ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମୃତ୍ୟୁ ମାମଲା: ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ବି ଅନେକ ସସ୍‌ପେନ୍ସ, ନିରପେକ୍ଷ ତଦନ୍ତ ଦାବି

ରାଉରକେଲା,୨୫/୦୯: ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁକୁ ୬ ଦିନ ବିତିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ପାଣିରେ ବୁଡ଼ି ଶ୍ୱାସରୁଦ୍ଧ କାରଣରୁ  ମୃତ୍ୟୁ ଘଟିଛି । ହେଲେ,ଏହି ରିପୋର୍ଟକୁ ସମ୍ପୂର୍ଣ୍ଣ ବିଶ୍ୱାସ କରୁ ନାହାନ୍ତି ପରିବାରବର୍ଗ । ଲୋକମାନେ ମଧ୍ୟ କହୁଛନ୍ତି ଯଦି ଆତ୍ମହତ୍ୟା କରିବାର ଥିଲା ତେବେ ହୋଟେଲ ରୁମ୍‌ରେ ବି ଆତ୍ମହତ୍ୟା କରି ପାରିଥାନ୍ତେ । ସେନ୍‌ସୋରୀ ପାର୍କକୁ ଆସି ପୋଖରୀକୁ ଡେଇଁବା ସୃଷ୍ଟି କରୁଛି ପ୍ରଶ୍ନବାଚୀ । ତେଣୁ,ମୃତ୍ୟୁର କାରଣ ଏକପ୍ରକାର ସ୍ପଷ୍ଟ  କରାଯାଇଥିଲେ ମଧ୍ୟ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ (୩୫) ଙ୍କ ମୃତ୍ୟୁ ଅନେକଙ୍କୁ ରହସ୍ୟମୟ ଲାଗୁଛି! 

ଗତ ୧୯ ତାରିଖ ସେନ୍‌ସୋରୀ ପାର୍କ ପୋଖରୀରୁ ଉଦ୍ଧାର ହୋଇଥିବା ଶବ ନିକଟକୁ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ପୁଲିସ ଛାଡି ନ ଥିଲା। ଏପରିକି ସେଦିନ ପୁଲିସ୍‌ ଶବ ଚିହ୍ନଟ ହୋଇନଥିବା ସୂଚନା ଦେଲା । ବିଡ଼ମ୍ବନା ହେଉଛି, ନିଖୋଜ ବିବରଣୀ ପାଇଥିବା ଉଦିତନଗର ପୁଲିସ  ଠାରେ ଖବର ଥିଲା ଯେ, ପ୍ଲାଣ୍ଟସାଇଟ୍‌ ଥାନା ଅଞ୍ଚଳରେ ଥିବା ହୋଟେଲରେ ସୁସ୍ମିତା ରହୁଥିଲେ । ତଥାପି ଶବ ମିଳିବାର  ଅନେକ ସମୟ ଯାଏଁ ପ୍ଲାଣ୍ଟ ସାଇଟ୍‌ ପୁଲିସ ଦ୍ୱାରା ଶବ ଚିହ୍ନଟ ହୋଇପାରିନଥିଲା! ୨୦ ତାରିଖ ଦିନ ସୁସ୍ମିତାଙ୍କ ଭାଇ ସନ୍ଦୀପ ଗଣମାଧ୍ୟକୁ କହିଥିଲେ ଯେ, ବୁଧବାର ସକାଳେ ହିଁ ପ୍ଲାଣ୍ଟସାଇଟ୍‌ ଥାନା ପୁଲିସ୍‌ ଫୋନ୍‌ କରି ତାଙ୍କୁ ଥାନାକୁ  ଡକାଇଥିଲେ । ରାଜଗାଙ୍ଗପୁର ରମାବାହାଲ ଅଞ୍ଚଳରୁ ସୁସ୍ମିତାଙ୍କ ପରିବାରବର୍ଗ ପ୍ଲାଣ୍ଟସାଇଟ୍‌ ଥାନାରେ ପହଞ୍ଚିବା  ପରେ ପୁଲିସ୍‌ ସେମାନଙ୍କୁ ଏହି ମୃତ୍ୟୁ କଥା ଜଣାଇଥିଲା ଏବଂ ସେମାନେ ସାଙ୍ଗରେ ଯାଇ ବିଧିବଦ୍ଧ ଭାବେ ଶବ ଚିହ୍ନଟ  କରିଥିଲେ । 

