ନୂଆଦିଲ୍ଲୀ,୦୮/୦୭: ଡାକ୍ତରଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଦୁର୍ବ୍ୟବହାରର ଅଭିଯୋଗ । ମେଡିକାଲ କଲେଜର ୮୦ଜଣ ନର୍ସିଂ ଛାତ୍ରୀ ଏହି ଅଭିଯୋଗ ଆଣିଛନ୍ତି । ମଧ୍ୟପ୍ରଦେଶର ବିନ୍ଧ୍ୟାରୁ ସାମ୍ନାକୁ ଆସିଛି ଏଭଳି ଖବର । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରିନ୍ସିପାଲ୍ ଛାତ୍ରୀମାନଙ୍କୁ ସେମାନଙ୍କ ସୁରକ୍ଷା ପାଇଁ ୱାର୍ଡରେ ପ୍ରବେଶ କରିବାକୁ ବାରଣ କରିଛନ୍ତି। ଏହା ସହିତ, ଡିନ୍ ମାମଲାକୁ ଗମ୍ଭୀରତାର ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ମୁତାବକ, ସଞ୍ଜୟ ଗାନ୍ଧୀ ହସ୍ପିଟାଲର ଇଏନଟି ବିଭାଗର ଡାକ୍ତର ଆଶରଫଙ୍କ ବିରୋଧରେ ୮୦ ଜଣ ବିଏସସି ନର୍ସିଂ ଛାତ୍ରୀ ଲିଖିତ ଅଭିଯୋଗ ଆଣିଛନ୍ତି । ଛାତ୍ରୀମାନଙ୍କ ଅଭିଯୋଗ ଅନୁସାରେ, ଡାକ୍ତର ଆଶରଫ୍ ଛାତ୍ରୀମାନଙ୍କ ସହିତ ଅଶାଳୀନ ବ୍ୟବହାର କରୁଛନ୍ତି ।ତାଙ୍କ ଆଚରଣ ଯୋଗୁଁ ସେମାନେ ଅସୁରକ୍ଷିତ ଅନୁଭବ କରୁଥିବା କହିଛନ୍ତି। ଏଥିସହ ଡାକ୍ତର ଆଶରଫଙ୍କ ଆଚରଣ ଛାତ୍ରୀମାନଙ୍କୁ ମାନସିକ ଭାବରେ ପ୍ରଭାବିତ କରୁଛି ।
ଛାତ୍ରୀମାନେ ଆହୁରି ମଧ୍ଯ କହିଛନ୍ତି, ଡାକ୍ତରଙ୍କ ଆଚରଣ ସେମାନଙ୍କୁ ମାନସିକ ଚାପ ପକାଉଛି । ଏଥି ଯୋଗୁଁ କ୍ଲିନିକାଲ୍ ଶିକ୍ଷଣ ପରିବେଶ ମଧ୍ୟ ପ୍ରଭାବିତ ହେଉଛି। ତେବେ ନର୍ସିଂ ଛାତ୍ରୀଙ୍କ ମାମଲା ସାମ୍ନାକୁ ଆସିବା ପରେ ଏବେ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଛି।କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ଉତ୍ପୀଡ଼ନ ଆଇନ ୨୦୧୩ ଅନୁଯାୟୀ ଗଠିତ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଏହି ମାମଲାର ତଦନ୍ତ କରିବ । ଏନେଇ ଏସ୍ଏସ୍ ମେଡିକାଲ କଲେଜର ଡିନ୍ ଡାକ୍ତର ସୁନୀଲ ଅଗ୍ରୱାଲ କହିଛନ୍ତି ଯେ, ଛାତ୍ରୀମାନଙ୍କ ଅଭିଯୋଗର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି ଏବଂ ଏହା ୭ ଦିନ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବ।