ଭୁବନେଶ୍ୱର,୦୮/୦୮: ସାଂଘାତିକ ଚକ୍ରାନ୍ତ । ବାଣ୍ଟି ଦେବେ ଡ୍ରେନ, କେନାଲ, ନୟନଯୋରୀ, ପୋଖରୀ ହୁଡ଼ା, ଆଡ଼ି ବନ୍ଧ । ଥଇଥାନ ନାଁରେ ଏସବୁ ଜମିକୁ ଧରାଇ ଦେବେ ବସ୍ତିବାସିନ୍ଦାଙ୍କୁ । ଖାଲି ବାଣ୍ଟିବେ ନାହିଁ, ସେ ଜାଗାର ଅଧିକାର ପ୍ରମାଣପତ୍ର (ଏଲ୍ଆର୍ସି) ବି ଦେଇ ଦେବେ ସେମାନଙ୍କ ହାତରେ । ଭୋଟ୍ ବ୍ୟାଙ୍କ ସୁରକ୍ଷିତ ରଖିବାକୁ ଯାଇ ଏମିତି ଭୟଙ୍କର ଚକ୍ରାନ୍ତ କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କର୍ତ୍ତୃପକ୍ଷ ।
ଏମିତି ହେଲେ ନାଳ, କେନାଲ, ନୟନଯୋରୀ, ଡ୍ରେନ ବନ୍ଧ ସବୁଠି ଛିଡ଼ା ହେବ ନିର୍ମାଣ । ଏହା ଉପରେ ସ୍ଥାୟୀ ଘର ଗଢ଼ିବେ ଲୋକେ । ଏହା ଡାକି ଆଣିବ ମହାବିପଦ । ବନ୍ଦ ହୋଇଯିବ ବର୍ଷା ଜଳ ନିଷ୍କାସନ । ଅଟକିଯିବ ରାଜଧାନୀର ଜଳପ୍ରବାହ । ବର୍ଷାର ଲହରି ମାଡ଼ିବ ଘର ଭିତରକୁ । ଉଠିବ ଆହୁରି ଉପରକୁ । ବୁଡ଼ାଇ ଦେବ ଭୁବନେଶ୍ୱରକୁ । ଭୁବନେଶ୍ୱର ଜଳ ପ୍ରବାହ ବାଟ ବନ୍ଦ କରିଥିବା ଜବରଦଖଲକାରୀଙ୍କ ନାଁରେ ଜଳ ସମ୍ପଦ ବିଭାଗର ୨୩୦ ଏକର ଜମିକୁ ଟେକି ଦେବାକୁ ବିଏମ୍ସି କରିଛି ଯୋଜନା । ଭୋଟ ବ୍ୟାଙ୍କ ନିଶାରେ ବସ୍ତିବାସିନ୍ଦାଙ୍କୁ ଏସବୁ ଜମି ବାଣ୍ଟିବା ପାଇଁ ଯାଇ ଜଳ ସମ୍ପଦ ବିଭାଗକୁ ଚିଠି ଲେଖିଛି ବିଏମସି । ଅତ୍ୟନ୍ତ ଜରୁରୀ ଦର୍ଶାଇ ଏହି ଚିଠି କରାଯାଇଛି । ଜଳ ସମ୍ପଦ ବିଭାଗର ଅନୁମତି ମଗାଯାଇଛି । ଚିଠି ପାଇବା ପରେ ଜଳ ସମ୍ପଦ ବିଭାଗ ବି ଅତି ଗୁରୁତର ସହ ଏ ପ୍ରସ୍ତାବ ଉପରେ ବିଚାର ଚଳାଇଛି । ଯଦି ଜଳ ସମ୍ପଦ ବିଭାଗ ଅନୁମତି ଦେବ, ତା’ହେଲେ ସର୍ବନାଶ ହୋଇଯିବ । ଯେଉଁ ଭୁବନେଶ୍ୱରକୁ ନେଇ ସ୍ମାର୍ଟ ସିଟି ସ୍ୱପ୍ନ ଦେଖୁଥିଲେ, ସେଇ ସହରକୁ ବୁଡ଼ାଇବାକୁ ଏମିତି ଉଦ୍ୟମ ତେଜିଛି ।
