ । ସେ ଏହି ଗ୍ରାଉଣ୍ଡ୍ରେ ୨ଟି ଟେଷ୍ଟ ଖେଳି ଶତକ ଅର୍ଜନ କରିବା ସହ ୧୯ଟି ୱିକେଟ୍ ନେଇଛନ୍ତି । ଉଭୟ ଖେଳିଲେ ସୋହେବ ବସିର ଓ ଜୋସ ଟଙ୍ଗଙ୍କୁ ଏକାଦଶରୁ ବାଦ ଦିଆଯିବ । ଆବଶ୍ୟକ ସ୍ଥଳେ ଜୋ ରୁଟ୍ ସ୍ପିନ୍ ବୋଲିଂ କରିବେ ।
ଗତ ଜୁନ୍ ୧୧ରୁ ୧୫ ତାରିଖ ମଧ୍ୟରେ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡ୍ରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଖେଳାଯାଇଥିଲା । ଉକ୍ତ ମ୍ୟାଚ୍ରେ ପେସ୍ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ଉଭୟ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଦଳର ପେସ୍ ବୋଲର ମୋଟ୍ ୩୧ଟି ୱିକେଟ୍ ନେଇଥିଲେ ।
ବିଶ୍ରାମ ନେଲେ ଉଭୟ ଦଳ
ଉଭୟ ଦଳ ଲଣ୍ଡନରେ ପହଞ୍ଚି ବିଶ୍ରାମ ନେଇଛନ୍ତି । ଘରୋଇ ଦଳ ମଧ୍ୟ ଅଭ୍ୟାସରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛି । ବୁଧବାର ଦିନ ଅଭ୍ୟାସ କରି ଗୁରୁବାର ଦିନ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ଦଳ ନିଷ୍ପତ୍ତି ନେଇଛି । କେବଳ ପ୍ରଥମ ୨ ଟେଷ୍ଟ ଖେଳି ନଥିବା ଖେଳାଳିମାନେ ଆବଶ୍ୟକ ପଡ଼ିଲେ ମଙ୍ଗଳବାର ଅଭ୍ୟାସ କରିବେ । ପ୍ରଥମ ୨ଟି ଟେଷ୍ଟରେ ଇଂଲଣ୍ଡ ବୋଲରମାନେ ମୋଟ୍ ୪୪୩ ଓଭର ବୋଲିଂ କରିଛନ୍ତି।
ଭାରତ କରିପାରେ ୩ ପରିବର୍ତ୍ତନ
ଲର୍ଡ୍ସ ଟେଷ୍ଟରେ ଭାରତ ମଧ୍ୟ ଏକାଦଶରେ ପରିବର୍ତ୍ତନ କରିବା ନିଶ୍ଚିତ । ଦ୍ୱିତୀୟ ଟେଷ୍ଟରୁ ବିଶ୍ରାମ ନେଇଥିବା ଯଶପ୍ରୀତ ବୁମରା ଏକାଦଶକୁ ଫେରିବେ । ଏଜବାଷ୍ଟନ ଟେଷ୍ଟରୁ ବୁମରାଙ୍କୁ ବିଶ୍ରାମ ଦିଆଯାଇଥିଲା । ତାଙ୍କ ସ୍ଥାନରେ ଆକାଶ ଦୀପ ଖେଳିଥିଲେ ଓ ୧୦ ୱିକେଟ୍ ନେଇଥିଲେ । ତେଣୁ ସେ ଲର୍ଡ୍ସରେ ଖେଳିବା ନିଶ୍ଚିତ । ବୁମରା ଖେଳିଲେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ବାଦ ଦିଆଯିବ ।
ଦ୍ୱିତୀୟ ଟେଷ୍ଟରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ନୀତିଶ କୁମାର ରେଡ୍ଡୀ ମଧ୍ୟ ଏକାଦଶରୁ ବାଦ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ତାଙ୍କ ସ୍ଥାନରେ କୁଲଦୀପ ଯାଦବ କିମ୍ବା ଅର୍ଶଦୀପ ସିଂହଙ୍କ ମଧ୍ୟରୁ ଜଣଙ୍କୁ ଖେଳିବାକୁ ସୁଯୋଗ ମିଳିବ । ଲର୍ଡ୍ସ ପିଚ୍ ଦେଖିବା ପରେ ଯାହା ନିଷ୍ପତ୍ତି ହେବ ।
ଭେଟେରାନ କରୁଣ ନାଏରଙ୍କୁ ମଧ୍ୟ ଏକାଦଶରୁ ବାଦ ଦିଆଯାଇପାରେ । ତାଙ୍କ ସ୍ଥାନରେ ସାଇ ସୁଦର୍ଶନଙ୍କୁ ଫେରାଇ ଅଣାଯିବ । ନାଏର ଦ୍ୱିତୀୟ ଟେଷ୍ଟରେ ଯଥାକ୍ରମେ ୩୧ ଓ ୨୬ ରନ ସଂଗ୍ରହ କରିଥିଲେ ।