ରାଉରକେଲା,୦୬/୦୭: ସରଣ୍ଡା ଜଙ୍ଗଲର ତିରିଲିପୋଷି ନାଳ ନିକଟରୁ ଠାବ ହୋଇଥିବା ଅସୁସ୍ଥ ହାତୀ ଛୁଆର ମୃତ୍ୟୁ । ରବିବାର ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛି ହାତୀ ଛୁଆ । ମୃତଦେହ ବ୍ୟବଚ୍ଛେଦ ପରେ ପୋତି ଦିଆଯିବ ବୋଲି ବନ ବିଭାଗ କର୍ମଚାରୀ କହିଛନ୍ତି ।
ସୂଚନା ମୁତାବକ, ଗତ ୨ ତାରିଖରେ ହାତୀ ଛୁଆର ବାମପଟ ଗୋଡରେ ଆଘାତ ଲାଗିଥିବାରୁ ସେ ଛୋଟେଇ ଛୋଟେଇ ଚାଲୁଥିବା ବନ ବିଭାଗ ଡ୍ରୋନ ସର୍ଭେ ଦେଖିବାକୁ ପାଇଥିଲା । ହାତୀକୁ ଠାବ କରିବା ଲାଗି ସରଣ୍ଡା ଓ ରାଉରକେଲା ବନ ବିଭାଗର ୮ଟି ଟିମ୍ ୩ ଦିନ ଧରି ଜଙ୍ଗଲର ଦୀଘା ଓ ସାମଠା ଅଞ୍ଚଳରେ ଖୋଜାଖୋଜି କରୁଥିଲେ । ଶନିବାର ସନ୍ଧ୍ୟାରେ ତିରିଲିପୋଷି ନାଳ ନିକଟରେ ଛୁଆ ହାତୀକୁ ଠାବ କରାଯାଇଥିଲା। ଏହା ପରେ ହାତୀକୁ ଚିକିତ୍ସା କରିବା ଲାଗି ଟ୍ରାଙ୍କୁଲାଇଜ କରାଯାଇଥିଲା । ହାତୀର ଚିକିତ୍ସା ଚାଲିଥିବା ବେଳେ ଆଜି ସକାଳୁ ହାତୀ ଛୁଆର ମୃତ୍ୟୁ ହୋଇଛି । ହାତୀର ମୃତଦେହ ବ୍ୟବଚ୍ଛେଦ ପରେ ପୋତି ଦିଆଯିବ ବୋଲି ବନ ବିଭାଗ କର୍ମଚାରୀ କହିଛନ୍ତି । ତେବେ ହାତୀ ଗୋଡରେ ଆଘାତ କିପରି ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ ।