ବଣାଇ, ୦୭/୦୭: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଟିକାୟତପାଲି ଥାନା ଅନ୍ତର୍ଗତ ସରସରା ଗାଁରେ ଅଘଟଣ । ଲଗାଣ ବର୍ଷା ଯୋଗୁଁ ନିଜ ଫାର୍ମ ହାଉସରେ ଶୋଇଥିବା ବେଳେ ଘର କାନ୍ଥ ପଡି ଜଣେ ଚାଷିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ହେଲେ ୫୪ ବର୍ଷୀୟ ଦେବେନ୍ଦ୍ର ଭଇଁସା ।
ସୂଚନା ମୁତାବକ, ଗତ ୧୫/୨୦ ଦିନ ହେଲା ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅନେକ ଚାଷୀଙ୍କ ତଳି ନଷ୍ଟ ହୋଇଥିବା ବେଳେ ଅନେକ ଲୋକଙ୍କ ଘର ଦ୍ୱାର ଭାଙ୍ଗି ଯାଇଛି। ଏହାରି ଭିତରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ବିଳମ୍ବିତ ରାତିରେ ପ୍ରବଳ ବର୍ଷା ଯୋଗୁଁ ଦେବେନ୍ଦ୍ର ନିଜର ପୋଟଳ ଚାଷ ଜଗିବା ପାଇଁ ତିଆରି କରିଥିବା ଘରେ ଶୋଇଥିଲେ । ଏହି ସମୟରେ ହଠାତ୍ ମାଟି କାନ୍ଥ ଧସି ଦେବେନ୍ଦ୍ର ଉପରେ ପଡିଥିଲା । ଫଳରେ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ସୋମବାର ସକାଳେ ସ୍ଥାନୀୟ ଲୋକେ ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରେ ଟିକାୟତପାଲି ଥାନାକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।