ନୂଆଦିଲ୍ଲୀ ୦୬/୦୭: ନିକଟରେ ‘କାଣ୍ଟା ଲଗା’ ଗର୍ଲ ଶେଫାଲି ଜରିୱାଲାରଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଥିଲା । ତାଙ୍କ ନିଧନ ପରେ ଏହି ଗୀତର ନିର୍ମାତା ରାଧିକା ରାଓ ଓ ବିନୟ ସପ୍ରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଲେ, ସେମାନେ ‘କାଣ୍ଟା ଲଗା’ ଗୀତକୁ ସବୁଦିନ ପାଇଁ ଅବସର ଦେଉଛନ୍ତି । କଦାପି ଏହାର ରିମେକ୍ ହେବ ନାହିଁ । ନିର୍ମାତାଙ୍କର ଏହି ନିଷ୍ପତ୍ତିକୁ ଗାୟିକା ସୋନା ମହାପାତ୍ର ବିରୋଧ କରିଛନ୍ତି । ସେ ନାଁ ନ ନେଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍ରେ ଏଥିପାଇଁ ଉଭୟଙ୍କୁ ସମାଲୋଚନା କରିଛନ୍ତି ।
ନିଜ ଇନ୍ଷ୍ଟା ଷ୍ଟୋରୀରେ ସୋନା ଲେଖିଛନ୍ତି ‘ଗୀତର ୩ କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଅର୍ଥାତ୍ କମ୍ପୋଜର୍, ଗୀତିକାର ଓ ଗାୟିକା ହେଉଛନ୍ତି ଆର୍ଡି ବର୍ମନ, ମଜରୁହ ସୁଲତାନପୁରୀ ଓ ଲତା ମଙ୍ଗେଶକର । କିନ୍ତୁ ନିଜକୁ ନିର୍ମାତା କହୁଥିବା ଲୋକେ ଏହି ଗୀତକୁ ଅବସର ଦେଇଦେଲେ । ଜଣଙ୍କ ମୃତ୍ୟୁରୁ ଲୋକପ୍ରିୟତା ପାଇବାକୁ ଏହା ଏକ ପ୍ରୟାସ । ଦୁଇଜଣ ବ୍ୟକ୍ତି ଜଣେ ୧୯ ବର୍ଷୀୟା ଝିଅ ସହ ରିମିକ୍ସ କରି ଏକ ବେକାର ଗୀତ ପ୍ରସ୍ତୁତ କଲେ । (ନିଶ୍ଚିତ ଭାବେ ଏହା ପୂର୍ବରୁ ସେମାନେ କିମ୍ବଦନ୍ତୀ ବ୍ୟକ୍ତିବିଶେଷଙ୍କଠୁ ଅନୁମତି ନେଇନଥିବେ ।) ୪୨ ବର୍ଷୀୟା ମହିଳାଙ୍କ ଆତ୍ମାକୁ ଶାନ୍ତି ମିଳୁ, କିନ୍ତୁ ଧରୋହରର କ’ଣ ହେବ?
ଉଲ୍ଲେଖଯୋଗ୍ୟ, ରାଧିକା ରାଓ ଓ ବିନୟ ସପ୍ରୁ ଗତ ୩ ତାରିଖରେ ନିଜ ଇନ୍ଷ୍ଟାଗ୍ରାମ୍ରେ ଶେଫାଲିଙ୍କ ସ୍ମୃତିରେ ଏକ ପୋଷ୍ଟ୍ ଶେୟାର କରିଥିଲେ । ଏଥିରେ ସେମାନେ ଲେଖିଥିଲେ ‘କାଲି ପ୍ରାର୍ଥନା ସଭା ଥିଲା । ଶେଫାଲି ସର୍ବଦା କହୁଥିଲେ ଯେ ସେ ଏକମାତ୍ର ‘କାଣ୍ଟା ଲଗା’ ଗର୍ଲ ହେବାକୁ ଚାହାଁନ୍ତି । ସେଥିପାଇଁ ଆମେ କେବେ ବି ଏହାର ସିକ୍ୱେଲ ପ୍ରସ୍ତୁତ କଲୁନାହିଁ କିମ୍ବା କଦାପି କରିବୁ ନାହିଁ । ଆମେ ‘କାଣ୍ଟା ଲଗା’କୁ ସବୁଦିନ ପାଇଁ ଅବସର ଦେଉଛୁ । ଏହି ଗୀତ ସର୍ବଦା ଶେଫାଲିଙ୍କର ଥିଲା ଏବଂ ତାଙ୍କର ହିଁ ରହିବ ।’