ନୂଆଦିଲ୍ଲୀ,୦୭/୦୭: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଆକାଶ ଦୀପ ଇତିହାସ ରଚିଛନ୍ତି। ଆକାଶ ଉଭୟ ଇନିଂସରେ ୧୦ଟି ୱିକେଟ ନେଇଛନ୍ତି। ପ୍ରଥମ ଇନିଂସରେ ଆକାଶ ୪ଟି ୱିକେଟ ନେଇଥିଲେ। ଦ୍ୱିତୀୟ ଇନିଂସରେ ସେ ୬ଟି ୱିକେଟ ନେଇଥିଲେ। ଆକାଶଙ୍କ ଚମତ୍କାର ବୋଲିଂ ଯୋଗୁଁ ଭାରତୀୟ ଦଳ ଶେଷ ଇନିଂସରେ ଇଂଲଣ୍ଡକୁ ମାତ୍ର ୨୭୧ ରନ୍ ରେ ଅଲଆଉଟ୍ କରିଥିଲା। ଭାରତୀୟ ଦଳ ଏହି ମ୍ୟାଚ୍ କୁ ୩୩୬ ରନ୍ ରେ ଜିତି ଇତିହାସ ସୃଷ୍ଟି କରିଛି।
ଭାରତର ୯୩ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ଆକାଶ ଏବେ ଇଂଲଣ୍ଡରେ ୧୦ ୱିକେଟ୍ ନେବାରେ କେବଳ ଦ୍ୱିତୀୟ ଭାରତୀୟ ବୋଲର ହୋଇଛନ୍ତି। ଏହା ପୂର୍ବରୁ, ୧୯୮୬ ମସିହାରେ ଚେତନ ଶର୍ମା ଏହି ସଫଳତା ହାସଲ କରିଥିଲେ। ବୁଧବାରଠାରୁ ଏଜବାଷ୍ଟନ୍ ଗ୍ରାଉଣ୍ଡରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯାଉଥିଲା। ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୫୮୭ ରନ୍ କରିଥିଲା। ଏହା ପରେ ଇଂଲଣ୍ଡ ପ୍ରଥମ ଇନିଂସରେ ୪୦୭ ରନ୍ କରିଥିଲା। ଏହା ପରେ ଭାରତ ଦ୍ୱିତୀୟ ଇନିଂସରେ ୪୨୭ ରନ୍ କରିବା ପରେ ଇନିଂସ ଘୋଷଣା କରିଥିଲା। ଭାରତ ଇଂଲଣ୍ଡ ସମ୍ମୁଖରେ ୬୦୮ ରନ୍ ର ଲକ୍ଷ୍ୟ ରଖିଥିଲା। କିନ୍ତୁ ଲକ୍ଷ୍ୟକୁ ପିଛା କରିବା ସମୟରେ ଇଂଲଣ୍ଡ ମାତ୍ର ୨୭୧ ରନ୍ ରେ ଅଲଆଉଟ୍ ହୋଇ ୩୩୬ ରନ୍ ରେ ମ୍ୟାଚ୍ ହାରି ଯାଇଥିଲା।