ସୁସ୍ମିତା ପ୍ରଥମେ ବଣାଇଁ ଏବଂ ସୁନ୍ଦରଗଡ଼ରେ କିଛି ବର୍ଷ ଧରି କାର୍ଯ୍ୟ କରିଥିଲେ । ଗତ ପ୍ରାୟ ଦେଢ଼ବର୍ଷ  ହେବ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ ଯୋଗ ଦେଇଥିଲେ । ମୃତ ସୁସ୍ମିତାଙ୍କ ଭାଇ ସନ୍ଦୀପଙ୍କ କହିବା ଅନୁସାରେ, ଗତ ପ୍ରାୟ  ମାସେ ହେଲା ଭଉଣୀ ମାନସିକ ଅବସାଦରେ ରହୁଥିଲେ । ଘରେ ଅଧିକାଂଶ ସମୟ ଚୁପଚାପ୍‌ ରହୁଥିବା ବେଳେ ପଚାରିଲେ ଅଫିସ କାର୍ଯ୍ୟର ଚାପ ଅଛି କହୁଥିଲେ । ଗତ ୧୬ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାର ବିଡିଓ  ଏବଂ ତହସିଲଦାରଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସେହି ବୈଠକରେ ଜିଲ୍ଲାପାଳ ସୁସ୍ମିତାଙ୍କ  ମାନସିକ ସ୍ଥିତି ଠିକ ନ ଥିବା ନେଇ  ପରିବାର ଲୋକଙ୍କୁ ଜଣାଇବାକୁ  ଅଧିକାରୀମାନଙ୍କୁ କହିଥିଲେ ବୋଲି  ସନ୍ଦୀପ କହିଛନ୍ତି । 

୧୭ ତାରିଖ  (ରବିବାର) ଦିନ ଗୁରୁଣ୍ଡିଆ ବିଡିଓ  ସୁସ୍ମିତାଙ୍କ ଘରକୁ ଆସି ତାଙ୍କ ମାଆଙ୍କୁ  ଏ ବିଷୟରେ ଜଣାଇଥିଲେ । ଏପରି  କି ୧୬ରୁ ୧୭ ତାରିଖ ସକାଳ ପ୍ରାୟ  ସାଢ଼େ ୧୦ଟା ମଧ୍ୟରେ ଭଉଣୀଙ୍କୁ ମାଆ  ଏବଂ ମୁଁ ଅନେକଥର ଫୋନ୍‌ କରିଥିଲୁ,  ହେଲେ ସେ ଉଠାଇ ନଥିଲେ । ଫଳରେ  ତାଙ୍କ ସମ୍ପର୍କରେ କିଛି ସନ୍ଧାନ ମିଳିନଥିଲା । ଶେଷରେ ୧୭ ତାରିଖରେ ଉଦିତନଗର ଥାନାରେ ପହଞ୍ଚି ଭଉଣୀ ନିଖୋଜ  ଥିବା ନେଇ ଭାଇ ଅଭିଯୋଗ କରିଥିଲେ । ସେହିଦିନ ରାତି  ପ୍ରାୟ ସାଢ଼େ ୯ଟାରେ ଭଉଣୀର ସନ୍ଧାନ ମିଳିଥିବା ଏବଂ ସେ  ହୋଟେଲରେ ଥିବା ନେଇ ଉଦିତନଗର ଥାନା ଇନ୍ସପେକ୍ଟର  ଫୋନ୍‌ ଯୋଗେ ଜଣାଇଥିଲେ । ଖବର ପାଇ ସନ୍ଦୀପ ଓ  ତାଙ୍କ ମାଆ ଥାନାରେ ପହଞ୍ଚି ପୁଲିସ୍‌ ସହ ଉକ୍ତ ହୋଟେଲକୁ  ଯାଇଥିଲେ । ଦୁହେଁ ସୁସ୍ମିତାଙ୍କ ସହ କଥାବାର୍ତ୍ତା ହୋଇଥିଲେ ।  