କଟକ,୦୭/୦୭: ରାଜ୍ୟରେ ତୃଣମୂଳ ସ୍ତରରେ କ୍ରିକେଟର ବିକାଶ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ପକ୍ଷରୁ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ଏରିଭା ସ୍ପୋର୍ଟ୍ସ ସହଭାଗିତାରେ ଆସନ୍ତା ସପ୍ଟେମ୍ବରରେ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବ ଓଡ଼ିଶା ପ୍ରୋ ଟି-ଟ୍ୱେଣ୍ଟି ଲିଗ୍(ଓପିଟିଏଲ୍) । ଏଥିରେ ୬ଟି ଦଳ ଭାଗ ନେବା ସହ ରାଜ୍ୟର ବିଭିନ୍ନ ବୟସ ବର୍ଗର ଖେଳାଳିଙ୍କୁ ଡ୍ରାଫ୍ଟ ଆକାରରେ କିଣାଯିବ । ଓସିଏର ଆପେକ୍ସ କାଉନସିଲ ବୈଠକରେ ଲିଗ୍ ଆୟୋଜନ ସଂପର୍କରେ ଆଲୋଚନା ହୋଇଥିଲା । ସୋମବାର ଠାରୁ ଓସିଏର ଅଫିସିଆଲ ୱେବ୍ସାଇଟ୍ରେ ଫ୍ରାଞ୍ଚାଇଜ୍ ଆଶାୟୀଙ୍କ ନିମନ୍ତେ ଇଓଆଇ(ଦି ଏକ୍ସପ୍ରେସନ ଅଫ୍ ଇଣ୍ଟରେଷ୍ଟ୍) ଡକ୍ୟୁମେଣ୍ଟ ଉପଲବ୍ଧ ରହିବ ବୋଲି ଓସିଏ ତରଫରୁ ସୂଚନା ଦିଆଯାଇଛି ।
ଅତୀତରେ ଓଡି଼ଶା ପ୍ରିମିୟର ଲିଗ୍(ଓପିଏଲ୍) ଏବଂ ଓଡ଼ିଶା କ୍ରିକେଟ ଲିଗ୍(ଓସିଏଲ୍)ର ସଫଳତା ପରେ ରାଜ୍ୟ କ୍ରିକେଟ ସଂଘ ଏବେ ଘରୋଇ ପେଶାଦାର କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ନୂଆ ଢାଞ୍ଚାରେ ଆୟୋଜନ କରୁଛି । ବେଙ୍ଗଲ, ବିଦର୍ଭ, ସୌରାଷ୍ଟ୍ରରେ ଲିଗ୍ ଆୟୋଜନ କରିଥିବା ଏରିଭା ସ୍ପୋର୍ଟ୍ସ ଚଳିତ ବର୍ଷ ଠାରୁ ଓଡି଼ଶାରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ଦାୟିତ୍ୱ ସମ୍ଭାଳିବ । ରାଜ୍ୟର ବିଭିନ୍ନ ଅଞ୍ଚଳକୁ ନେଇ ୬ଟି ଦଳ ଗଠନ ହେବ ।
ଓସିଏ ସମ୍ପାଦକ ସଞ୍ଜୟ କହିଛନ୍ତି, ‘ରାଜ୍ୟରେ କ୍ରିକେଟର ଧାରାକୁ ବଦଳାଇବା କ୍ଷେତ୍ରରେ ଓଡ଼ିଶା ପ୍ରୋ ଟି-ଟ୍ୱେଣ୍ଟି ଲିଗ୍ ସହାୟକ ହେବ । ପ୍ରତିଭାବାନ ଖେଳାଳିଙ୍କୁ ନେଇ ପେଶାଦାର ଢ଼ାଞ୍ଚାରେ ଲିଗ୍ ଖେଳାଯିବ । ଓଡ଼ିଶାରେ ଅନ୍ୟ କ୍ରୀଡ଼ା ଗୁଡିକର ଦୃଷ୍ଟାନ୍ତମୂଳକ ବିକାଶ ଘଟୁଛି, ଏବେ କ୍ରିକେଟର ପାଳି ।’
ଓସିଏ ସହଯୋଗରେ ଉକ୍ତ ଲିଗ୍ ଆୟୋଜନ ନେଇ ଉତ୍ସାହିତ ଥିବା କହିଛନ୍ତି ଏରିଭା ସ୍ପୋର୍ଟସର କୋ-ଫାଉଣ୍ଡର ରଜନୀଶ ଚୋପ୍ରା । ସେ କହିଛନ୍ତି,‘ଓପିଟିଏଲ୍ କେବଳ କ୍ରୀଡ଼ା ଭିତ୍ତିକ ମନୋରଞ୍ଜନ ଯୋଗାଇବ ନାହିଁ, ବରଂ ଓଡି଼ଶାରେ ତୃଣମୂଳ ସ୍ତରରୁ କ୍ରିକେଟର ବିକାଶ ଦିଗରେ କାର୍ଯ୍ୟ କରିବ । ଇଓଆଇ ତଥା ଦି ଏକ୍ସପ୍ରେସନ ଅଫ୍ ଇଣ୍ଟରେଷ୍ଟ୍ ଡକ୍ୟୁମେଣ୍ଟ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଓସିଏର ୱେବ୍ସାଇଟ୍ରେ ଉପଲବ୍ଧ ରହିବ ।
ଓସିଏର ଆପେକ୍ସ କାଉନସିଲ ବୈଠକରେ ସଭାପତି ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ଜଗମୋହନ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ପ୍ରଭାତ କୁମାର ଭୋଳ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନସିଲ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ରାକେଶ ମହାନ୍ତି ଓ ଗୀତା ସାମନ୍ତରାୟ ଉପସ୍ଥିତ ଥିଲେ ।