ବେଙ୍ଗାଲୁରୁ, ୬/୦୭: ବେଙ୍ଗାଲୁରୁର ଶ୍ରୀ କ୍ରାନ୍ତିରବ ଷ୍ଟାଡିୟମରେ ଆୟୋଜିତ ଏନ୍ସି କ୍ଲାସିକ ପ୍ରଥମ ସଂସ୍କରଣରେ ଅଲିମ୍ପିଆନ ନୀରଜ ଚୋପ୍ରା ଚାମ୍ପିଅନ ହୋଇଛନ୍ତି । ସେ ୮୬.୧୮ ମିଟର ଜାଭେଲିନ ଫିଙ୍ଗିଥିଲେ । କେନିଆର ଜୁଲିୟସ ୟେଗୋ ୮୪.୫୧ ମିଟର ସହ ରୌପ୍ୟ ଏବଂ ଶ୍ରୀଲଙ୍କାର ରମେଶ ପାଥିରାଗ ୮୪.୩୪ ମିଟର ସହ ବ୍ରୋଞ୍ଜ ପଦକ ଜିତିଥିଲେ ।
ଭାରତରେ ପ୍ରଥମ ଥର ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ନୀରଜଙ୍କ ନାମରେ ପ୍ରତିଯୋଗିତାର ନାମକରଣ କରାଯାଇଥିଲା । ମୋଟ୍ ୧୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରେ ୫ ଜଣ ଭାରତୀୟ (ସାହିଲ ସିଲୱାଲ, ରୋହିତ ଯାଦବ, ଯଶବୀର ସିଂ, ସଚିନ ଯାଦବ ଓ ନୀରଜ ଚୋପ୍ରା) ଥିଲେ । ପ୍ରତିଯୋଗିତା ଆରମ୍ଭରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହାପରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ନୀରଜ ପ୍ରଥମ ରାଉଣ୍ଡରେ ଫାଉଲ ମାରିଥିଲେ । ଅନ୍ୟମାନେ କେହି ୮୦ ମିଟର ଛୁଇଁପାରି ନଥିଲେ । ଦ୍ୱିତୀୟ ରାଉଣ୍ଡରେ ନୀରଜ ୮୨.୯୯ ମିଟର ଫିଙ୍ଗିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେବଳ ଜୁଲିୟସ (୮୦.୦୭) ୮୦ ମିଟର ଅତିକ୍ରମ କରିଥିଲେ ।
ତୃତୀୟ ରାଉଣ୍ଡରେ ନୀରଜ ଶ୍ରେଷ୍ଠ ପ୍ରଦର୍ଶନ ( ୮୬.୧୮ ମିଟର) ଦେଇଥିଲେ । ସଚିନ ମଧ୍ୟ ( ୮୨.୩୩) ଭଲ ଥ୍ରୋ କରିଥିଲେ । ପାଥିରାଗ ୮୪.୩୪ ମିଟର ଫିଙ୍ଗି ପଦକ ଦୌଡ଼ରେ ସାମିଲ ହୋଇଥିଲେ । ଏହି ରାଉଣ୍ଡ ପରେ ୪ ଜଣ ବାଦ ପଡ଼ିଥିଲେ । ଅବଶିଷ୍ଟ ୩ ରାଉଣ୍ଡରେ ୮ ଜଣ ଥ୍ରୋ ସାମିଲ ଥ୍ରୋ କରିଥିଲେ । ୪ର୍ଥ ରାଉଣ୍ଡରେ ଜୁଲିୟସ ୮୪.୫୧ ମିଟର ଫିଙ୍ଗିଥିଲେ । ଅନ୍ୟ ସମସ୍ତଙ୍କର ଫାଉଲ ହୋଇଥିଲା । ଶେଷ ଦୁଇ ରାଉଣ୍ଡରେ କେହି ସେମିତି ଭଲ ପ୍ରଦର୍ଶନ କରିପାରି ନଥିଲେ । ନୀରଜ ୫ମ ରାଉଣ୍ଡରେ ୮୪.୦୭ ମିଟର ଏବଂ ଷଷ୍ଠ ରାଉଣ୍ଡରେ ୮୨.୨୨ ମିଟର ଫିଙ୍ଗି ଅଭିଯାନ ଶେଷ କରିଥିଲେ।