ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ବାଟ ଖୋଲିଲା ପରେ ବି ଆଗେଇ ପାରୁନି ଘର ପଞ୍ଜୀକରଣ, ଫସି ରହିଛି ୨ ହଜାର କୋଟିର ଟିକସ

ଭୁବନେଶ୍ୱର, ୧୦/୦୭ : ପ୍ରାୟ ୨ ବର୍ଷର ଅପେକ୍ଷା ପରେ ଆରମ୍ଭ ହୋଇଛି ଆପାର୍ଟମେଣ୍ଟ ପଞ୍ଜୀକରଣ । ରାଜଧାନୀରେ ଅଦ୍ୟାବଧି ୨୫ଟି ଘର କ୍ରେତାଙ୍କ ସଂଘ ଏବଂ ୩ଟି ପ୍ରକଳ୍ପରେ ସେଲ୍‌ ଡିଡ୍‌ ପଞ୍ଜୀକରଣ ହୋଇଛି । ରେରା ନିୟମକୁ ନଜରରେ ରଖି ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ ଆଣିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ଏହି ଆଇନ କାର୍ଯ୍ୟକାରୀ ହେବା ପରେ ଘର ପଞ୍ଜୀକରଣ କ୍ଷେତ୍ରରେ ସ୍ୱଛତା ଆସିବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି । ତେବେ ଘର ପଞ୍ଜୀକରଣ ନେଇ ବାଟ ଫିଟିଥିବା ବେଳେ ଆଗେଇ ପାରୁନି ପଞ୍ଜୀକରଣ । ଏ ସମ୍ପର୍କିତ ନିୟମ ଆସି ନ ଥିବାରୁ ପ୍ରାୟ ୧୦ ହଜାର ଘର କ୍ରେତା ପଞ୍ଜୀକରଣ ପାଇଁ ଚାହିଁ ବସିଥିଲେ । ତେବେ ପଞ୍ଜୀକରଣ ତ୍ୱରାନ୍ୱିତ ଲାଗି ବିଭିନ୍ନ ସମସ୍ୟା ସମାଧାନକୁ ସରକାର ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଶେଷଜ୍ଞ । ବିଶେଷ କରି ପୁରୁଣା ଘର ବିକ୍ରି ବେଳେ ଏବେ ଲୋକେ ସମସ୍ୟା ସାମ୍ନା କରୁଛନ୍ତି । 

ବର୍ତ୍ତମାନ ଘର କିଣାବିକ୍ରି କ୍ଷେତ୍ରରେ ରେରା ପଞ୍ଜୀକରଣ, ଅକ୍ୟୁପାନ୍ସି ପ୍ରମାଣପତ୍ର (ଓସି), ଘରକ୍ରେତାଙ୍କ ସୋସାଇଟି ଏବଂ ଘୋଷଣାପତ୍ର ନିଶ୍ଚିତ ପକ୍ଷେ ଆବଶ୍ୟକ ପଡୁଛି । ସବୁ କିଛି ଠିକ୍‌ ଅଛି କି ନାହିଁ ସେ ନେଇ ପରୀକ୍ଷା କରିବାକୁ ଜିଲା ସ୍ତରରେ ଉପଜିଲାପାଳ ପାହ୍ୟାର ଜଣେ ଅଧିକାରୀ କମ୍ପିଟେଣ୍ଟ ଅଥରିଟି ଭାବେ ନିଯୁକ୍ତ ହୋଇଛନ୍ତି । କମ୍ପିଟେଣ୍ଟ ଅଥରିଟି ଚୂଡାନ୍ତ କରି ପଠାଇଥିବା ସେଲ୍‌ ଡିଡ୍‌ ଗୁଡିକୁ ଏବେ ସବ୍‌ରେଜିଷ୍ଟ୍ରାର ମାନେ ରେଜିଷ୍ଟ୍ରି କରୁଛନ୍ତି । ସରକାର ଷ୍ଟାମ୍ପ ଡ୍ୟୁଟି ଭାବେ କେତେ ଟିକସ ପାଇବେ ତାହା ସେମାନେ ସୁନିଶ୍ଚିତ କରୁଛନ୍ତି । ତେବେ ୨୦୧୭ ପୂର୍ବରୁ ପ୍ରକଳ୍ପ କିମ୍ବା ପୁରୁଣା ପ୍ରକଳ୍ପ ଗୁଡିକରେ ହୋଇଥିବା ଆପାର୍ଟମେଣ୍ଟଗୁଡିକର ରିସେଲ କ୍ଷେତ୍ରରେ ଏବେ ସମସ୍ୟା ସାମ୍ନା କରୁଥିବା ଗ୍ରାହକ ଅଭିଯୋଗ କରୁଛନ୍ତି । ଏସବୁ ସମସ୍ୟାର ତ୍ୱରିତ ସମାଧାନ କରିବା ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଶେଷଜ୍ଞ । ବିଶେଷଜ୍ଞଙ୍କ କହିବା କଥା ହେଲା ଓସି ନ ଥିବା କିମ୍ବା ପ୍ରକଳ୍ପରେ ସୋସାଇଟି ଗଠନ ହୋଇ ନ ଥିବାରୁ ସମସ୍ୟା ଉପୁଜୁଛି । ଓସି ବା ଅକ୍ୟୁପାନ୍ସି ପ୍ରମାଣପତ୍ର କୌଣସି ପ୍ରକଳ୍ପର ସଠିକତାକୁ ଦର୍ଶାଇଥାଏ । 

ଉଦାହରଣ ସ୍ୱରୁପ ଠିକ୍‌ ପ୍ଲାନ ମଞ୍ଜୁରୀ ହୋଇଛି ନାହିଁ, ପ୍ଲାନ ମଞ୍ଜୁରୀ ମୁତାବକ ପ୍ରକଳ୍ପ ହୋଇଛି କି ବେଆଇନ ନିର୍ମାଣ ହୋଇଛି, ରାସ୍ତାଘାଟ, ପରିବେଶ ମଞ୍ଜୁରୀ, ଜଳ ଯୋଗାଣ ସୁବିଧା, ବିଜୁଳି ସଂଯୋଗ, ଅଗ୍ନି ନିର୍ବାପନ ଭଳି ଦିଗ ଗୁଡିକ ଏହାର ପରିସରଭୁକ୍ତ । ଏ କ୍ଷେତ୍ରରେ ଓସି ହେଉଛି ଗ୍ରାହକଙ୍କ ନିକଟରେ ଏକ ଅସ୍ତ୍ର । ମାତ୍ର ଏହା ନ ରହିଲେ ବିଲ୍ଡର ମାନମାନି କଲେ ମଧ୍ୟ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା କଷ୍ଟକର ହୋଇପଡେ । ବେଆଇନ ଭାବେ ପ୍ରକଳ୍ପ ନିର୍ମାଣ ହୋଇଥିଲେ ଏ କ୍ଷେତ୍ରରେ ଓସି ଦେଇନଥାନ୍ତି ଉନ୍ନୟନ କର୍ତ୍ତୃପକ୍ଷ । ବିଲ୍ଡରଙ୍କ ଭୂଲରେ ସମସ୍ୟା ସାମ୍ନା କରିଥାନ୍ତି ଗ୍ରାହକ । ବର୍ତ୍ତମାନ ଏଭଳି ବିଭିନ୍ନ ଘଟଣା ଯୋଗୁ ଅଡୁଆରେ ଗ୍ରାହକ । ଘର ବିକିବାକୁ ଚାହିଁ ମଧ୍ୟ ସେମାନେ କୌଣସି ବି ସମସ୍ୟା ଯୋଗୁ ଫସିଛନ୍ତି । 

ଉଲ୍ଲେଖଯୋଗ୍ୟ, ୧୯୯୩ରୁ ଓସି ପାଇଁ ଆଇନ ଆସିଥିଲେ ମଧ୍ୟ ଏହାକୁ ବିଭିନ୍ନ ଆଳ ଦେଖାଇ ବିଭିନ୍ନ ସମୟରେ ଅଣଦେଖା କରାଯାଇଛି । ଏପଟେ ନୂଆ ଆଇନରେ କମନ ଏରିଆ ଉପରେ ଷ୍ଟାମ୍ପ ଡ୍ୟୁଟି କିଏ ଦେବ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ଏହି ଷ୍ଟାମ୍ପ ଡ୍ୟୁଟି ବିଲ୍ଡର କିମ୍ବା ଆସୋସିଏସନ ଭରିବେ ସେ ଦିଗରେ ମଧ୍ୟ ସରକାର କିଛି ସ୍ପଷ୍ଟ କରିନାହାନ୍ତି । ଏପଟେ ଉନ୍ନୟନ କର୍ତ୍ତୃପକ୍ଷ ଗୁଡିକରେ ପର୍ଯ୍ୟାପ୍ତ ମାନବ ସମ୍ବଳ ଏବଂ ସବରେଜିଷ୍ଟାର ଓ ଅନ୍ୟ ଅଧିକାରୀଙ୍କୁ ଉଚିତ ତାଲିମର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଶେଷଜ୍ଞ । ଶିଳ୍ପ ସଂଘ କ୍ରେଡାଇ ମୁତାବକ, ଘର ପଞ୍ଜୀକରଣ ପ୍ରକ୍ରିୟା ଠପ୍‌ ହୋଇ ପଡିବା ଯୋଗୁ ରାଜ୍ୟର ରିୟଲ ଇଷ୍ଟେଟ କ୍ଷେତ୍ରରେ ୨୦ ହଜାର କୋଟିର ନିବେଶ ପ୍ରଭାବିତ ହୋଇଛି । ପଞ୍ଜୀକରଣ ଆରମ୍ଭ ହେବା ପରେ ସ୍ଥିତି ବଦଳିନି । ସରକାର ଏ କ୍ଷେତ୍ରକୁ ସ୍ୱାଭାବିକ କରିବାକୁ ଉଦ୍ୟମ କରିବା ଆବଶ୍ୟକ । ନୂଆ ସରକାର ଘରକ୍ରେତାଙ୍କ ସ୍ୱାର୍ଥକୁ ଧ୍ୟାନରେ ରଖି ନୀତିଗତ ପଦକ୍ଷେପ ନେବେ ବୋଲି ଆଶା ରଖିଛି ସଂଘ । ଏପଟେ ଘର ପଞ୍ଜୀକରଣ ଯୋଗୁ ସରକାର ପାଇବାକୁ ଥିବା ୨ ହଜାର କୋଟିର ଟିକସ ମଧ୍ୟ ଫସି ରହିଛି । ସବୁ କିଛିକୁ ବ୍ୟବସ୍ଥିତ କରି ରିୟଲ ଇଷ୍ଟେଟ କ୍ଷେତ୍ରର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାକୁ ସଂଘ ସରକାରଙ୍କୁ ନିବେଦନ କରିଛି । 

କ'ଣ କୁହନ୍ତି ବିଶେଷଜ୍ଞ...

ଏହି ପରିପ୍ରେକ୍ଷୀରେ କ୍ରେଡାଇ ଭୁବନେଶ୍ୱର ଫାଉଣ୍ଡେସନର ସାଧାରଣ ସମ୍ପାଦକ ଉମେଶ ପଟ୍ଟନାୟକ କହିଛନ୍ତି, ଏବେ ଘର ପଞ୍ଜୀକରଣ ବାଟ ଖୋଲିଛି । ତେବେ ଡେଭଲପମେଣ୍ଟ ଅଥରିଟି ଗୁଡିକରେ ଏବେ ସବୁ କିଛି ବ୍ୟବସ୍ଥିତ ହୋଇପାରିନି, ଫଳରେ ପଞ୍ଜୀକରଣ ଧୀମା ରହିଛି । ଘର କ୍ରେତାଙ୍କ ସୋସାଇଟି ଗଠନରେ ସମୟ ଲାଗୁଛି । ରେରା ଓ ଓସି ପାଇଥିବା ନୂଆ ପ୍ରକଳ୍ପରେ ସମସ୍ୟା ନାହିଁ ମାତ୍ର ପୁରୁଣା ସୋସାଇଟି ଗୁଡିକରେ ନୂଆ ସୋସାଇଟି ଗଠନ ଏବଂ ଘର ରିସେଲ କ୍ଷେତ୍ରରେ ସମସ୍ୟା ରହୁଛି । ଏହାର ସମାଧାନ ଲାଗି ସରକାର ପଦକ୍ଷେପ ନେବା ଉଚିତ । ଦଲିଲ୍‌ ଟୁ ଦଲିଲ ଭିତ୍ତିରେ ପୁରୁଣା ପ୍ରପର୍ଟିର ପଞ୍ଜୀକରଣ ହେଲେ ଏହାର ଲାଭ ଗ୍ରାହକ ପାଇପାରନ୍ତେ । ଓରେରାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ରେରା ଅନୁପାଳନ କରୁଥିବା ଆଇନ ଆଣିଛି । ଏହା ବନ୍ଦ ପଡିଥିବା ଘର ପଞ୍ଜୀକରଣକୁ ତ୍ୱରାନ୍ୱିତ କରିବ । ଯଦି ପୁରୁଣା ଘର ବିକ୍ରି କ୍ଷେତ୍ରରେ କିଛି ସମସ୍ୟା ରହୁଛି ସେ ଦିଗରେ କଣ କରାଯିବ ରାଜ୍ୟ ସରକାର ବିଚାର କରିବା ଆବଶ୍ୟକତା ରହିଛି । ରେରା କର୍ମୀ ବିମଳେନ୍ଦୁ ପ୍ରଧାନ କହିଛନ୍ତି, ରେରା ଅନୁପାଳନକୁ ନଜରରେ ରଖି ଆସିଥିବା ନୂଆ ଆଇନ ରିୟଲ ଇଷ୍ଟେଟ କ୍ଷେତ୍ରକୁ ସ୍ୱଚ୍ଛ ଏବଂ ଘର କ୍ରେତାଙ୍କୁ ଶସକ୍ତ କରିବ । ଏ କ୍ଷେତ୍ରରେ ଆଇଜିଆର୍‌, ସହରୀ ବିକାଶ ବିଭାଗ, ରାଜସ୍ୱ ବିଭାଗ ଏବଂ ଓ ରେରା ମଧ୍ୟରେ ସମନ୍ୱୟର ଆବଶ୍ୟକତା ରହିଛି । ସରକାରଙ୍କ ବିଭିନ୍ନ ବିଭାଗ, ବିଲ୍ଡର କମ୍ୟୁନିଟି, ଏବଂ ଘରକ୍ରେତାଙ୍କୁ ନେଇ ଏକ ଆପେକ୍ସ କମିଟି ଗଠନ ହେଲେ ରିୟଲ ଇଷ୍ଟେଟ କ୍ଷେତ୍ର ଅଭିବୃଦ୍ଧି କରିବ ଏବଂ ଘରକ୍ରେତାଙ୍କ ହିତ ସାଧନ ହେବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.