ମୁଜଫରନଗର ୦୮/୦୭: ଉତ୍ତରପ୍ରଦେଶର ମୁଜଫରନଗରରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ପତ୍ନୀଙ୍କ ଦ୍ୱାରା ନିର୍ଯାତିତ ଜଣେ ଯୁବକ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଇଚ୍ଛାମୃତ୍ୟୁ ପାଇଁ ଗୁହାରି କରିଛନ୍ତି । ଗାନ୍ଧୀନଗର କଲୋନି ବାସିନ୍ଦା ସୁମିତ ସୈନୀ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ । ହାତରେ ଏକ ବଡ଼ ବ୍ୟାନର୍ ଧରି ଅଧିକାରୀମାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କଲେ ଏବଂ ଇଚ୍ଛାମୃତ୍ୟୁ ଦାବି କଲେ । ବ୍ୟାନର୍ରେ ସୁମିତ ଲେଖିଥିଲେ ‘ଜଣେ ଗରିବର ଗୁହାରି... ଇଚ୍ଛାମୃତ୍ୟୁ ଦାବି । ଆଦରଣୀୟା ରାଷ୍ଟ୍ରପତି ମହୋଦୟା, ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ, ମାନନୀୟ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ଜୀ, ମୁଁ ଅତ୍ୟନ୍ତ ଗରିବ ବ୍ୟକ୍ତି । ପତ୍ନୀ ପିଙ୍କି ପାଇଁ ଚିନ୍ତିତ (ହତାଶ) ହୋଇ ଆପଣଙ୍କ ପାଖରେ ଇଚ୍ଛାମୃତ୍ୟୁ ପାଇଁ ଦାବି କରୁଛି ।’ ଏଥିସହ ସେ ନିଜ ନାଁ, ବାପାଙ୍କ ନାଁ, ଠିକଣା ଓ ମୋବାଇଲ ଫୋନ୍ ନମ୍ବର ବି ଲେଖିଛନ୍ତି ।
ସୁମିତ କହିଛନ୍ତି, ୨୦୨୪, ଜୁଲାଇ ୧ରେ କୁକଡ଼ା ଗାଁର ବାସିନ୍ଦା ପିଙ୍କି ନାମ୍ନୀ ଜଣେ ଯୁବତୀଙ୍କ ସହ ତାଙ୍କର ବିବାହ ହୋଇଥିଲା । ବିବାହ ପରଦିନ ହିଁ ପିଙ୍କି ତାଙ୍କୁ କହିଲେ ଯେ ତାଙ୍କ ଇଚ୍ଛା ବିରୁଦ୍ଧରେ ଏହି ବିବାହ ହୋଇଛି ଏବଂ ସେ ଅନ୍ୟ ଜଣଙ୍କୁ ଭଲପାଆନ୍ତି । ତା’ପରଠୁ ସେ ସୁମିତଙ୍କ ସହ ଝଗଡ଼ା, ଗାଳି ଓ ମାର୍ପିଟ୍ କରୁଛନ୍ତି । ସୁମିତଙ୍କ ଅନୁସାରେ, ଗତ ୬ ମାସ ହେଲା ପିଙ୍କି ତାଙ୍କ ବାପଘରେ ରହୁଛନ୍ତି । କିନ୍ତୁ ଫୋନ୍ରେ ଧମକ ଦେଉଛନ୍ତି ଏବଂ ଲୋକଙ୍କୁ ପଠାଇ ତାଙ୍କୁ ମାର୍ପିଟ କରୁଛନ୍ତି । ଅନେକ ଥର ସେ ତାଙ୍କୁ ଆଣିବାକୁ ଯାଇଛନ୍ତି,କିନ୍ତୁ ଶ୍ୱଶୁରଘର ଲୋକେ ମନା କରି ଦେଇଛନ୍ତି । ସୁମିତ ଅଭିଯୋଗ କରିଛନ୍ତି, ବିବାହ ପୂର୍ବରୁ ଶ୍ୱଶୁରଘର ଲୋକ ପତ୍ନୀଙ୍କ ବୟସ ଲୁଚାଇଥିଲେ।
ସୁମିତଙ୍କ ବୟସ ୨୭ ବର୍ଷ, କିନ୍ତୁ ପତ୍ନୀଙ୍କ ବୟସ ୩୫ ବର୍ଷ । ସୁମିତଙ୍କ ବାପା ନିଜ ପରିବାର ସମ୍ପତ୍ତିର ୮ ଲକ୍ଷରୁ ୫ ଲକ୍ଷ ବିବାହରେ ଖର୍ଚ୍ଚ କରିଥିଲେ । ଦୁହିଁଙ୍କ ମଧ୍ୟରେ ଯେତେବେଳେ ସମସ୍ୟା ବଢ଼ିଲା, ନଗଦ ୩ ଲକ୍ଷ ଟଙ୍କା ପିଙ୍କିଙ୍କୁ ଦେଇ ମାମଲା ଶାନ୍ତ କରିବାକୁ ଚେଷ୍ଟା କଲେ। କିନ୍ତୁ ପିଙ୍କିଙ୍କ ନିର୍ଯାତନା ଜାରି ରହିଲା ବୋଲି ସୁମିତ କହିଛନ୍ତି । ସୁମିତଙ୍କ ଦାବି ଯେ କୋର୍ଟରେ ସେକ୍ସନ୍-୯ ଅନ୍ତର୍ଗତ ସେ ପତ୍ନୀଙ୍କୁ ଫେରାଇ ଆଣିବାକୁ ପ୍ରୟାସ କରିଥିଲେ । କିନ୍ତୁ ଏହା ବଦଳରେ ଶ୍ୱଶୁରଘର ଲୋକ ତାଙ୍କ ଉପରେ ମିଛ ଅଭିଯୋଗ ଆଣିଲେ । ଏବେ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଛନ୍ତି ଏବଂ ବଞ୍ଚିବାର ଇଚ୍ଛା ତାଙ୍କର ଶେଷ ହୋଇଯାଇଛି ।