ଅଫିସ୍‌ରେ ବହୁତ କାମ ଅଛି, ଘରକୁ ଯିବାକୁ ପାଇଁ ସୁସ୍ମିତା  ମନା କରିଥିଲେ ବୋଲି ସନ୍ଦୀପ କହିଛନ୍ତି । ସେ ଆହୁରି  କହିଛନ୍ତି, ପୁଲିସ୍‌ ଭଉଣୀକୁ ଠାବ କରିବା ପରେ ଘରକୁ  ଯିବା ପାଇଁ କହିବା ସତ୍ତେ୍ୱ ଅରାଜି ହେବାରୁ ତାଙ୍କୁ ବୁଝାସୁଝା  କରି ଘରକୁ ପଠାଇ ଦେବାକୁ ଥାନା ଅଧିକାରୀ କହିଥିଲେ ।  ହେଲେ ପୁଲିସ ତାଙ୍କୁ ପୁଣି ସେହି ହୋଟେଲକୁ ଛାଡ଼ି  ଦେଇଥିଲା । ସୁସ୍ମିତାଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ଜଣେ ପୁଲିସ୍‌  କର୍ମଚାରୀଙ୍କୁ ସେଠାରେ ନିୟୋଜିତ ମଧ୍ୟ କରାଯାଇଥିଲା । 

ଅପରପକ୍ଷେ, ସ୍ଥାନୀୟ ଓକିଲ ବିସ୍ମୟ ଦାସ କହିଛନ୍ତି,  ସୁସ୍ମିତା ଓ ପଶ୍ଚିମବଙ୍ଗର ବର୍ଦ୍ଧମାନରେ  କାର୍ଯ୍ୟରତ ତାଙ୍କ ସ୍ୱାମୀ ତଥା ବ୍ୟାଙ୍କ  ଅଧିକାରୀ ସୁଶୀଲ ବାର୍ଲାଙ୍କ ମଧ୍ୟରେ  ବିବାଦ ଯୋଗୁଁ ଏକ ଛାଡ଼ପତ୍ର  ମାମଲା ଚାଲିଥିଲା । ଏହି ବିବାଦୀୟ  ମାମଲାର କାରଣ ଥିଲା, ସୁସ୍ମିତା ନିଜ  ସ୍ୱାମୀ ସୁଶୀଲଙ୍କୁ ମଦ୍ୟପ ଅଭିଯୋଗ  କରିଥିବା ବେଳେ ସ୍ୱାମୀ କହୁଥିଲେ  ସୁସ୍ମିତା ଜଣେ ଗର୍ବୀ ଓ ଅହଙ୍କାରୀ ମହିଳା ଥିଲେ । ତେବେ  ସେହିଦିନ ଉଭୟଙ୍କ ଛାଡ଼ପତ୍ର ମୋଟାମୋଟି ଚୂଡ଼ାନ୍ତ  ହୋଇଯାଇଥିଲା । ଉଭୟେ କୁଆଡ଼େ ସାଦରେ ଏଥିରେ  ସମ୍ମତ ହୋଇ କୋର୍ଟରୁ ଯାଇଥିଲେ । ସକାଳ ସାଢ଼େ ୧୦ଟାରୁ  ପ୍ରାୟ ଅଢ଼େଇଟା ଯାଏଁ କୋର୍ଟରେ ଥିଲେ । ଓକିଲଙ୍କ ଏହି  ବୟାନ ପରେ ୧୬ତାରିଖକୁ ନେଇ ଦୁଇପ୍ରକାର ମନ୍ତବ୍ୟ  ଆସିଯାଇଛି । କେବଳ ସେତିକି ନୁହେଁ, ମୃତ୍ୟୁ ପୂର୍ବରୁ  ସୁସ୍ମିତା ପୁଲିସ୍‌ ନିକଟରେ ପରିବାର ସଦସ୍ୟଙ୍କ ବିରୋଧରେ  ୩ଫର୍ଦ୍ଦର ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି ।  