ସୋମବାର ବର୍ଷାରେ ସହର ବୁଡ଼ିଗଲା । ଡ୍ରେନ ଜବରଦଖଲ ଯୋଗୁ ବର୍ଷା ପାଣି ଖସିଲା ନାହିଁ । ଏହା ଗୋଟିଏ ଦିନର କଥା ନୁହେଁ, ଯେବେ ଅସରାଏ ବର୍ଷା ଅଜାଡ଼ୁଛି ଭୁବନେଶ୍ୱର ଉବୁଟୁବୁ ହେଉଛି । ମାତ୍ର ଯେଉଁଭଳି ଡ୍ରେନ, କେନାଲ ବାଣ୍ଟିବାକୁ ଚକ୍ରାନ୍ତ ଚାଲିଛି, ଆଗକୁ ଭୁବନେଶ୍ୱରରେ ବର୍ଷା ହେଲେ କୋଠା ବି ବୁଡ଼ିବ । ଡ୍ରେନରୁ ଜବରଦଖଲ ହଟାଇବା ବଦଳରେ ଏବେ ହାତକାଟି ବସ୍ତିବାସିନ୍ଦା ନାଁରେ ଜମି ଲେଖିବାକୁ ଯାଉଛି ବିଏମ୍ସି । ଖାଲି ଏତିକି ନୁହେଁ, ଏକର ଏକର ଜଳସମ୍ପଦ ବିଭାଗ ଜମି ବା ଡ୍ରେନ୍ ଉପରେ ଥିବା ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର (ଏଲ୍ଆର୍ସି) ଦେବ ।
ବିଏମ୍ସି କମିଶନର ଗତ ମାସରେ ଜଳ ସମ୍ପଦ ବିଭାଗକୁ ଏ ନେଇ ଚିଠି ଲେଖିଛନ୍ତି । ଏଥିରେ ଜଳ ସମ୍ପଦ ବିଭାଗଠାରୁ ସହର ଭିତରେ ଥିବା ୧୨୬ଟି ଜମି ମାଗିଛି ବିଏମ୍ସି । ଚିଠିରେ ବିଏମସି ଦର୍ଶାଇଛି, ଜମି ବିଏମସି ଖାତାକୁ ଆସିନଥିବାରୁ ବଣ୍ଟା ଯାଇ ପାରୁନି । ଜଳ ସମ୍ପଦ ମାଲିକାନାରେ ଥିବା ଏହି ସବୁ ଜମିକୁ ବିଏମ୍ସିକୁ ହସ୍ତାନ୍ତର କରାଯାଉ । ଏଥିରେ ହରିଦାସପୁର ମାଝିସାହି, ଜୟପୁର ସାମଲ ସାହି, ହଡ଼ବାଇ ବସ୍ତି, ନୂଆପାଟଣା ଭୋଇ ସାହି ବସ୍ତି, ଭାଟପଡ଼ା, କେନାଲ ସାହି, ନଳବନ୍ଧ ସାହି କେଳା ବସ୍ତି, ଜଳେଶ୍ୱର କଲୋନୀ ବସ୍ତି, ଆଜାଦନଗର ଖଣ୍ଡୁଣାଳ ବସ୍ତି, ସାମନ୍ତରାପୁର ବସ୍ତି, ଗୌରୀନଗର, ଗ୍ୟାରେଜ ଗାୟତ୍ରୀ ବସ୍ତି ସମେତ ମୋଟ ୨୯ଟି ବସ୍ତି ରହିଛି ।
