ନୂଆଦିଲ୍ଲୀ,୦୭/୦୭: ବିଦେଶ ମାଟିରେ ଭାରତ ଐତିହାସିକ ବିଜୟ ହାସଲ କରିଛି । ଲିଡ୍ସରେ ପ୍ରତିଶୋଧ ଏଜବାଷ୍ଟନରେ ନେଇଛି ଗିଲ୍ ସେନା । ଆକାଶ ମିସାଇଲରେ ଧୂଳିସାତ୍ ହୋଇଛି ଇଂଲଣ୍ଡ । ୧୪୭ ବର୍ଷ ପରେ ଏଜବାଷ୍ଟନ ଦଖଲ କରିଛି ଟିମ୍ ଇଣ୍ଡିଆ । ୩୩୬ ରନ୍ରେ ଇଂଲଣ୍ଡକୁ ହରାଇ ସିରିଜ୍ ବରାବର କରିଛି ଭାରତୀୟ ଦଳ । ଟିମ୍ ଇଣ୍ଡିଆ ଏହି ବୃହତ ବିଜୟରେ ଆକାଶଦୀପଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ୧୦ ୱିକେଟ୍ ନେଇ ଆକାଶଦୀପ ଇତିହାସ ରଚିଛନ୍ତି । ଟେଷ୍ଟ୍ କ୍ରିକେଟରେ ନୂଆ ଫର୍ଦ୍ଦ ଯୋଡିଛନ୍ତି । ଏଥିରେ ନାୟକ ସାଜିଥିଲେ ଆକାଶଦୀପ । ଏହି ପ୍ରଦର୍ଶନକୁ ସେ ତାଙ୍କ ଭଉଣୀଙ୍କୁ ଉତ୍ସର୍ଗ କରିଛନ୍ତି ।
ବୁମରାଙ୍କୁ ଟପିଲେ ଆକାଶ- ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ ଜିତିବାରେ ଷ୍ଟାର ହୋଇଛନ୍ତି ଆକାଶଦୀପ । ତାଙ୍କ ଘାତକ ବୋଲିଂରେ ଇଂଲଣ୍ଡ ଧୂଳିସାତ୍ ହୋଇଛି । ଏହି ପ୍ଲେୟାରଙ୍କ ଜୀବନ ସଂଘର୍ଷ କିଛି କମ୍ କଷ୍ଟଦାୟକ ନୁହେଁ । ବିସିଏ ତାଙ୍କୁ ବ୍ୟାନ୍ କରିଥିଲା । ବାପାଙ୍କୁ ପାରାଲିସିସ୍ । ବାପାଙ୍କ ମୃତ୍ୟୁ ପରେ ପରେ ତାଙ୍କ ଭାଇଙ୍କର ମୃତ୍ୟୁ ହୋଇଥିଲା । ଖେଳରୁ ୩ ବର୍ଷ ବ୍ରେକ୍ ନେଇଥିଲେ । ଏତେ ସବୁ ଘାତ ପ୍ରତିଘାତ ପରେ ଶେଷରେ ସେ ଟେଷ୍ଟ କ୍ରିକେଟ ୟୁନିଫର୍ମ ପିନ୍ଧିବାର ସୁଯୋଗ ପାଇଥିଲେ । ବୁମରାଙ୍କ ରେକର୍ଡ ଭଙ୍ଗ କରିଛନ୍ତି ଆକାଶ । ସେ ୧୮୭ ରନ୍ ଦେଇ ଏହି ମ୍ୟାଚ୍ରେ ୧୦ ୱିକେଟ୍ ନେଇଥିଲେ । ପୂର୍ବରୁ ଯଶପ୍ରୀତ ବୁମରା ୨୦୨୧ରେ ଟ୍ରେଣ୍ଟବ୍ରିଜରେ ୧୧୦ ରନ୍ରେ ୯ ୱିକେଟ୍, ୨୦୦୭ରେ ଜାହିର ଖାନ ୧୩୪ ରନ୍ରେ ୯ ୱିକେଟ୍ ଏବଂ ୧୯୮୬ରେ ଚେତନ ଶର୍ମା ୧୮୮ ରନ୍ରେ ୧୦ ୱିକେଟ୍ ନେଇଥିଲେ ।
ଭଉଣୀଙ୍କ ଉତ୍ସର୍ଗ କଲେ ସଫଳତା- ଆକାଶଦୀପ ଦ୍ୱିତୀୟ ଇନିଂସରେ ୬ଟି ୱିକେଟ୍ ନେଇ ଦଳ ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଦୁଇଟି ଇନିଂସରେ ସେ ୧୦ଟି ୱିକେଟ୍ ନେଇଛନ୍ତି । ୬ ୱିକେଟ୍ ସଫଳତାକୁ ସେ ନିଜ ଭଉଣୀଙ୍କୁ ଉତ୍ସର୍ଗ କରିଛନ୍ତି । ଆକାଶଦୀପଙ୍କ ଭଉଣୀ କର୍କଟ ରୋଗରେ ପୀଡ଼ିତ ରହିଛନ୍ତି । ବିଜୟ ପରେ ସେ ଏହି ଖୁଲାସା କରିଥିଲେ । ସେ କହିଥିଲେ, ''ମୁଁ ଏ କଥା କାହାକୁ କହିନାହିଁ । ମୋ ବଡ଼ ଭଉଣୀ ଦୁଇମାସ ହେବ କ୍ୟାନ୍ସର ସହ ଲଢୁଛନ୍ତି । ଏବେ ସେ ଠିକ୍ ଅଛନ୍ତି । ଏ ସଫଳତା ପରେ ସେ ସବୁଠୁ ବେଶୀ ଖୁସି ହେବେ । ମୁଁ ତାଙ୍କ ଚେହେରାର ଖୁସି ଦେଖିବାକୁ ଚାହେଁ । ଏ ମ୍ୟାଚ୍ ମୁଁ ତାଙ୍କୁ ଉତ୍ସର୍ଗ କରୁଛି ।''