ଏଥିରେ ସେ ତାଙ୍କ ଭାଇ ଓ ମା’ଙ୍କ ନାମରେ ଅଭିଯୋଗ  ରହିଛି । ସେମାନଙ୍କ ଠାରୁ ତାଙ୍କୁ କୌଣସି ସହାୟତା କିମ୍ବା  ସହଯୋଗ ବଦଳରେ ନିର୍ଯାତନା ମିଳୁଥିବା ନେଇ ଏଥିରେ  ଉଲ୍ଲେଖ ରହିଛି । ଉଦିତନଗର ଥାନାରୁ ସୁସ୍ମିତାଙ୍କୁ ଆଣିବା  ପାଇଁ ଭାଇ ସନ୍ଦୀପ ଓ ମାଆଙ୍କ ସାଙ୍ଗରେ ଆଉ ଜଣେ ବ୍ୟକ୍ତି  ଯାଇଥିଲେ । ବିଶେଷ କରି ସେହି ବ୍ୟକ୍ତିଙ୍କୁ ଦେଖିବା ପରେ  ଅଧିକ ପ୍ରତିକ୍ରିୟାଶୀଳ ହୋଇ ସେ ଘରକୁ ଯିବା ପାଇଁ ରାଜି  ହୋଇନଥିଲେ । ସେହି ବ୍ୟକ୍ତିଙ୍କୁ ଭୟ କରୁଥିବା ନେଇ  ଅଭିଯୋଗପତ୍ରରେ ସୁସ୍ମିତା ଦର୍ଶାଇଥିବା ଏକ ନିର୍ଭରଯୋଗ୍ୟ  ସୂତ୍ରରୁ ସୂଚନା ମିଳିଛି । ହେଲେ ସେହି ବ୍ୟକ୍ତି ଜଣକ କିଏ?  ସୁସ୍ମିତାଙ୍କ ପରିବାର ସହ ତାଙ୍କର କି ସମ୍ପର୍କ ରହିଛି?  ସମ୍ପର୍କରେ ସୁସ୍ମିତାଙ୍କ ସେ କ’ଣ ହେବେ ? ଏ ସମ୍ପର୍କରେ ପୁଲିସ୍‌ ଖୋଳତାଡ଼ କରୁଥିବା ସୂଚନା ମିଳିଛି । 

ଏହି ସନ୍ଦିଗ୍ଧ ମୃତ୍ୟୁ ଘଟଣାର ପୋଷ୍ଟମର୍ଟମ ରିପୋର୍ଟ  ଆଧାରରେ ଏହା ଆତ୍ମହତ୍ୟା ବୋଲି ପୁଲିସ୍‌ କହୁଛି ।  ସୁସ୍ମିତା ରହୁଥିବା ହୋଟେଲର ସିସିଟିଭି ଫୁଟେଜ୍‌ ମଧ୍ୟ  ସାମ୍ନାକୁ ଆସିଛି । ମୃତ୍ୟୁ ଦିନ ସକାଳ ପ୍ରାୟ ୮ଟା ୫୫ମିନିଟ୍‌  ସମୟରେ ସୁସ୍ମିତା ହୋଟେଲରୁ ବାହାରି ଯାଇଥିଲେ । ଗୋଟିଏ ପଟେ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି  ପୁଲିସ୍‌ ଏହାକୁ ଆତ୍ମହତ୍ୟା ବୋଲି କହୁଥିବା ବେଳେ ସୁସ୍ମିତାଙ୍କ ପରିବାରଲୋକ କିନ୍ତୁ ଏହାକୁ ହତ୍ୟା ବୋଲି କହୁଛନ୍ତି । ଏପରିକି ସନ୍ଦୀପ ପୁଲିସ୍‌ ନିକଟରେ କରିଥିବା ଲିଖିତ ଅଭିଯୋଗରେ କିଛି ଅଧିକାରୀଙ୍କ ନାମ ଉଲ୍ଲେଖ  କରିଛନ୍ତି । ଏଣୁ ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ  ବିଭିନ୍ନ ମହଲରୁ ଦାବି ହେବା ଆରମ୍ଭ ହେଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.