ଭୁବନେଶ୍ୱର,୦୮/୦୭: ସରକାରୀ ଓ ବେସରକାରୀ ହସ୍ପିଟାଲରେ ପୁଳାପୁଳା ଡେଙ୍ଗୁ ରୋଗୀ । ଆକ୍ରାନ୍ତଙ୍କ ସଂଖ୍ୟା ସୋମବାର ସୁଦ୍ଧା ୧୦୦ ପାର କରିଛି । ହେଲେ ବିଏମ୍ସି ଚେତୁନି । କେବଳ ସଚେତନତା କାର୍ଯ୍ୟକ୍ରମ କରି ହାତ ଝାଡ଼ି ଦେଇଛି । ପ୍ରତିଦିନ ୬/୭ ଜଣ ରୋଗୀ ଚିହ୍ନଟ ହେଉଛନ୍ତି । ପଟିଆ, ଜାଗମରାରେ ସର୍ବାଧିକ ଡେଙ୍ଗୁ ରୋଗୀ ଦେଖିବାକୁ ମିଳିଛି । ଆଇଆର୍ସି ଭିଲେଜ୍ରେ ସ୍ଥିତି ସାଂଘାତିକ ରହିଛି । ବସ୍ତି, ଆପାର୍ଟମେଣ୍ଟ, ସରକାରୀ କାର୍ଯ୍ୟାଳୟ ସବୁଠି ଡେଙ୍ଗୁ ମଶାଙ୍କ ଆତଙ୍କ ଦେଖିବାକୁ ମିଳିଛି ।
ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି, ନିୟମିତ ମଶା ଧୂଆଁ ଦିଆହେଉନି । ମଶା ତେଲ ପଡୁନି । ବିଏମ୍ସି ପକ୍ଷରୁ କେବଳ ଫଟୋ ଉଠାଚାଲିଛି । ବିଏମ୍ସି ପକ୍ଷରୁ ବିଭିନ୍ନ ସ୍କୁଲରେ ସଚେତନତା କରାଯାଇଛି । ଅର୍ବାନ ମେଟ୍ରୋପଲିଟାନ୍ ସର୍ଭେଲାନ୍ସ ୟୁନିଟ୍ ପକ୍ଷରୁ ଏକ ଘରୋଇ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଡେଙ୍ଗୁ ମଶା ଲାର୍ଭା କିପରି ନଷ୍ଟ କରାଯିବ ତାହା ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ଦିଆଯାଇଛି ।