ବିଏମ୍ସି ତଥ୍ୟରୁ ଜଣାପଡ଼ିଛି, ବିଭିନ୍ନ ମୁଖ୍ୟ ଡ୍ରେନ, ଶାଖା ଡ୍ରେନ୍ ଉପରେ ବସ୍ତି ରହିଛି । ଏଥିରେ ୫ ପ୍ରକାର କିସମ ଜମି ରହିଛି । ସେଥିମଧ୍ୟରେ କେନାଲ, ଆଡି, ବନ୍ଧ, ନୟନଜୋରୀ ଭଳି କିସମ ରହିଛି । ବିଏମ୍ସି ପ୍ରସ୍ତାବ ଉପରେ ଅଧ୍ୟୟନ କରି ଶୀଘ୍ର ରିପୋର୍ଟ ଦେବାକୁ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ଅତିରିକ୍ତ ସଚିବ । ଏହାକୁ ଗୁରୁତର ସହ ନେବାକୁ କୁହାଯାଇଛି ।
ଅସରାଏ ବର୍ଷା ହେଲେ ଜଳବନ୍ଦୀ ପରିସ୍ଥିତି ଉପୁଜୁଛି ଭୁବନେଶ୍ୱରରେ । ସଚିବାଳୟ ମାର୍ଗ, ଇସ୍କନ ମନ୍ଦିର ସମ୍ମୁଖ ଜାତୀୟ ରାଜପଥ, ପାଇକନଗର, ସୌଭାଗ୍ୟନଗର, କଟକ ରୋଡ୍ରେ ପାଣି ଜମୁଛି । ଏହା ସତ୍ତେ୍ୱ ବିଏମ୍ସି କେମିତି ଏଭଳି ନିଷ୍ପତ୍ତି ହେଲା? ଜଳ ସମ୍ପଦ ବିଭାଗର ପୂର୍ବତନ ବରିଷ୍ଠ ଯନ୍ତ୍ରୀ କହିଛନ୍ତି, ଜବରଦଖଲ ଯୋଗୁଁ ଡ୍ରେନ୍ ସଙ୍କୁଚିତ ହେଉଛି । ଫଳରେ ପାଣିର ସ୍ରୋତ ଦୁଇଗୁଣା ବଢୁଛି । ଏହି ସବୁ ଡ୍ରେନ୍ ଉପରେ ବେଆଇନ୍ ବସ୍ତି ନିର୍ମାଣ ହୋଇଛି । ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାକୁ କେହି ବିରୋଧ କରୁନାହାନ୍ତି । ମାତ୍ର ଏଥିପାଇଁ ଡ୍ରେନ, କେନାଲ, ପୋଖରୀ, ଜଳାଶୟ କେମିତି ବାଣ୍ଟିଦେବେ । ଏସବୁ ଜଳ ସମ୍ପଦ ଜମି ଉପରେ କେମିତି ନୂଆ ଘର ନିର୍ମାଣ ହେବ । ଯଦି ଏହି ସବୁ ଜମିର ମାଲିକାନା ଲୋକଙ୍କ ହାତକୁ ଯାଏ, ତା’ହେଲେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବ ।
ଜଳ ନିଷ୍କାସନ ହୋଇ ନ ପାରିବାରୁ ବିଏମ୍ସି ଏବେ ବେସରକାରୀ ଜମି କିଣିବାକୁ ଯାଉଛି । ପାଖାପାଖି ୬୩ ଏକର ବେସରକାରୀ ଜମି ବିଏମ୍ସି କିଣିବ । ଏଥିପାଇଁ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ଗୋଟିଏ ପଟେ ବିଏମ୍ସି ଜମି କିଣୁଛି, ଅନ୍ୟପଟେ ଡ୍ରେନ, କେନାଲ ଜମି ବାଣ୍ଟୁଛି । ଏ ଅଦ୍ଭୁତ ଖେଳରେ ଭୁବନେଶ୍ୱର ଜଳବନ୍ଦୀ ସମସ୍ୟା ଭିତରେ ବୁଡ଼ିଯିବ ।