ରାଉରକେଲା, ୦୩/୦୭ : ପରିପକ୍ୱତା ଅଭାବରୁ ପରିସ୍ଥିତିରେ ପଡ଼ି କୌଣସି ଅପରାଧ ଘଟାଉଥିବା ନାବାଳକଙ୍କ ନୂଆ ଭବିଷ୍ୟତ ଗଢୁଛି ରାଉରକେଲା ସହରର ଟିସ୍କୋ କଲୋନିରେ ରହିଥିବା ବାଳସୁଧାର ଗୃହ । ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଦିଆଯାଉଛି ଶିକ୍ଷା । ସିଲେଇ ଶିକ୍ଷାଠୁ ନେଇ ବିଦ୍ୟୁତ ସରଞ୍ଜାମ ମରାମତି ପାଇଁ ତାଲିମ ନେଇଛନ୍ତି ସେମାନେ । ସଙ୍ଗୀତ ଶିକ୍ଷା ହାସଲ ପ୍ରକ୍ରିୟାରେ କିଏ ତବ୍ଲା ବଜାଉଛି ତ ଆଉ କିଏ ପିଆନୋ । କେହି କେହି ପ୍ରଶିକ୍ଷଣ ଆଧାରରେ ଅଦରକାରୀ କାଗଜ ଓ ଚକୋଲେଟ୍ ଜରିରେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ସାମଗ୍ରୀ । ମାଟିର ଖପର ଏବଂ ନଡିଆ ସଢ଼େଇରେ ଆଙ୍କୁଛନ୍ତି ଭଳିକି ଭଳି ଚିତ୍ର । ଏହିସବୁ ଶିକ୍ଷାଦାନ ଯୋଗୁଁ ଭୁଲ କରି ବାଳସୁଧାର ଗୃହକୁ ଆସୁଥିବା ପିଲାମାନଙ୍କ ମଧ୍ୟରୁ ଅଧିକାଂଶ ନିଜକୁ ପରିବର୍ତ୍ତନ ମୁହାଁ କରିବା ସହିତ ନିଜର ନୂଆ ଭବିଷ୍ୟତ ଗଢିବାରେ ସଫଳ ହେଉଛନ୍ତି ।
ସହରର ଛେଣ୍ଡ କଲୋନି ନିକଟସ୍ଥ ଟିସ୍କୋ କଲୋନୀରେ ଥିବା ବାଳସୁଧାର ଗୃହ ୧୯୮୬ ମସିହା ଅଗଷ୍ଟ ୩୧ରେ ସ୍ଥାପିତ ହୋଇଛି । ଏଠାରେ ପ୍ରାୟ ୧୨୫ ଜଣ ଅନ୍ତେବାସୀ ରହିବା ବ୍ୟବସ୍ଥା ରହିଛି । ପଶ୍ଚିମ ଓଡ଼ିଶାର ପ୍ରାୟ ୭ଟି ଜିଲ୍ଲା ପାଇଁ ଏହା ହେଉଛି ଏକମାତ୍ର ବାଳସୁଧାର ଗୃହ । ସବିଶେଷ ସୂଚନା ଅନୁଯାୟୀ, ଏଠାରେ ପ୍ରାୟ ୮୦ରୁ ୯୦ ଜଣ ଅନ୍ତେବାସୀ ରହିଛନ୍ତି । ସପ୍ତାହର ସାତ ଦିନ ଧରି ସେମାନଙ୍କୁ ଭିନ୍ନଭିନ୍ନ ପ୍ରକାରର ଜଳଖିଆ, ମଧ୍ୟାହ୍ନ ଓ ରାତ୍ରୀ ଭୋଜନ ଦିଆଯାଉଛି ।
ଏଠାରେ ରହୁଥିବା ଅନ୍ତେବାସୀଙ୍କ ମନରେ ଯେପରି ନକାରାତ୍ମକ ଚିନ୍ତାଧାରା ନ ଆସେ, ସେଥିପାଇଁ ବାଳସୁଧାର ଗୃହରେ ସେମାନଙ୍କୁ ବିଭିନ୍ନ ପ୍ରକାର ଶିକ୍ଷା ପ୍ରଦାନ କରାଯାଉଛି । ଅନେକ ଏଠାରେ ରହି ପାଠ ପଢୁଛନ୍ତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ଅନ୍ତେବାସୀ କୃତକାର୍ଯ୍ୟ ହୋଇଛନ୍ତି । ବାଳସୁଧାର ଗୃହରେ ଅନ୍ତେବାସୀଙ୍କ ଅଧ୍ୟୟନ ପାଇଁ ପ୍ରାୟ ୫ହଜାରରୁ ଅଧିକ ପୁସ୍ତକଥିବା ଲାଇବ୍ରେରି ରହିଛି । ସଙ୍ଗୀତ ଶିକ୍ଷା ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ରହିଛି । ସେଠାରେ ସମସ୍ତ ପ୍ରକାର ବାଦ୍ୟଯନ୍ତ୍ର ରହିଥିବା ବେଳେ ଖୋଦ୍ ଅନ୍ତେବାସୀ ସେସବୁ ବଜାଇ ସଙ୍ଗୀତ ଶିକ୍ଷା ନେଉଛନ୍ତି । ବିନା ତାଲିମରେ କେତେକ ଅନ୍ତେବାସୀ ନିଜସ୍ୱ ପ୍ରଚେଷ୍ଠାରେ ଚକୋଲେଟ୍ ଓ ବିସ୍କୁଟ ଜରି ସମେତ ପୁରୁଣା ଖବର କାଗଜରେ ସୁନ୍ଦର ସୁନ୍ଦର ଘରକରଣା ଜିନିଷ ତିଆରି କରି ନିଜ ପାଠପଢ଼ା କକ୍ଷର ଶୋଭା ବର୍ଦ୍ଧନ କରିଛନ୍ତି । ବାଳସୁଧାର ଗୃହରେ ରହୁଥିବା ଅନ୍ତେବାସୀଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇବା ଲାଗି ଏଠି କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପ୍ରଚେଷ୍ଟା ସ୍ୱାଗତଯୋଗ୍ୟ ବୋଲି ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି ।