ଭୁବନେଶ୍ୱର,୦୮/୦୭: ଭୁଲ୍ କିଏ କଲା ଆଉ ଭୋଗୁଛି କିଏ? ଶାମପୁର, ପଥରଗାଡ଼ିଆ,ଗୋଠପାଟଣା, ଶଙ୍କରପୁର ଭଳି ଏକାଧିକ ମୌଜାର ଶହ ଶହ ଲୋକେ ନିଜ ଭିଟାମାଟି ପାଇଁ କରୁଥିବା ଲଢ଼େଇ ସରିବାର ନାଁ ନେଉନି । କୋର୍ଟଙ୍କ ନିର୍ଦ୍ଦେଶ ସତ୍ତେ୍ୱ ସରକାର ସେମାନଙ୍କୁ ଲିଜ୍ ଜମିର ସ୍ୱତ୍ୱ ବଦଳାଇ ସ୍ଥିତିବାନ ପଟ୍ଟା ଦେଉନାହାନ୍ତି । ଏଥିପାଇଁ କୋର୍ଟ କଚେରି ଦୌଡ଼ି ଦୌଡ଼ି ନାକେଦମ୍ ହେଉଛନ୍ତି ଲୋକେ ।
ଖୋର୍ଦ୍ଧା ଜିଲ୍ଲା ଭିଟାମାଟି ସ୍ୱତ୍ୱାଧିକାରୀ ସୁରକ୍ଷା ପରିଷଦର ସୂଚନା ଅନୁସାରେ, ଗତ ଶତାବ୍ଦୀର ଷାଠିଏ ଓ ସତୁରୀ ଦଶକରେ ତତ୍କାଳୀନ ସରକାର ରାଜଧାନୀ ଉପକଣ୍ଠରେ ଥିବା ଶାମପୁର, ପଥରଗାଡ଼ିଆ,ଗୋଠପାଟଣା, ଶଙ୍କରପୁର ଭଳି ଅନେକ ମୌଜାରେ ଗରିବ ଭୂମିହୀନ ଲୋକଙ୍କୁ ଚାଷ ପାଇଁ ୨ଏକର ଲେଖାଏଁ ଜମି ଲିଜ୍ ସୂତ୍ରରେ ଦେଇଥିଲେ । ଲିଜ୍ ପ୍ଲଟ୍ର ସର୍ତ୍ତ ଥିଲା, ୫ରୁ ୧୦ ବର୍ଷ ପୂର୍ବରୁ ଏହି ଜମିକୁ ଆଉ କାହାକୁ ହସ୍ତାନ୍ତର କରିହେବନି । ୧୯୬୨ ଓ ୧୯୭୧ ଯୁଦ୍ଧରେ ଭାଗ ନେଇଥିବା ବୀର ସୈନିକଙ୍କୁ ମଧ୍ୟ ଜମି ଲିଜ୍ ଦିଆଗଲା । ଭୁବନେଶ୍ୱର ଓ ଜଟଣୀ ତହସିଲର ପ୍ରାୟ ୧୫ଟି ଗାଁ ଲୋକଙ୍କୁ ଅନେକ ଜମି ଏଭଳି ଲିଜ୍ ଦିଆ ଯାଇଥିଲା ।
ସମୟକ୍ରମେ ଏହି ସବୁ ଜମିର ମାଲିକ ପାରିବାରିକ ବାଧ୍ୟବାଧ୍ୟକତାରୁ ଏହି ଲିଜ୍ ଜମିରୁ କିଛି ଅଂଶ ବିକ୍ରି କଲେ । ଅଧିକାଂଶ ୫ରୁ ୧୦ ବର୍ଷ ପରେ ଜମି ବିକିଥିଲେ । ସେହି ଜାଗାର କିସମ ବଦଳାଇ ଆବାସିକ ଘର,ସ୍କୁଲ ଓ ଆପାର୍ଟମେଣ୍ଟ ହେଲା । କିଛି ମୌଜାରେ ବନ୍ଦୋବସ୍ତ ପରେ ଜମି ଜମାର ରେକର୍ଡ ନୂଆ କ୍ରେତାଙ୍କ ନାମରେ ଉଠିଥିଲା । ତେବେ ୨୦୧୩ ମସିହାରେ ସରକାର ଏକ ଉଦ୍ଭଟ ନିଷ୍ପତ୍ତି ନେଲେ । ଏକତରଫା ଭାବରେ ଏହି ସବୁ ଲିଜ ଜମି ଆବାଦଯୋଗ୍ୟ ଅନାବାଦି ଦେଖାଇ ସରକାରୀ ଖାତାରେ ରେକର୍ଡ କରିଦେଲେ । ରାତାରାତ୍ ଲୋକଙ୍କ ନାଁରେ ଥିବା ଜମି ସରକାରୀ ଖାତାକୁ ଚାଲିଗଲା ।
ଏହା ପରେ ଆରମ୍ଭ ହେଲା କୋର୍ଟ କଚେରି କଥା । ଅନେକ ମାମଲାରେ ହାଇକୋର୍ଟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନାପସନ୍ଦ କଲେ । ଜମି ଫେରାଇ ଦେବାକୁ ସରକାରଙ୍କୁ ଆଦେଶ ଦେଲେ । ପଟ୍ଟା ମିଳିଲା ସତ, କିନ୍ତୁ ମାତ୍ର ହାତଗଣତି ଲୋକଙ୍କୁ । କୋର୍ଟଙ୍କ ନିର୍ଦ୍ଦେଶ ସତ୍ତେ୍ୱ ଅଧିକାଂଶ ଲୋକଙ୍କୁ ପଟ୍ଟା ମିଳିଲାନି । ଏବେ ବି ଶହ ଶହ ମାମଲା ହାଇକୋର୍ଟ ଓ ବୋର୍ଡ ଅଫ ରେଭେନ୍ୟୁରେ ପଡ଼ିଛି ।
ଏହା ପୂର୍ବରୁ ୧୯୯୬ ମସିହାରେ ହାଇକୋର୍ଟ ଏକ ନିଦ୍ଦିଷ୍ଟ ମାମଲାରେ ସମସ୍ତ ଲିଜ୍ ଜମିକୁ ଜଣେ ସଚିବ ସ୍ତରୀୟ ଅଫିସର ଦ୍ୱାରା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସରକାର ୨୦୧୩ରେ ଏହାକୁ କାର୍ଯ୍ୟକାରୀ କଲେ । ତଦନ୍ତ ଦାୟିତ୍ୱରେ ଥିବା ତତ୍କାଳୀନ ସଚିବଙ୍କ ମୌଖିକ ନିର୍ଦ୍ଦେଶରେ ଲୋକଙ୍କୁ ଦିଆଯାଇଥିବା ଲିଜ୍ ଜମି ସରକାରଙ୍କ ଖାତାକୁ ଚାଲିଗଲା । ସେବେ ସରକାର କହିଲେ ପ୍ରତି ପ୍ଲଟ୍କୁ ଯାଞ୍ଚ କରିବାକୁ ଆମ ପାଖରେ ସମୟ ନାହିଁ । ଯେଉଁ ପ୍ଲଟ୍ରେ ଅସଙ୍ଗତି ନଥିବ ସେହି ପ୍ଲଟ୍କୁ ସେମାନେ ପ୍ରଜାଙ୍କ ନାମରେ କରାଇ ଦେବେ । ଅସଙ୍ଗତି ନଥିବା ପ୍ଲଟ୍ର ପଟ୍ଟା ମିଳିବାରେ କୌଣସି ସମସ୍ୟା ହେବନି । ସରକାରଙ୍କ ଏହି ଫନ୍ଦିରେ ଫସି ଏବେ ଶତାଧିକ ଲୋକ କୋର୍ଟ କଚେରୀ ଦୌଡୁଛନ୍ତି । ପ୍ଲଟ୍ରେ ଅସଙ୍ଗତି ନଥିବା ଲୋକ ମଧ୍ୟ ଏହାର ଶିକାର ହୋଇଛନ୍ତି ।
ଏହି ସବୁ ସମସ୍ୟାର ସମାଧାନ ପାଇଁ ପୂର୍ବ ସରକାର ଏକ କମିଶନ ବସାଇଥିଲେ । ସେହି କମିଶନ ରିପୋର୍ଟ କାର୍ଯ୍ୟକାରୀ କରିବା ପୂର୍ବରୁ ନୂଆ ସରକାର ଆସିଛନ୍ତି । ନୂଆ ସରକାର ସମ୍ବେଦନଶୀଳତାର ସହ ଏହାକୁ ବିଚାର କରିବାକୁ ଲୋକମାନେ ଦାବି କରୁଛନ୍ତି ।